୨୦୧୧ରୁ ୧୬ ଯାଏ ଖାଦ୍ୟ ଯାଞ୍ଚ ହୋଇନି

ଖାଦ୍ୟ ସୁରକ୍ଷା ଏବଂ ମାନକ ଆଇନ୍‌ ୨୦୦୬ ଅଡିିଟ୍‌ ରିପୋର୍ଟ

ନୂଆଦିଲ୍ଲୀ: ସଂସଦରେ ଆଜି ଖାଦ୍ୟ ସୁରକ୍ଷା ଏବଂ ମାନକ ଆଇନ୍‌ ୨୦୦୬ର କାର୍ଯ୍ୟକାରିତା ସମ୍ପର୍କିତ ସିଏଜି ଅଡିିଟ୍‌ ରିପୋର୍ଟ ଉପସ୍ଥାପିତ ହୋଇଛି। ରିପୋର୍ଟରେ ଓଡ଼ିଶାର ସମେତ ବାଲେଶ୍ୱର, ଦେବଗଡ଼, କେନ୍ଦ୍ରାପଡ଼ା ଓ ମୟୁରଭଞ୍ଜ ସମେତ ୧୦ଟି ରାଜ୍ୟର ୧୫୦ଟି ଜିଲ୍ଲାରେ ୨୦୧୧ରୁ ୨୦୧୬ ପର୍ଯ୍ୟନ୍ତ ଫୁଡ୍‌ ବିଜିନେସ ଅପରେଟରଙ୍କ ଦ୍ୱାରା ଖାଦ୍ୟ ଯାଞ୍ଚ କରାଯାଇନଥିବା ଉଲ୍ଲେଖ ରହିଛି। ସେହିପରି ଖାଦ୍ୟ ନମୁନା ଉଠାଯିବା ବେଳେ ରିକ୍ସ ଆସେସ୍‌ମେଣ୍ଟକୁ ବିଚାର କରାନଯାଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, ଯାହାକୁ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଅଡିଟ ସମୟରେ ହାସଲ କରିବାରେ ବିଫଳ ହୋଇଥିଲେ ବୋଲି କୁହାଯାଇଛି। ଲକ୍ଷ୍ୟ ହାସଲ ନହେବା ପଛରେ କର୍ମର୍ଚାରୀଙ୍କ ଅଭାବ ସହିତ ପାଣ୍ଠିର ଅଭାବ ଥିଲା ବୋଲି ରାଜ୍ୟ ସରକାର ସୂଚାଇଥିବା ଦର୍ଶାଯାଇଛି।

ଅପରପକ୍ଷେ, ଓଡ଼ିଶାର ୭ଟି ଜିଲ୍ଲାରୁ ୧୫ଟି ନମୁନା ଯାଞ୍ଚପାଇଁ ପ୍ରୟୋଗଶାଳାକୁ ପଠାଯିବା ପୂର୍ବରୁ ସେଗୁଡ଼ିକର ସଂଗ୍ରହ ପ୍ରକ୍ରିୟାରେ ବ୍ୟତିକ୍ରମ ଥିଲା। ସେଥିପାଇଁ ପରୀକ୍ଷାକୁ ଦୋଷପୂର୍ଣ୍ଣ ବୋଲି ବିବଚେନା କରାଯାଇଥିଲା। ତେବେ ନମୁନା ପଠାଇବାର ପ୍ରକ୍ରିୟା ଏବଂ ସଂରକ୍ଷଣ ରଖିବା ସମ୍ପର୍କରେ କୌଣସି ପ୍ରଶିକ୍ଷଣ ଦିଆଯାଇନଥିବା ଖାଦ୍ୟ ସୁରକ୍ଷା ଅଧିକାରୀମାନେ କହିଥିବା ନେଇ ଉଲ୍ଲେଖ କରାଯାଇଛି। ସେହିପରି ଓଡ଼ିଶାର ଗୋଟିଏ ପରୀକ୍ଷାଗାରରେ ମାଇକ୍ରୋବାୟୋଲୋଜିକାଲ, ପେଷ୍ଟିସାଇଡ୍‌ ତଥା ହେଭି ମେଟାଲ୍‌ କଣ୍ଟାମିନେସନ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡର ଯାଞ୍ଚ ସୁବିଧା ନଥିବା କୁହାଯାଇଛି। ଓଡ଼ିଶା ସମେତ ୯ଟି ରାଜ୍ୟରେ ଜାରି କରାଯାଇଥିବା ଲାଇସେନ୍ସ ଓ ପଞ୍ଜୀକରଣର ସମୟସୀମା ସରିଯାଇଥିଲେ ହେଁ ତାହାର ବ୍ୟବହାର କରାଯାଉଛି। ଓଡ଼ିଶା ସମେତ ହିମାଚଳ ପ୍ରଦେଶ ଓ ତାମିଲନାଡ଼ୁରେ ଅଭିଯୋଗ ପ୍ରତିକ୍ରିୟା ବ୍ୟବସ୍ଥା(ଗ୍ରିଭେନ୍ସ ରେଡ୍ରେସାଲ ମେକାନିଜମ୍‌)ଗଠନ କରାଯାଇନାହିଁ। ଓଡ଼ିଶା ସମେତ ୮ଟି ରାଜ୍ୟରେ ଦାଖଲ ହୋଇଥିବା ଅଭିଯୋଗର ଉତ୍ତର ରାଜ୍ୟ ଖାଦ୍ୟ କମିଶନର ଓ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନରଙ୍କ ପାଖରୁ ଆସିନଥିବା କୁହାଯାଇଛି। ଖାଦ୍ୟ ସୁରକ୍ଷା ଏବଂ ମାନକ ଆଇନ୍‌ ୨୦୦୬ର କାର୍ଯ୍ୟକାରିତା ପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗରେ ରାଜ୍ୟ ଉପଦେଷ୍ଠା କମିଟି ଗଠନ କରାଯାଇନଥିବାର ଉଲ୍ଲେଖ ରହିଛି। ଓଡ଼ିଶା, ଦିଲ୍ଲୀ ଓ ହରିୟାନାରେ ଜିଲ୍ଲା ଉପଦେଷ୍ଟା କମିଟି ମଧ୍ୟ ଗଠନ କରାଯାଇନାହିଁ। ଏତଦ୍‌ବ୍ୟତୀତ ସୂଚନା, ଶିକ୍ଷା ଓ ଯୋଗାଯୋଗ ପାଇଁ ଓଡ଼ିଶା ସମେତ ୬ଟି ରାଜ୍ୟ ବଜେଟରେ କୌଣସି ଅର୍ଥର ବ୍ୟବସ୍ଥା କରିନଥିବା ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର