ତଲାକ୍‌ ବିଲ୍‌ ପାରିତ ହେଲାନାହିଁ

ସରକାରଙ୍କ ପାଖରେ ସୀମିତ ବିକଳ୍ପ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ତିନି ତଲାକ ବିଲ୍‌ ଆଜି ଶେଷ ଦିବସରେ ମଧ୍ୟ ରାଜ୍ୟସଭାରେ ଗୃହୀତ ହୋଇପାରିନାହିଁ। ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ବିଲ୍‌୍‌କୁ ଜୋର୍‌ଦାର ବିରୋଧ କରି ଏଥିରେ ସଂଶୋଧନ ପାଇଁ ସିଲେକ୍ଟ କମିଟିକୁ ପଠାଇବା ଦାବିରେ ବିରୋଧୀ ଦଳଗୁଡ଼ିକ ଅଟଳ ରହିବାରୁ ଏବେ ଏହି ବିଲ୍‌ର ଭାଗ୍ୟ ଅନିଶ୍ଚିତତା ଭିତରେ ରହିଛି। ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବାର କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ ବୋଲି ସରକାର ସ୍ପଷ୍ଟ କରିବା ପରେ ଏବେ ଏହି ବିଲ୍‌କୁ ନେଇ ସରକାରଙ୍କ ପାଖରେ ଏବେ ସୀମିତ ବିକଳ୍ପ ରହିଯାଇଛି। ଏହି ବିଲ୍‌କୁ ଆଇନରେ ପରିଣତ କରିବା ପାଇଁ ସରକାର ଅଧ୍ୟାଦେଶ ଜାରି କରିପାରନ୍ତି ବୋଲି କୁହାଯାଉଛି। ତେବେ ସରକାର ଏଭଳି ନିଷ୍ପତ୍ତି ନେଲେ ଏହା ରାଜ୍ୟସଭା ପ୍ରତି ଅପମାନ ହେବ ଏବଂ ବିରୋଧୀ ଦଳ ଏହାକୁ ସରକାରଙ୍କ ବିରୋଧରେ ବଡ଼ ଅସ୍ତ୍ର କରିବେ ବୋଲି ମଧ୍ୟ ଆଶଙ୍କା ରହିଛି।

ମୁସ୍‌ଲିମ ମହିଳାଙ୍କ ବିବାହ ଅଧିକାର ସୁରକ୍ଷା ପାଇଁ ଏକା ଥରକେ ତିନି ତଲାକ ମାଧ୍ୟମରେ ଛାଡ଼ପତ୍ର ପ୍ରଥାକୁ ଏହି ବିଲ୍‌ରେ ସଂପୂର୍ଣ୍ଣ ବେଆଇନ ଘୋଷଣା କରାଯିବା ସହ ଏହାକୁ ଅପରାଧିକ ମାମଲା ଭାବେ ଗ୍ରହଣ କରି ତଦନୁଯାୟୀ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡାଦେଶ ଓ ଜୋରିମାନା ବ୍ୟବସ୍ଥା ହୋଇଛି। ଶୀତ ଅଧିବେଶନରେ ଏହି ବିଲ୍‌ ଲୋକସଭାରେ ସୁରୁଖୁରୁରେ ଗୃହୀତ ହୋଇଥିବା ବେଳେ ରାଜ୍ୟସଭାରେ ସରକାରଙ୍କ ସଂଖ୍ୟା ଗରିଷ୍ଠତା ନଥିବାରୁ ଏହା ପାରିତ ହୋଇପାରିନାହିଁ। ଏପରିକି ବିଲ୍‌କୁ ନେଇ ସୁସ୍ଥ ବିତର୍କ ମଧ୍ୟ ସମ୍ଭବ ହୋଇପାରି ନାହିଁ ଏବଂ ଏ ବାବଦରେ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ଦୁଇ ଦିନ ମୁଲତବୀ ରଖିବାକୁ ପଡ଼ିଥିଲା। ଲୋକସଭାରେ ଗୃହୀତ ହେବାପରେ ରାଜ୍ୟସଭାରେ ମଧ୍ୟ ଏହି ବିଲ୍‌ ଆଗତ ହୋଇସାରିଥିବାରୁ ଏଭଳି ସ୍ଥିତିରେ ଅଧ୍ୟାଦେଶ ଜାରି ସଙ୍କଟ ସୃଷ୍ଟି କରିବ ବୋଲି ମଧ୍ୟ ବିଶେଷଜ୍ଞମାନେ କହିଛନ୍ତି। ତେବେ ପୂର୍ବରୁ ଏଭଳି ଅନେକ ଉଦାହରଣ ରହିଥିବାରୁ ସରକାର ଅଧ୍ୟାଦେଶ ପାଇଁ ପଛଘୁଞ୍ଚା ଦେବେନାହିଁ ବୋଲି ମଧ୍ୟ କେତେକ ମହଲ ମତ ଦେଇଛନ୍ତି। ସରକାର ଏହି ବିଲ୍‌କୁ ବିରୋଧୀ ଦଳର ଦାବି ମୁତାବକ ସିଲେକ୍ଟ କମିଟିକୁ ପଠାଇ ପାରିଥାନ୍ତେ, କିନ୍ତୁ ବିଲ୍‌ ଆଗତ ହେବାପରେ ବିରୋଧୀ ଦଳର ଏହି ଦାବିକୁ ଗ୍ରହଣ କରିବାର କିଛି ଅର୍ଥ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ବିଲ୍‌ରେ ତିନି ତଲାକ ଦେଇଥିବା ସ୍ୱାମୀକୁ ଜେଲ୍‌ ହେବାପରେ ସ୍ତ୍ରୀ ଓ ପିଲାଙ୍କ ଭରଣପୋଷଣ କିଭଳି ହେବ ସେ ବାବଦରେ ବ୍ୟବସ୍ଥା ନାହିଁ ବୋଲି ଦର୍ଶାଇ କଂଗ୍ରେସ ଏହାର ବିରୋଧ କରିଛି। ଏବେ ରାଜ୍ୟସଭା ଏହି ବିଲ୍‌କୁ ଖାରଜ କଲେ ହିଁ ସରକାର ଉଭୟ ଗୃହର ମିଳିତ ଅଧିବେଶନ ଡକାଇ ବିଲ୍‌ ଗୃହୀତ କରାଇପାରିବେ।

ସମ୍ବନ୍ଧିତ ଖବର