କଶ୍ମୀରକୁ ନେଇ ଆଶ୍ବସ୍ତ କଲେ ମୋଦୀ, ଶାନ୍ତି ଓ ବିକାଶର ନୂଆ ଯୁଗ ଆରମ୍ଭ ହେବ
ଅଯୋଧ୍ୟା ଶୁଣାଣିରେ ବାଧା ସୃଷ୍ଟି ନ କରିବାକୁ କହିଲେ, ମୋଦୀ
ନାସିକ୍: କଂଗ୍ରେସର ଭୁଲ୍ ନୀତି ଯୋଗୁଁ କଶ୍ମୀରରେ ବହୁ ଦଶନ୍ଧି ଧରି ଲାଗି ରହିଥିବା ଦୁର୍ଦ୍ଦଶାର ଅନ୍ତ ଘଟିବ। କଶ୍ମୀରରେ ଶାନ୍ତି ଓ ବିକାଶର ନୂଆ ଯୁଗ ଆରମ୍ଭ ହେବ। ଏଥିପାଇଁ ଆମକୁ ପ୍ରତ୍ୟେକ କଶ୍ମୀରୀଙ୍କୁ ଆଲିଙ୍ଗନ କରି ସବୁ ସମସ୍ୟାର ସମାଧାନ ଦିଗରେ ଆଗକୁ ବଢ଼ିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଆସନ୍ତା ମାସରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଜି ନାସିକ୍ରେ ପ୍ରଚାର ଆରମ୍ଭ କରି ମୋଦୀ କହିଛନ୍ତି ଯେ ଜମ୍ମୁ କଶ୍ମୀରରୁ ହିଂସା ଦୂର କରି ଶାନ୍ତି ଓ ବିକାଶର ଯାତ୍ରା ଆରମ୍ଭ କରିବା ଦିଗରେ ବଡ଼ ପଦକ୍ଷେପ ନିଆଯାଇଛି। ଧାରା ୩୭୦ ହଟାଯିବା ପରେ ସେଠାରେ ସ୍ଥିତି ସ୍ବାଭାବିକ ରଖିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଫଳ ହୋଇଛି ଏବଂ କଶ୍ମୀରବାସୀ ଏହାର ସୁଫଳ ପାଇବେ ବୋଲି ମୋଦୀ କହିଛନ୍ତି। ଦେଶକୁ ଏକଜୁଟ୍ ରଖିବା ଦିଗରେ ୧୩୦ କୋଟି ଭାରତୀୟଙ୍କ ଇଛାକୁ ସମ୍ମାନ ଦେଇ ସରକାର କାର୍ଯ୍ୟ କରୁଛନ୍ତି ଏବଂ ଜମ୍ମୁ କଶ୍ମୀର ଓ ଲଦାଖ୍କୁ କେନ୍ଦ୍ର ଶାସିତ ଅଂଚଳ ଘୋଷଣା କରି ଏ ଦିଗରେ ବହୁତ ବଡ଼ ପଦକ୍ଷେପ ନେଇଛନ୍ତି। ଦେଶବାସୀ କଶ୍ମୀରକୁ ସ୍ବର୍ଗରେ ପରିଣତ କରିବାକୁ ଚାହୁଥିବା ବେଳେ କଂଗ୍ରେସ ଏବଂ ଅନ୍ୟ କେତେକ ବିରୋଧୀ ଦଳର ନେତାମାନେ ଦେଶର କ୍ଷତି ହେଲାଭଳି ବୟାନ ଦେବା ଦୁର୍ଭାଗ୍ୟଜନକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପାକିସ୍ତାନ ଏଭଳି ବୟାନକୁ ଭାରତ ବିରୋଧରେ ଅନ୍ତର୍ଜାତୀୟ ମଂଚରେ ବ୍ୟବହାର କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅଯୋଧ୍ୟା ଶୁଣାଣିରେ ବାଧା ସୃଷ୍ଟି ନ କରିବାକୁ କହିଲେ
ଅଯୋଧ୍ୟା ରାମ ମନ୍ଦିରକୁ ନେଇ ବିବାଦୀୟ ବୟାନ ଦେଉଥିବା ନେତାଙ୍କୁ ନିବେଦନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସର୍ବୋଚ୍ଚ ଅଦାଲତ ମାମଲାର ଶୁଣାଣି କରୁଥିବାରୁ ଏ ବାବଦରେ କୌଣସି ବିବାଦୀୟ ବୟାନ ନଦେଇ ଅଦାଲତଙ୍କ ଉପରେ ଭରସା ରଖିବା ଆବଶ୍ୟକ। ବିବାଦୀୟ ବୟାନ ଦେଇ ଅଯଥା ବିଭ୍ରାନ୍ତି ଉତ୍ପନ୍ନ କରିବା ଏବଂ ପ୍ରଭୁ ଶ୍ରୀରାମଙ୍କ ଶୁଣାଣିରେ ବାଧା ଉପୁଯାଇବା ଆଦୌ ଉଚିତ ନୁହେଁ । ଅଯୋଧ୍ୟା ରାମ ମନ୍ଦିରକୁ ନେଇ ଅଯଥା ବୟାନବାଜି କରୁଥିବା ନେତା ନିଜ ଉପରେ ଲଗାମ ଦେବା ସହ ସୁପ୍ରିମ୍ କୋର୍ଟଙ୍କୁ ସମ୍ମାନ କରିବାକୁ ହେବ ବୋଲି ମୋଦୀ କହିଛନ୍ତି।