ଥମିନି ଗୁଳିବର୍ଷା: ସେନାର ସୁରକ୍ଷା ବଳୟରେ ୫ ହଜାର ଗ୍ରାମବାସୀ

ଜଣେ ମହିଳା ମୃତ, ଯବାନ ଆହତ, ଶିକ୍ଷାନୁଷ୍ଠାନ ବନ୍ଦ

ଶ୍ରୀନଗର: ଜମ୍ମୁ କଶ୍ମୀ‌ର ନିୟନ୍ତ୍ରଣ ରେଖା ଅଂଚଳରେ ପାକିସ୍ତାନ ଆଜି ଗୋଟିଏ ଦିନରେ ୩ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପ୍ରାୟ ୭ ଘଣ୍ଟା ଧରି ଉଭୟ ପଟୁ ପ୍ରବଳ ଗୁଳିଗୋଳା ବର୍ଷା ହୋଇଥିଲା। ଭାରତ ପଟୁ କଡ଼ା ଜବାବ ମିଳିବା ଏବଂ ବ୍ୟାପକ କ୍ଷୟକ୍ଷତି ସତ୍ତେ ପାକିସ୍ତାନ ଗୋଳାବର୍ଷା ଜାରି ରଖିଥିଲା। ଏଲ୍‌ଓସି ନିକଟସ୍ଥ ଆଗୁଆ ଘାଟିଗୁଡ଼ିକୁ ଟାର୍ଗେଟ୍‌ କରି କ୍ଷୟକ୍ଷତି ଘଟାଇବାରେ ପାକ୍‌ସେନା ଆଜି ବିଫଳ ହେବା ପରେ ଜନବସତି ଉପରେ ଗୋଳା ବର୍ଷା କରିଥିଲା। ପରିସ୍ଥିତି ଦିନକୁ ଦିନ ଜଟିଳ ହେଉଥିବାରୁ ଏବେ ସୀମା ଅଂଚଳର ସର୍ବାଧିକ ସମ୍ବେଦନଶୀଳ ସ୍ଥାନଗୁଡ଼ିକରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି ଏବଂ ପ୍ରାୟ ୫ ହଜାର ଜନତା ସେନାର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରହିଛନ୍ତି। ପୁଞ୍ଚ୍‌ ଏବଂ ରାଜୌରି ଜିଲ୍ଲା‌ ସ୍ଥିତ ୬ଟି ସେକ୍ଟରରେ ଆଜି ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଜଣେ ଯବାନ ଆହତ ହୋଇଛନ୍ତି। ଲଗାତାର ସପ୍ତାହେ ହେଲା ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବାରୁ ଏବେ ଜମ୍ମୁ କଶ୍ମୀର ପ୍ରଶାସନ ସୀମାବର୍ତ୍ତୀ ଗ୍ରାମଗୁଡ଼ିକ ପାଇଁ ସ୍ଥାୟୀ ସୁରକ୍ଷା ଶିବିର ଯୋଜନା କରିଛନ୍ତି। ବାଲାକୋଟ୍‌ ବାୟୁସେନା ଆକ୍ରମଣ ପରଠାରୁ ପାକ୍‌ ସେନା ଅନବରତ ଆଗୁଆ ପୋଷ୍ଟ୍‌ ଗୁଡ଼ିକୁ ଟାର୍ଗେଟ୍‌ କରୁଛି। ସୂଚନାନୁଯାୟୀ ଆଜି ସକାଳ ୬ଟାରୁ ପାକ୍‌ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା ଏବଂ ଅପରାହ୍ନ ସାଢ଼େ ୪ଟା ମଧ୍ୟରେ ୩ ପର୍ଯ୍ୟାୟରେ ଗୁଳିବର୍ଷା କରିଥିଲା। ସୁନ୍ଦରବନି, ମାଙ୍କୋଟ୍‌, ଖାରି କରମରା, ଦେଗବର, ନୌସେରା ଏବଂ କ୍ରୀଷ୍ଣାଘାଟି ସେକ୍ଟରରେ ପ୍ରବଳ ଗୁଳିଗୋଳା ମାଡ଼ ହୋଇଛି। ତେବେ ଆଜିର ଗୁଳିମାଡ଼‌ରେ ମେଣ୍ଢର ସ୍ଥିତ ଚାଜଲା ଅଞ୍ଚଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଯବାନ ଆହତ ହୋଇଥିବା ଜଣାପଡ଼ିଛି। ଜମ୍ମୁ , ରାଜୌରି ଏବଂ ପୁଞ୍ଚ୍‌ ଜିଲ୍ଲାରେ ୭୪୪ କିମି ଲମ୍ବ ଏଲ୍‌ଓସି ଏବଂ ଅନ୍ତର୍ଜାତୀୟ ସୀମା ନିକଟସ୍ଥ ଗ୍ରାମବାସୀମାନେ ଘରୁ ବାହାରି ପାରୁନାହାନ୍ତି। ଆଜି ରାଜୌରି ଏବଂ ପୁଞ୍ଚ୍‌ ଜିଲ୍ଲାରେ ଏଲ୍‌ଓସିଠାରୁ ୫ କିମି ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ କରି ଦିଆଯାଇଛି। ସୀମା ନିକଟସ୍ଥ ଗ୍ରାମବାସୀମାନଙ୍କୁ ବାହାରକୁ ନ ବାହା‌ରିବାପାଇଁ କୁହାଯାଇଛି। ଉରି ଜିଲ୍ଲାରେ ଦୁଇଟି ଗ୍ରାମର ସମସ୍ତ ‌ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ପାକ୍‌ ‌ସେନାଦ୍ବାରା ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନରେ ୫ ଜଣ ଭାରତୀୟ ଯବାନ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର