ଆଗ୍ରା: ଆଗ୍ରାର କ୍ୟାପଟେନ୍ ଶୁଭମ ଗୁପ୍ତା ଜମ୍ମୁ-କଶ୍ମୀରର ରାଜୌରୀରେ ଆତଙ୍କବାଦୀଙ୍କ ସହ ଲଢ଼େଇ କରି ସହିଦ ହୋଇଥିଲେ। ସେ ସହିଦ ହେବା ପରେ ଆଗ୍ରାରେ ଶୋକର ବାତାବରଣ ଖେଳିଯାଇଛି । ଲୋକମାନେ ଶୁଭମ ଗୁପ୍ତାଙ୍କ ଘରକୁ ଯାଇ ତାଙ୍କ ପିତାମାତାଙ୍କୁ ସାନ୍ତ୍ୱନା ଦେଉଛନ୍ତି। ସହିଦ କ୍ୟାପଟେନଙ୍କ ମା' ଙ୍କ ଆଖିରୁ ଲୁହ ଶୁଖୁ ନାହିଁ ।

Advertisment

ଗୋଟିଏ ପଟେ ଦେଶ ପାଇଁ ନିଜ ଜୀବନ କୁ ବଳିଦାନ ଦେଇଥିବାରୁ ପୁଅକୁ ନେଇ ଗର୍ବିତ ଥିବା ବେଳେ ଅନ୍ୟପଟେ ପୁଅର ଏହି ଅସମୟ ମୃତ୍ୟୁକୁ ସେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଉତ୍ତରପ୍ରଦେଶର ଯୋଗୀ ସରକାର ମଧ୍ୟ କ୍ୟାପଟେନ୍ ଙ୍କ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସହିଦଙ୍କ ନାମରେ ପରିବାରକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା, ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଏବଂ ଆଗ୍ରାରେ ରାସ୍ତା ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ତେବେ ସରକାରଙ୍କ ଏହି ଘୋଷଣା ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ରାଜ୍ୟର କ୍ୟାବିନେଟ ମନ୍ତ୍ରୀ ଯୋଗେନ୍ଦ୍ର ଉପାଧ୍ୟାୟ ତାଙ୍କ ସମର୍ଥକଙ୍କ ସହ କ୍ୟାପଟେନଙ୍କ ଘରକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ୫୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଯେତେବେଳେ ସେ ଏହି ଚେକ୍ କ୍ୟାପଟେନ୍ ଙ୍କ ମା'ଙ୍କୁ ହସ୍ତାନ୍ତର କରୁଥିଲେ, ସେତେବେଳେ ଏହାର ଫଟୋ ଉଠାଯାଉଥିଲା। ଏହି ସମୟରେ ଅସହାୟ କ୍ୟାପଟେନଙ୍କ ମା' କାନ୍ଦି କାନ୍ଦି ମନ୍ତ୍ରୀଙ୍କୁ କହିଥିଲେ, ‘ଭାଇ ! ଏପରି ପ୍ରଦର୍ଶନୀ କରନ୍ତୁ ନାହିଁ’ ।