ଗୁଜରାଟ ନିର୍ବାଚନ ନଲଢ଼ିଲେ ସତ୍ୟେନ୍ଦ୍ର ଜୈନ୍ ଓ ମନୀଷ ସିସୋଦିଆଙ୍କୁ ଛାଡ଼ିଦେବୁ; ବିଜେପି ଏଭଳି ଅଫର ଦେଇଥିବା କହିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଡିସେମ୍ବରରେ ଗୁଜରାଟରେ ହେବ ବିଧାନସଭା ନିର୍ବାଚନ। ପ୍ରଥମ କରି ଆପ୍ ଗୁଜରାଟରେ ନିର୍ବାଚନ ଲଢ଼ିବାକୁ ଯାଉଥିବା ବେଳେ ବିଜେପିକୁ ହରାଇ କ୍ଷମତାକୁ ଆସିବେ ବୋଲି ଘୋଷଣା କରି ସାରିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ପୂର୍ବରୁ ସେ ନିର୍ବାଚନକୁ ନେଇ ଅନେକ ଦାବି କରିଥିବା ବେଳେ ଏବେ ବିଜେପି ଦେଇଥିବା ଅଫର ବିଷୟରେ କହିଛନ୍ତି କେଜ୍ରିୱାଲ।

ସେ କହିଛନ୍ତି ଯେ, ବିଜେପି ମୋତେ ଏକ ଅଫର ଦେଇ କହିଛି, ଗୁଜରାଟ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କର ନାହିଁ। ପ୍ରତିଦ୍ୱନ୍ଦ୍ୱିତା ନକଲେ ସତ୍ୟେନ୍ଦ୍ର ଜୈନ ଏବଂ ମନୀଷ ସିସୋଦିଆଙ୍କୁ ଆମେ ଛାଡ଼ିଦେବୁ। ସିବିଆଇ ମନୀଷ ସିସୋଦିଆଙ୍କୁ ପଚରାଉଚରା ବେଳେ ମାମଲା ସମ୍ପର୍କିତ ପ୍ରଶ୍ନ କମ ପଚାରି ରାଜନୀତି କରିଥିଲା। କେଜ୍ରିୱାଲଙ୍କ ହାତ ଛାଡ଼ିଲେ ଆପଣଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ସିବିଆଇ ସିସୋଦିଆଙ୍କୁ କହିଥିଲା। ହେଲେ ସେ ଏହି ଅଫର ଗ୍ରହଣ କରିନଥିଲେ।

ବିଜେପି ସରକାରଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଆରୋପ ଲଗାଇ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ମୋର୍ବି ଝୁଲାପୋଲ ଭୁଶୁଡ଼ିବା ଘଟଣା ରାଜ୍ୟରେ ଦୁର୍ନୀତିର ପରିମାଣ ଦର୍ଶାଉଛି ଏବଂ ଏସବୁ ଜାଣିବା ପରେ ଲୋକମାନେ ଆସନ୍ତା ମାସରେ ବିଜେପିକୁ କ୍ଷମତାଚ୍ୟୁତ କରିବେ। ମୋର୍ବି ଝୁଲାପୋଲ ଭୁଶୁଡ଼ିବା ଘଟଣାର ପ୍ରକୃତ ଅପରାଧୀଙ୍କୁ ସରକାର ସୁରକ୍ଷା ଦେଉଛନ୍ତି। ଘଟଣାକୁ ନେଇ ହୋଇଥିବା ଅଭିଯୋଗରେ ଅସଲ ଦୋଷୀର ନାଁ ନାହିଁ। ଏସବୁ ବିଜେପିର ଅସଲର ଚେହେରା ସାମ୍ନାକୁ ଆଣିଛି।

ଦିଲ୍ଲୀର ପ୍ରଦୂଷଣ ବୃଦ୍ଧି ଉପରେ କେଜ୍ରିୱାଲ କହିଛନ୍ତି ଯେ, ହଁ ମୁଁ ସହମତ ଯେ ରାଜ୍ୟରେ ପ୍ରଦୂଷଣ ବୃଦ୍ଧି ପାଇଛି। କିନ୍ତୁ ଏହା ସତ ଯେ, ପ୍ରଦୂଷଣ ଟିକିଏ କମ ହୋଇଛି।  ଆଗକୁ ଏହା ନିଶ୍ଚୟ କମ ହେବ।

ସମ୍ବନ୍ଧିତ ଖବର