ପାରିକର ହିଁ ମୁଖ୍ୟମନ୍ତ୍ରୀ ରହିବେ

ଗୋଆରେ ନେତୃତ୍ୱ ପରିବର୍ତ୍ତନ ହେବନାହିଁ

ପାନାଜୀ: ଅଗ୍ନାଶୟ କ୍ୟାନ୍‌୍‌ସର ସହ ସଂଘର୍ଷ କରୁଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଏବେ ଦିଲ୍ଲୀ ଏମ୍‌୍‌ସରେ ଭର୍ତ୍ତି ହୋଇଥିବା ବେଳେ ଗୋଆର ନେତୃତ୍ୱ ନେଇ ନାନା ଆଲୋଚନା ଜାରି ରହିଛି। ଇତିମଧ୍ୟରେ ବିଜେପିର ଏକ କେନ୍ଦ୍ରୀୟ ଟିମ୍‌ ଆଜି ଗୋଆରେ ପହଞ୍ଚିଛନ୍ତି। ଆସନ୍ତାକାଲି ସେମାନେ ସ୍ଥିତି ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ବିଜେପିର ଗୋଆ ପ୍ରଦେଶ ଅଧ୍ୟକ୍ଷ ବିଜୟ ତେନ୍ଦୁଲକର କହିଛନ୍ତି ଯେ ଦଳ ପାରିକରଙ୍କ ବିକଳ୍ପ ସଂପର୍କରେ ଏବେ ଚିନ୍ତା କରୁନାହିଁ ଏବଂ ନେତୃତ୍ୱ ପରିବର୍ତ୍ତନ ହେବାର ନାହିଁ। ଆଜି ଗଣମାଧ୍ୟମକୁ ତେନ୍ଦୁଲକର କହିଛନ୍ତି, ବିଜେପିର କେନ୍ଦ୍ରୀୟ ଟିମ୍‌ ସାଧାରଣ ସଂପାଦକ ରାମଲାଲଙ୍କ ନେତୃତ୍ୱରେ ପହଞ୍ଚିଛନ୍ତି। ସେମାନେ ଦଳର ରାଜ୍ୟ ନେତୃବୃନ୍ଦ ଏବଂ ମେଣ୍ଟ ସହଯୋଗୀଙ୍କ ସହ ଆଲୋଚନା କରିବେ। ତେବେ ନେତୃତ୍ୱ ପରିବର୍ତ୍ତନ ହେବ ନାହିଁ ଏବଂ ମନୋହର ପାରିକର ହିଁ ମୁଖ୍ୟମନ୍ତ୍ରୀ ପଦରେ ରହିବେ। ରାଜ୍ୟ ବିଧାନସଭାକୁ ଭାଙ୍ଗି ମଧ୍ୟବର୍ତ୍ତୀ ନିର୍ବାଚନ କରାଇବାକୁ ବିଜେପିର କିଛି ବିଧାୟକ ଚାହୁଥିବା ବେଳେ ଅନ୍ୟ କିଛି ବିଧାୟକ ସରକାର ଯେ କୌଣସି ପରିସ୍ଥିତିରେ ଚାଲିବା ଦରକାର ବୋଲି ମତ ଦେଉଛନ୍ତି। ଅନ୍ୟପକ୍ଷରେ ଗୋଆ ଶାସନ ଦିଗହରା ହୋଇଯାଇଛି ଏବଂ କାହାର ଉତ୍ତରଦାୟିତ୍ୱ ରହୁନାହିଁ ବୋଲି ବିରୋଧୀ ଦଳ କଂଗ୍ରେସ ଅଭିଯୋଗ କରିଆସୁଛି।

ସମ୍ବନ୍ଧିତ ଖବର