ନୂଆଦିଲ୍ଲୀ: ସାଧାରଣତଃ ଶାନ୍ତ ରହୁଥିବା ପ୍ରଧାନ ବିଚାରପତି (ସିଜେଆଇ) ଡିୱାଇ ଚନ୍ଦ୍ରଚୂଡ଼ ମଙ୍ଗଳବାର ଜଣେ ଆଇନଜୀବୀଙ୍କ ଉପରେ ବିରକ୍ତ ହୋଇଥିବା ଦେଖାଯାଇଥିଲା । ଓକିଲ ତାଙ୍କ ଆବେଦନର ଶୁଣାଣି ପାଇଁ ଶୀଘ୍ର ତାରିଖ ପାଇଁ ଚାପ ପକାଉଥିଲେ। ପ୍ରଧାନ ବିଚାରପତି ଓକିଲଙ୍କୁ କହିଥିଲେ, "ମୋ ସହିତ ଏଭଳି ଚାଲ୍ କରନ୍ତୁ ନାହିଁ । ଏଠାରେ ଆବେଦନ କରିବା ପରେ, ଶୀଘ୍ର ତାରିଖ ପକାଇବା ପାଇଁ ଏହାକୁ ଅନ୍ୟତ୍ର ଦାଖଲ କରିବା ଉଚିତ୍ ବୋଲି କୁହନ୍ତୁ ନାହିଁ । ମୋ ଅଧିକାରକୁ ଚ୍ୟାଲେଞ୍ଜ କରନାହିଁ ।
ସଂପୃକ୍ତ ଓକିଲ ଏକ ମାମଲାର ଶୀଘ୍ର ଶୁଣାଣି ପାଇଁ ଦାବି କରିଥିଲେ । ଓକିଲ କହିଥିଲେ ଯେ, ଯଦି ସିଜେଆଇଙ୍କ ଅଧ୍ୟକ୍ଷତାରେ ଥିବା ବେଞ୍ଚ୍ ଅନୁମତି ଦିଅନ୍ତି ତେବେ ମାମଲାକୁ ଅନ୍ୟ ଏକ ବେଞ୍ଚ ଆଗରେ କରାଯିବ । ଏହା ଶୁଣି ସିଜେଆଇ ଚନ୍ଦ୍ରଚୂଡ଼ ରାଗିଯାଇଥିଲେ । ଏହା ଉଚିତ୍ ପନ୍ଥା ନୁହେଁ, ଏପରି ଚଳିବ ନାହିଁ ।
ଏହା ପରେ ସଂପୃକ୍ତ ଓକିଲ ତୁରନ୍ତ କ୍ଷମା ପ୍ରାର୍ଥନା କରିଥିଲେ। ଏହାର ଜବାବରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, ଆପଣଙ୍କ କ୍ଷମା ପ୍ରାର୍ଥନା ଗ୍ରହଣ କରାଯାଇଛି, କିନ୍ତୁ ମନେରଖନ୍ତୁ ମୋ ଅଧିକାରକୁ ଚ୍ୟାଲେଞ୍ଜ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସେ ଏପ୍ରିଲ ୧୭ ତାରିଖ ଧାର୍ଯ୍ୟ କରିଛନ୍ତି ।
ଏହା ପୂର୍ବରୁ ଗତ ଫେବ୍ରୁଆରି ମାସରେ ପ୍ରଧାନ ବିଚାରପତି ଏକ ପିଟିସନ୍ ତାଲିକାଭୁକ୍ତ କରିବା ସମୟରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବାରୁ ଜନୈକ ବରିଷ୍ଠ ଓକିଲଙ୍କୁ କଡ଼ା ସମାଲୋଚନା କରିଥିଲେ ଏବଂ ତାଙ୍କୁ ଅଦାଲତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ।