କୋଲକାତା: ଗତକାଲି ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ୟାସ ସମ୍ପର୍କିତ ସମୀକ୍ଷା ବୈଠକରେ ଅଧ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ | ବାତ୍ୟା କ୍ଷୟକ୍ଷତିର ଦସ୍ତାବିଜ ମୋଦୀଙ୍କୁ ଧରାଇ ଅନ୍ୟ ସ୍ଥାନରେ ମିଟିଂ ଥିବା କହି ପଳାଇଲେ | ଏ ଖବର ସାମ୍ନାକୁ ଆସିବା ପରେ ତାଙ୍କୁ ସମାଲୋଚନା କରାଯିବା ସହ ବିରୋଧୀ ଏହାକୁ ନେଇ ରାଜନୀତି କରିଥିଲେ | ଅନେକ ସମାଲୋଚନା ପରେ ଆଜି ମୁହଁ ଖୋଲିଛନ୍ତି ଦିଦି | ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ତାଙ୍କ ଛବିକୁ ଖରାପ କରିବା ପାଇଁ ଚେଷ୍ଟା କରାଯାଉଛି । ଏହାସହ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ରାଜ୍ୟପାଳ ଓ ବିଜେପି ନେତାଙ୍କ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ ।
ସେ କହିଛନ୍ତି, "ବାତ୍ୟା ପରେ ମୁଁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ ଯୋଜନା କରିଥିଲି। ବାତ୍ୟା ୟାସ୍ ଦ୍ୱାରା ହୋଇଥିବା କ୍ଷୟକ୍ଷତି ଦେଖିବା ପାଇଁ ମୋତେ ସାଗର ଏବଂ ଦିଘା ଯିବାର ଥିଲା । ମୋର ସମସ୍ତ ଯୋଜନା ପ୍ରସ୍ତୁତ ହୋଇସାରିଥିବା ବେଳେ ହଠାତ୍ ପ୍ରଧାନମନ୍ତ୍ରୀ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବାକୁ ଆସୁଥିବା ନେଇ ଫୋନ ଆସିଥିଲା | ଶୁକ୍ରବାର ପ୍ରଧାନମନ୍ତ୍ରୀ ଆସିବା ପରେ ଯେଉଁ ସ୍ଥାନରେ ବୈଠକ ହେବାର ଥିଲା ସେହି ସ୍ଥାନରେ ପହଞ୍ଚିବା ବେଳକୁ ଆମେ ଜାଣିବାକୁ ପାଇଲୁ ଯେ ପ୍ରଧାନମନ୍ତ୍ରୀ କିଛି ସମୟ ପୂର୍ବରୁ ସେଠାରେ ପହଞ୍ଚି ସାରିଛନ୍ତି ଏବଂ ସେଠାରେ ଏକ ବୈଠକ ଚାଲିଛି। ଆମକୁ ବାହାରେ ଅପେକ୍ଷା କରିବାକୁ କୁହାଯାଇଥିଲା, ଏକ ସଭା ଚାଲିଥିବାରୁ ବର୍ତ୍ତମାନ ସମୟରେ କୌଣସି ପ୍ରବେଶ ହେବ ନାହିଁ ବୋଲି ଆମକୁ କୁହାଯାଇଥିଲା। ଆମେ ଧୈର୍ଯ୍ୟର ସହିତ କିଛି ସମୟ ଅପେକ୍ଷା କଲୁ | ତାପରେ, ଯେତେବେଳେ ଆମେ ପୁନର୍ବାର ପଚାରିଲୁ, ଆମକୁ କୁହାଗଲା ଯେ ପରବର୍ତ୍ତୀ ଏକ ଘଣ୍ଟା ପାଇଁ କେହି ପ୍ରବେଶ କରିପାରିବେ ନାହିଁ |
/sambad/media/post_attachments/a32815a043deb8f93be3902516878f3b5d2df20d3cded924f023269dd3f837eb.png)
ସେ ଆହୁରି ମଧ୍ୟ କହିଛନ୍ତି ଯେ, କିଛି ସମୟ ପରେ ଆମେ ଜାଣିବାକୁ ପାଇଲୁ ଯେ ବୈଠକ ଏବେ କନ୍ଫରେନ୍ସ ହଲକୁ ଚାଲିଯାଇଛି, ତେଣୁ ମୁଖ୍ୟ ସଚିବ ଏବଂ ମୁଁ ସେଠାକୁ ଯିବାକୁ ସ୍ଥିର କଲୁ। ସେଠାରେ ପହଞ୍ଚିବା ପରେ ମାନ୍ୟବର ରାଜ୍ୟପାଳ, କେନ୍ଦ୍ରୀୟ ନେତା ତଥା କିଛି ବିଧାୟକଙ୍କ ସହ ପ୍ରଧାନମନ୍ତ୍ରୀ ବୈଠକ କରୁଥିବାର ଦେଖିଲୁ। କେବଳ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହେବାର ଥିବା ବେଳେ ମୋ ବିନା ବୈଠକ ଆରମ୍ଭ ହୋଇସାରିଥିଲା | ସେଥିପାଇଁ ଆମେ ଆମର ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାଖଲ କରିବାକୁ ସ୍ଥିର କଲୁ ଏବଂ ତା’ପରେ ପ୍ରଧାନମନ୍ତ୍ରୀଙ୍କ ଅନୁମତି କ୍ରମେ ଆମେ ଦିଘାକୁ ଯାତ୍ରା ଆରମ୍ଭ କଲୁ। ମୁଁ ଏନେଇ ତିନିଥର ପ୍ରଧାନମନ୍ତ୍ରୀଙ୍କୁ ଅନୁମତି ମାଗିଥିଲି ବୋଲି ସେ କହିଛନ୍ତି |