ଚେନ୍ନାଇ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ମୃତ୍ୟୁବରଣ କରିବାର ପ୍ରାୟ ଦେଢବର୍ଷ ହୋଇଯାଇଥିଲେ ମଧ୍ୟ ବିବାଦ ଥମିବାରେ ନାଁ ଧରୁ ନାହିଁ । କେତେବେଳେ ତାଙ୍କର ରାଜନୈତିକ ଉତ୍ତରାଧିକାରକୁ ନେଇ ବିବାଦ ହେଲାଣି ତ କେତେବେଳେ କିଏ ନିଜକୁ ତାଙ୍କର ଝିଅ ବୋଲି କହିଲାଣି । କିଛି ଦିନ ତଳେ ବାଙ୍ଗାଲୋରର ଜନୈକ ମହିଳା ଅମୃତା ନିଜକୁ ଜୟଲଳିତାଙ୍କ ପ୍ରକୃତ ଝିଅ ବୋଲି କହି ମାଡ୍ରାସ ହାଇକୋର୍ଟରେ ଏକ ପିଟିସନ କରିଥିଲେ । ଏପରିକି ଡିଏନଏ ପରୀକ୍ଷା ପାଇଁ ସେ ରାଜି ଥିବା କୋର୍ଟରେ କହିଥିଲେ । ଏହା ପରେ କୋର୍ଟ ଜୟଲଳିତା ଚିକିତ୍ସିତ ହେଉଥିବା ଚେନ୍ନାଇର ଆପୋଲୋ ହସପିଟାଲକୁ ନୋଟିସ୍‌ ଜାରି କରି ଜୟଲଳିତାଙ୍କ ଜୈବିକ ଅବଶେଷ ମାଗିଥିଲେ । ଏହାର ଜବାବରେ ଆପୋଲୋ ପକ୍ଷରୁ କୋର୍ଟଙ୍କୁ କୁହାଯାଇଛି ଯେ ଆମ୍ମାଙ୍କର କୌଣସି ଜୈବ ନମୁନା ରଖାଯାଇନାହିଁ । ଏଣୁ ଡିଏନଏ ପରୀକ୍ଷା କରିବା ସମ୍ଭବ ନୁହେଁ ।

Advertisment

ଏହା ପୂର୍ବରୁ ଜୟଲଳିତାଙ୍କ ପୁତୁରା ଓ ଝିଆରୀ ଦୀପକ ଓ ଦୀପା କୋର୍ଟରେ ଅମୃତାଙ୍କ ଦାବିକୁ ବିରୋଧ କରିଥିଲେ । ସେହିପରି ତାମିଲନାଡୁ ସରକାର ମଧ୍ୟ ଏକତ୍ୟପାଠ କରି କହିଛନ୍ତି ଯେ ଜୟଲଳିତା ଉକ୍ତ ମହିଳାଙ୍କୁ ନିଜର ବାସଭବନ ବା ବାଙ୍ଗାଲୋରରେ ଭେଟିଥିବାର କୌଣସି ପ୍ରମାଣ ସରକାରଙ୍କ ପାଖରେ ନାହିଁ । ମାମଲାର ପରବର୍ତ୍ତି ଶୁଣାଣି ଜୁନ ୪ ତାରିଖରେ ହେବ । ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ୨୦୧୬ ଡିସେମ୍ବର ୫ରେ ଜୟଲଳିତାଙ୍କ ଦେହାନ୍ତ ହୋଇଥିଲା ।