ନୂଆଦିଲ୍ଲୀ: ରାଷ୍ଟ୍ରୀୟ ନାଗରିକ ପଂଜିକା (ଏନ୍ଆର୍୍ସି)କୁ ନେଇ ସଂସଦର ଉଭୟ ଗୃହରେ ଆଜି ତୃଣମୂଳ ସାଂସଦମାନେ ହଙ୍ଗାମା ଜାରି ରଖିଛନ୍ତି। ଗତକାଲି ଆସାମ ଗସ୍ତ କରିଥିବା ତୃଣମୂଳ ପ୍ରତିନିଧି ଦଳକୁ ବିମାନ ବନ୍ଦରରେ ଅଟକ ରଖାଯିବା ପ୍ରତିବାଦରେ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ରାଜ୍ୟସଭାରେ ଗୃହମନ୍ତ୍ରୀ ରାଜନାଥ ସିଂହ କହିଥିଲେ ଯେ ଏନ୍ଆର୍୍ସି ଜାତୀୟ ନିରାପତ୍ତା ସହିତ ଜଡ଼ିତ ଥିବାରୁ ଏହାକୁ ନେଇ କୌଣସି ସାଲିସ ହେବନାହିଁ। ଏବେ ଏହାକୁ ନେଇ ଦେଶରେ ରାଜନୈତିକ କାରଣରୁ ବିଭ୍ରାନ୍ତି ସୃଷ୍ଟି କରବାକୁ ଉଦ୍ୟମ ଚାଲିଛି ଏବଂ ସାଂପ୍ରଦାୟିକ ସଦ୍୍ଭାବ ନଷ୍ଟ କରିବାକୁ ଉଦ୍ୟମ ହେଉଛି। ତେବେ ସରକାର ଏଭଳି କୌଣସି ଉଦ୍ୟମକୁ ବରଦାସ୍ତ କରିବେ ନାହିଁ ବୋଲି ରାଜନାଥ ଘୋଷଣା କରିଛନ୍ତି। ଦେଶର ନିରାପତ୍ତା ପାଇଁ ଅତ୍ୟନ୍ତ ଯୋଜନାବଦ୍ଧ ଏବଂ ଦୀର୍ଘ ବର୍ଷର ନିଷ୍ଠାପର ଉଦ୍ୟମ ଯୋଗୁଁ ଆସାମ ଏନ୍ଆର୍୍ସି ସମ୍ଭବ ହୋଇପାରିଛି। ବିରୋଧୀ ଦଳ ଏହି ମାମଲାରେ ଗମ୍ଭୀର ହେବା ଆବଶ୍ୟକ ଏବଂ ଶସ୍ତା ରାଜନୀତି ହେବା ଉଚିତ ନୁହେଁ ବୋଲି ରାଜନାଥ କହିଛନ୍ତି। ତେବେ କଂଗ୍ରେସ ସାଂସଦମାନେ ଏନ୍୍ଆର୍୍ସିରେ ବ୍ୟାପକ ତ୍ରୁଟି ରହିଥିବା ଦର୍ଶାଇ ଟିଏମ୍୍ସି ସହିତ ସ୍ୱର ମିଳାଇଥିଲେ। ଏପରିକି ସେନାରେ କାମ କରି ଅବସର ନେଇଥିବା ଯବାନଙ୍କୁ ମଧ୍ୟ ନାଗରିକ ଭାବେ ଗ୍ରହଣ କରାଯାଇ ନାହିଁ ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ଏହାର ଜବାବରେ ରାଜନାଥ କହିଥିଲେ ଯେ ଏହି ଚିଠା ତାଲିକା ଚୂଡ଼ାନ୍ତ ନୁହେଁ ଏବଂ ପ୍ରତ୍ୟେକଟି ଅଭିଯୋଗର ଯାଞ୍ଚ କରାଯିବାକୁ ସରକାର ବ୍ୟବସ୍ଥା କରିଛନ୍ତି।
ଅନ୍ୟପକ୍ଷରେ ଆଜି ଲୋକସଭାରେ ପଛୁଆ ବର୍ଗଙ୍କ ପାଇଁ ଜାତୀୟ କମିସନ (ଏନ୍୍ସିବିସି) ବିଲ୍ ସର୍ବସମ୍ମତକ୍ରମେ ଗୃହୀତ ହୋଇଯାଇଛି। ପଛୁଆ ବର୍ଗଙ୍କ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ ଏନ୍୍ସିବିସି ହାତରେ ପୂର୍ଣ୍ଣ କ୍ଷମତା ରହିବ। ସଂସଦର କାର୍ଯ୍ୟକୁ ୧୦୦ ଦିନ ସୁରୁଖୁରୁରେ ଚଳାଇବା ନିମନ୍ତେ ଶିରୋମଣି ଅକାଳି ଦଳ ସାଂସଦ ନରେଶ ଗୁଜରାଲ ଆଜି ସଂସଦର କାର୍ଯ୍ୟ ପରିଚାଳନା ବିଲ୍ ୨୦୧୭କୁ ରାଜ୍ୟସଭାରେ ଉପସ୍ଥାପନ କରିଥିଲେ।
ଏବିପିରୁ ୨ ବରିଷ୍ଠ ସାମ୍ବାଦିକଙ୍କ ଇସ୍ତଫା
ଗଣମାଧ୍ୟମ ଉପରେ ଚାପ!
ନୂଆଦିଲ୍ଲୀ: ହିନ୍ଦୀ ନ୍ୟୁଜ୍ ଚ୍ୟାନେଲ୍ ଏବିପିର ୨ ଜଣ ବରିଷ୍ଠ ସାମ୍ବାଦିକ ଇସ୍ତଫା ଦେବାକୁ ବାଧ୍ୟହେବା ମାମଲା ଆଜି ସଂସଦରେ ଉଠିଛି ଏବଂ କଂଗ୍ରେସ ଦଳ ଏଥିପାଇଁ ସରକାରଙ୍କୁ ଦାୟୀ କରିଛି। ମୋଦି ସରକାରଙ୍କ ବିରୋଧରେ ଚ୍ୟାନେଲ୍ରେ ଏକ ରିପୋର୍ଟକୁ ନେଇ ସେମାନଙ୍କୁ ବିଦା କରାଯାଇଛି ବୋଲି କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼୍ଗେ ଲୋକସଭାରେ ଅଭିଯୋଗ କରିବା ସହ ସରକାର ପ୍ରେସ୍ ସ୍ୱାଧୀନତାକୁ ସଙ୍କୁଚିତ କରିବାକୁ ପ୍ରୟାସ କରୁଥିବା କହିଥିଲେ। କଂଗ୍ରେସ ସାଂସଦଙ୍କ ଅଭିଯୋଗକୁ ସୂଚନା ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଦୃଢ଼ ଭାବେ ଖଣ୍ଡନ କରିଥିଲେ ଏବଂ ମାମଲା ସହିତ ସରକାରଙ୍କ ସାମାନ୍ୟତମ ସଂପର୍କ ନାହିଁ ବୋଲି କହିଥିଲେ। ଏବିପିର ଦର୍ଶକ ସଂଖ୍ୟାରେ ହ୍ରାସ ଯୋଗୁଁ ଚ୍ୟାନେଲ କୌଣସି ପଦକ୍ଷେପ ନେଲେ ସେଥିପାଇଁ ସରକାର କୌଣସି ମତେ ଦାୟୀ ରହିବେ ନାହିଁ ବୋଲି ସେ କହିଥିଲେ। ସାମ୍ବାଦିକ ପୁଣ୍ୟ ପ୍ରସୁନ ବାଜପେୟୀଙ୍କ କାର୍ଯ୍ୟକ୍ରମ ‘ମାଷ୍ଟରଷ୍ଟ୍ରୋକ୍୍’ରେ ଛତିଶଗଡ଼ର ଜଣେ ମହିଳାଙ୍କ ସଂପର୍କରେ ଖବର ପ୍ରକାଶ ପାଇଥିଲା ଯାହାଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକଙ୍କ ଆୟ ସଂପର୍କରେ ସିଧାସଳଖ କଥା ହୋଇଥିଲେ। ମହିଳାଙ୍କୁ ଅଧିକାରୀମାନେ ପୂର୍ବରୁ ଯାହା ଶିଖାଇଥିଲେ ସେ ତାହା ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ବୋଲି ରିପୋର୍ଟରେ କୁହାଯାଇଥିଲା। ଏହାକୁ ନେଇ ବିବାଦ ବଢ଼ିବାରୁ ସାମ୍ବାଦିକ ପୁଣ୍ୟ ପ୍ରସୁନ ଏବଂ ପରିଚାଳନା ସଂପାଦକ ମିଲନ୍ଦ ଖାଣ୍ଡେକର ଚଳିତ ସପ୍ତାହରେ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି।