‘ମେମ୍‌ସାବ୍‌’ ନୁହେଁ; ଦୟାକରି ମୋତେ ‘ରକ୍ଷା ମନ୍ତ୍ରୀ’ ବୋଲି ସମ୍ବୋଧନ କରନ୍ତୁ: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ‘ମୋତେ ଆପଣମାନେ ‘ମେମ୍‌ସାବ୍‌’ ନୁହେଁ; ଦୟାକରି ‘ରକ୍ଷା ମନ୍ତ୍ରୀ’ ଭାବେ ସମ୍ବୋଧନ କରନ୍ତୁ,’ ବୋଲି ଭାରତୀୟ ସେନାର ବରିଷ୍ଠ ଅଧିକାରୀ ଓ ଯବାନ୍‌ମାନଙ୍କୁ ପରାମର୍ଶ ଦେଇଛନ୍ତି ଦେଶର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ।

ଉଲ୍ଲେଖଯୋଗ୍ୟ, ନିକଟରେ ଦେଶର ନୂତନ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ନିର୍ମଳା ସୀତାରମଣ। ନିଜର ନୂତନ ଦାୟିତ୍ୱ ଗ୍ରହଣ କଲାପରେ ନିର୍ମଳା ସୀତାରମଣ ବିଗତ ଦୁଇମାସ ଧରି ବ୍ୟାପକ ଭାବେ ଦେଶର ସୀମାନ୍ତ ଅଞ୍ଚଳକୁ ଗସ୍ତ କରି ସେଠାରେ ଭାରତୀୟ ସେନା ଘାଟିଗୁଡ଼ିକର ସ୍ଥିତି ସମୀକ୍ଷା କରିବା ସହ ସୀମାନ୍ତରେ ମୁତୟନ ଥିବା ଭାରତୀୟ ସେନାର ଯବାନମାନଙ୍କ ସହ ସାକ୍ଷାତ୍‌ ଆଲୋଚନା ମଧ୍ୟ କରୁଛନ୍ତି।

ତେବେ, ଗସ୍ତ କାଳରେ ନିର୍ମଳା ସୀତାରମଣ ଯେତେବେଳେ ଆଲୋଚନା ପାଇଁ ଯବାନମାନଙ୍କ ନିକଟକୁ ଯାଉଛନ୍ତି, ସେତେବେଳେ ସେମାନେ ତାଙ୍କୁ ‘ଜୟହିନ୍ଦ୍‌, ମେମ୍‌ସାବ୍‌!’; ‘ଜୟହିନ୍ଦ୍‌, ସାର୍‌!’; ‘ଜୟହିନ୍ଦ୍‌, ମାଡାମ୍‌!’ ଆଦି ବିଭିନ୍ନ ପ୍ରକାରେ ସମ୍ବୋଧନ କରି ସାଲ୍ୟୁଟ୍‌ ମାରି ଅଭିବାଦନ ଜଣାଉଥିଲେ। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଜଣେ ମହିଳା ହୋଇଥିବା କାରଣରୁ ଯବାନ୍‌ମାନେ ତାଙ୍କୁ ଠିକ୍‌ କ’ଣ ସମ୍ବୋଧନ କରି ଅଭିବାଦନ ଜଣାଇବେ, ସେଥିନେଇ ଦ୍ୱନ୍ଦ୍ୱରେ ପଡ଼ୁଥିଲେ। ସେଥିପାଇଁ ଅଣଔପଚାରିକ ଆଲୋଚନା ପାଇଁ ନିର୍ମଳା ଯେତେବେଳେ ଯାଇ ଯବାନମାନଙ୍କ ନିକଟରେ ପହଞ୍ଚୁଥିଲେ ସେତେବେଳେ ସେମାନେ ତାଙ୍କୁ ସାର୍‌, ମାଡାମ୍‌, ମେମ୍‌ସାବ୍‌ ଆଦି ବିଭିନ୍ନ ବାଗରେ ସମ୍ବୋଧନ କରୁଥିଲେ।

HT

ହେଲେ, ଯବାନ୍‌ମାନଙ୍କର ଏ ଅସୁବିଧାକୁ ହୃଦୟଙ୍ଗମ କରିବା ପରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସେନାର ଅଧିକାରୀ ଓ ଯବାନମାନଙ୍କୁ ପରାମର୍ଶ ଦେଇ କହିଛନ୍ତି, ‘ଏଣିକି ଆଉ ତାଙ୍କୁ ସାର୍‌, ମାଡାମ୍‌, ମେମ୍‌ସାବ୍‌ ଆଦି ନୁହେଁ; ବରଂ ରକ୍ଷା ମନ୍ତ୍ରୀ କହି ସମ୍ବୋଧନ କରାଯାଉ।’

ଏ ସଂପର୍କରେ ସେନାର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପ୍ରକୃତରେ ପ୍ରତିରକ୍ଷା ମନ୍ତ୍ରୀ ଜଣେ ମହିଳା ହୋଇଥିବା ଦୃଷ୍ଟିରୁ ଆମେ କ’ଣ କହି ତାଙ୍କୁ ସମ୍ବୋଧନ କରିବୁ, ସେଥିନେଇ ଦ୍ୱନ୍ଦ୍ୱରେ ଥିଲୁ। ହେଲେ, ଆମର ଅସୁବିଧାକୁ ବୁଝିପାରି ସେ ଯେପରି ଭାବେ ଏହି ସମସ୍ୟାର ସମାଧାନ କଲେ, ତାହା ତାଙ୍କ ସହୃଦୟତାର ପରିଚୟ ଦେଉଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ୫୮ ବର୍ଷୀୟ ନିର୍ମଳା ସୀତାରମଣ ହେଉଛନ୍ତି ଇନ୍ଦିରା ଗାନ୍ଧୀଙ୍କ ପରେ ଦେଶର ଦ୍ୱିତୀୟ ମହିଳା ପ୍ରତିରକ୍ଷା ମନ୍ତ୍ରୀ।

ସମ୍ବନ୍ଧିତ ଖବର