ସାନିଟାଇଜର ବ୍ୟବହାର କରିବା ପରେ ଦୀପ ବା ମହମବତୀ ଲଗାନ୍ତୁ ନାହିଁ : କେନ୍ଦ୍ର ସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ରବିବାର ରାତି ୯ ଟା ସମୟରେ ଲୋକମାନେ ନିଜର ଘରର ଆଲୋକ ଲିଭାଇ ମହମବତୀ, ଦୀପ ଆଦି ଜାଳିବାକୁ ନିବେଦନ କରିଛନ୍ତି । ତେବେ ଏ ନେଇ କେତେକ ପରାମର୍ଶ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

କରୋନା ଭାଇରସ ସଂକ୍ରମଣରୁ ନିଜକୁ ରକ୍ଷା କରିବାକୁ ଆଜିକାଲି ଲୋକମାନେ ନିୟମିତଭାବେ ଆଲକହଲ ଥିବା ସାନିଟାଇଜର ବ୍ୟବହାର କରୁଛନ୍ତି । କିନ୍ତୁ ସାନିଟାଇଜର ବ୍ୟବହାର କରି ଦୀପ ବା ମହମବତୀ ନଲଗାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି । ଆଲକହଲ ଏକ ଅତ୍ୟନ୍ତ ଦହନଶୀଳ ପଦାର୍ଥ ହୋଇଥିବାରୁ ହାତରେ ସାନିଟାଇଜର ଲଗାଇବା ପରେ ମହମବତୀ ବା ଦୀପ ଲଗାଇଲେ ଶରୀରରେ ନିଆଁ ଲାଗିଯିବାର ଆଶଙ୍କା ରହିଛି । ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଦୈନିକ ସାମ୍ବାଦିକ ସମ୍ମିଳନୀରେ ଏହି ପରାମର୍ଶ ଦେଇଛନ୍ତି ପିଆଇବି ମହାନିର୍ଦ୍ଦେଶକ କେଏସ ଧତ୍ୱାଲିଆ । ତେବେ ଲୋକମାନେ ସାବୁନ କିମ୍ବା ହାଣ୍ଡଓ୍ୱାସରେ ହାତ ଧୋଇବା ପରେ ଦୀପ ବା ମହମବତୀ ଲଗାଇବାରେ କୌଣସି ଅସୁବିଧା ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦୧ଟି ନୂଆ କରୋନା ସଂକ୍ରମଣ ମାମଲା ଜଣାପଡ଼ିଛି । ଏହାକୁ ମିଶାଇ ଦେଶର ମୋଟ କରୋନା ମାମଲା ୨୯୦୨କୁ ବୃଦ୍ଧି ପାଇଛି । ଏହି ସମୟରେ ଦେଶରେ ୧୨ ଜଣ କରୋନା ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି ।

ସମ୍ବନ୍ଧିତ ଖବର