ଥମିନି କାସଗଞ୍ଜ ହିଂସା

ପୁଣି ଜାଳିଲେ ଦୋକାନ, ମୋଟ ୮୦ ଗିରଫ

ଲକ୍ଷ୍ନୌ: ପଶ୍ଚିମ ଉତ୍ତରପ୍ରଦେଶର କାସଗଞ୍ଜ ସହରରେ ଶୁକ୍ରବାର ସଂଘଟିତ ଗୋଷ୍ଠୀ ସଂଘର୍ଷରୁ ସୃଷ୍ଟ ଉତ୍ତେଜନା ଏ ଯାଏ ଥମିବାର ନାଁ ଧରୁନି। ଆଜି ସକାଳେ ମଧ୍ୟ ପୁଲିସର କଡ଼ା ସୁରକ୍ଷା ଭିତରେ ଉତ୍ତ୍ୟକ୍ତ ଲୋକେ ଗୋଟିଏ ଦୋକାନ ଜାଳିଦେଇଛନ୍ତି। ପରିସ୍ଥିତି ନିୟନ୍ତ୍ରିତ ହୋଇଛି ବୋଲି ସ୍ଥାନୀୟ ପୁଲିସ ଦାବି କରୁଥିବା ବେଳେ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। ସେହିପରି ଆଜି ମଧ୍ୟ ଲାଗୁ ହୋଇଥିବା ୧୪୪ ଧାରା ବଳବତ୍ତର ରହିଛି ଏବଂ ଖବର ପ୍ରଚାର ପ୍ରସାର ହେତୁ ଅଧିକ ଉତ୍ତେଜନା ଆଶଙ୍କାରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ ରଖାଯାଇଛି। ଅପରପକ୍ଷେ, ହିଂସା ସହ ଜଡ଼ିତ ମୋଟ ୮୦ ଜଣଙ୍କୁ ପୁଲିସ ଗିରଫ କରିସାରିଛି।

ସୂଚନା ଥାଉ କି, ଗତ ଶୁକ୍ରବାର ଜନରାଜ୍ୟ ଦିବସ ପାଳନ ପାଇଁ ଏବିଭିପି ଏବଂ ଭିଏଚ୍‌ପି ପକ୍ଷରୁ ଚାଲିଥିବା ‘ତିରଙ୍ଗା ଯାତ୍ରା’କୁ ବଦୁନଗର ଠାରେ କିଛି ସ୍ଥାନୀୟ ଲୋକ ବିରୋଧ କରିବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଭୀଷଣ ସଂଘର୍ଷ ଘଟିଥିଲା। ଏଥିରେ ଡଜନେରୁ ଅଧିକ ଗାଡ଼ି ଭଙ୍ଗାରୁଜା ହେବା ସହ ଗୁଳିମାଡ଼ରେ ଜଣେ ଯୁବକଙ୍କର ମୃତ୍ୟୁ ଏବଂ ଅନ୍ୟ ଜଣେ ଆହତ ହୋଇଥିଲେ। ଶନିବାର ସ୍ଥାନୀୟ ଘଣ୍ଟାଘର ଅଞ୍ଚଳରେ ଉତ୍ତେଜିତ ଲୋକେ ଦୁଇଟି ଦୋକାନ ଓ ଗୋଟିଏ ବସ୍‌ରେ ନିଆଁ ଲଗାଇ ଦେଇଥିଲେ। ସେହିପରି ରବିବାର ସକାଳେ ଗୋଟିଏ ଦୋକାନକୁ ଜାଳିଦେଇଛନ୍ତି। ଅପରପକ୍ଷେ, ବିଶେଷ କରି ଉଠାଦୋକାନଗୁଡ଼ିକ ପ୍ରତି ଜଳାପୋଡ଼ାର ଆଶଙ୍କା ଅଧିକ ରହିଥିବାରୁ ସେମାନଙ୍କୁ ସତର୍କ ରହିବା ପାଇଁ ପ୍ରଶାସନ ପରାମର୍ଶ ଦେଇଛି। ସେହିପରି ହିଂସାକାଣ୍ଡରେ ଜଡ଼ିତ ଥିବା ୮୦ ଜଣଙ୍କୁ ପୁଲିସ ଗିରଫ କରି ସାରିଥିବା ବେଳେ ଆହୁରି ଅନେକଙ୍କୁ ଧରିବା ଲାଗି ଛାନ୍‌ଭିନ୍‌ ଚଳାଇଥିବାରୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି।

ସମ୍ବନ୍ଧିତ ଖବର