ଦୌସା: ମୋତେ ମହାତ୍ମା ଗାନ୍ଧୀଙ୍କ ସହ ତୁଳନା କରନାହିଁ। ଭାରତ ଯୋଡୋ ଯାତ୍ରାରେ ମଧ୍ୟରେ ଏଭଳି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ତାଙ୍କୁ ମହାତ୍ମା ଗାନ୍ଧୀଙ୍କ ସହ ତୁଳନା କରାଯାଉଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Advertisment

ରାଜସ୍ଥାନର ଦୌସା ଜିଲ୍ଲା ଗସ୍ତ ସମୟରେ କଂଗ୍ରେସ ରାଜ୍ୟ ସଭାପତି ଗୋବିନ୍ଦ ସିଂ ଡୋଟାସରା କହିଥିଲେ ଯେ, ଦେଶର ଏକତା ତଥା ଅଖଣ୍ଡତା ପାଇଁ ରାହୁଲଙ୍କ ଜେଜେମା ଇନ୍ଦିରା ଗାନ୍ଧୀଜୀ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ, ପିତା ରାଜୀବ ଗାନ୍ଧୀ ଦେଶର ଏକତା ପାଇଁ ସହିଦ ହୋଇଥିଲେ ଏବଂ ମହାତ୍ମା ଗାନ୍ଧୀ ସ୍ୱାଧୀନତା ପାଇଁ ଲଢ଼ିଥିଲେ, ଯିଏ ଦେଶକୁ ଇ‌ଂରେଜମାନଙ୍କ କବଳରୁ ମୁକ୍ତ କରିଥିଲେ। ଏବେ ଆମର ନେତା ରାହୁଲ ଗାନ୍ଧୀ ଆସିଛନ୍ତି।

ଏହା ଉପରେ ପ୍ରତିକ୍ରିୟା ରଖି ରାହୁଲ ଗାନ୍ଧୀ କହିଥିଲେ ଯେ, ତାଙ୍କୁ କଂଗ୍ରେସର ଅତୀତ ସହିତ ତୁଳନା କରାଯିବା ଉଚିତ୍ ନୁହେଁ। ରାହୁଲ ଗାନ୍ଧୀଙ୍କ କହିବା ମୁତାବକ, 'ବର୍ତ୍ତମାନ ରାଜ୍ୟ ସଭାପତି ଡୋଟାସରାଜୀ ମହାତ୍ମା ଗାନ୍ଧୀଜୀଙ୍କ ସହ ମୋତେ ତୁଳନା କଲେ। ଏହା ସମ୍ପୂର୍ଣ୍ଣ ଭୁଲ୍। ମହାତ୍ମା ଗାନ୍ଧିଜୀଙ୍କ ସ୍ଥାନ କେଉଁଠି ଏବଂ ମୋର ସ୍ଥାନ କେଉଁଠି। ଆମେ ଦୁହିଁଙ୍କୁ ତୁଳନା କରାଯିବା ଉଚିତ୍ ନୁହେ। ମୁଁ ଦଳୀୟ ସହକର୍ମୀଙ୍କୁ କିଛି ତିକ୍ତ କଥା କହିବାକୁ ଚାହେଁ। ମହାତ୍ମା ଗାନ୍ଧୀ. ରାଜୀବ ଗାନ୍ଧୀ ଓ ଇନ୍ଦିରା ଗାନ୍ଧୀ ଯାହା କରିବାର ଥିଲା କରିଥିଲେ ଏବଂ ବହୁତ ଭଲ କାମ କରିଥିଲେ। କଂଗ୍ରେସ ଦଳକୁ ପ୍ରତ୍ୟେକ ସଭାରେ ଏହାର ପୁନରାବୃତ୍ତି କରିବା ଉଚିତ୍ ନୁହେଁ।

ସେ ଆହୁରି ମଧ୍ୟ କହିଥିଲେ ଯେ, ମହାତ୍ମା ଗାନ୍ଧୀଙ୍କ ସହ ମୋର ତୁଳନା କରିବା ସଂପୂର୍ଣ୍ଣ ଭୁଲ ଅଟେ। ସେ ଜଣେ ମହାନ ବ୍ୟକ୍ତି ଥିଲେ। ସେ ଦେଶର ସ୍ୱାଧୀନତା ପାଇଁ ଲଢ଼ିବା ସହ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ୧୦-୧୨ ବର୍ଷ ଜେଲରେ ରହିଥିଲେ। ତାଙ୍କ ସ୍ଥାନ କେହି ପୂରଣ କରିପାରିବେ ନାହିଁ ଏବଂ ମୋର ନାମ ତାଙ୍କ ସହିତ ନିଆଯିବା ଉଚିତ ନୁହେଁ। "