ଥମୁନି ‘ପଦ୍ମାବଦୀ’ ବିବାଦ ଦୀପିକା,ବଂଶାଲିଙ୍କ ମୁଣ୍ଡକାଟ ପାଇଁ ୧୦ କୋଟି ଟଙ୍କା ପୁରସ୍କାର ଘୋଷଣା!

ଉତ୍ତର ପ୍ରଦେଶରେ ରିଲିଜ୍‌ କରାଇ ଦେବୁନାହିଁ: କେଶବ ପ୍ରସାଦ ମୌର୍ଯ୍ୟ

ନୂଆଦିଲ୍ଲୀ: ସଂଜୟ ଲିଲା ବଂଶାଲିଙ୍କ ଫିଲ୍ମ ‘ପଦ୍ମାବତୀ’କୁ ନେଇ ବିବାଦ ଥମିବାର ନାମ ନେଉନାହିଁ। ରାଣୀ ପଦ୍ମାବତୀଙ୍କ ଭୂମିକାରେ ଅଭିନୟ କରିଥିବା ଦୀପିକା ପାଦୁକୋନ ଏବଂ ଚଳଚ୍ଚିତ୍ର ନିର୍ମାତା ବଂଶାଲିଙ୍କ ମୁଣ୍ଡକାଟ କଲେ ୧୦ କୋଟି ଟଙ୍କା ପୁରସ୍କାର ଦିଆଯିବ ବୋଲି ହରିୟାଣାର ବିଜେପି ନେତା ସୁରଜ ପାଲ ଅମୁ ଆଜି ବୟାନ ନେଇ ଝଡ଼ ସୃଷ୍ଟି କରିଛନ୍ତି। ବିଜେପି ମିଡିଆ ସେଲ୍‌ ମୁଖ୍ୟ ଦାୟିତ୍ୱରେ ଥିବା ସୁରଜ କହିଛନ୍ତି, ଯେ କୌଣସି ବ୍ୟକ୍ତି ଉଭୟଙ୍କ ମୁଣ୍ଡ କାଟିଲେ ତାଙ୍କୁ ୧୦ କୋଟି ଟଙ୍କା ସେ ପୁରସ୍କାର ପ୍ରଦାନ କରବେ। ଏହା ପୂର୍ବରୁ ରାଜସ୍ଥାନର କରଣୀ ସେନା ଦୀପିକାଙ୍କ ନାକ ଏବଂ ବଂଶାଲିଙ୍କ ମୁଣ୍ଡ କାଟ କରିବା ପାଇଁ ଧମକ ଦେଇ ବଡ଼ ଧରଣର ବିବାଦ ସୃଷ୍ଟି କରିଥିଲା। ପଦ୍ମାବତୀ ବିବାଦରେ ବିଜେପି ନେତା ନିଆଁରେ ଘିଅ ଢ଼ାଳୁଥିବା ବେଳେ ଏହି ଚଳଚ୍ଚିତ୍ରକୁ ନେଇ ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଏବଂ କର୍ଣ୍ଟାଟକରେ ଜୋରଦାର ବିରୋଧ ପ୍ରଦର୍ଶନ ଜାରି ରହିଛି । ପଦ୍ମାବତୀ ଫିଲ୍ମରେ ଆଲ୍ଲାଉଦ୍ଦିନ ଖିଲଜି ଭୂମିକାରେ ଅଭିନୟ କରିଥିବା ରଣବୀର ସିଂହଙ୍କ ଗୋଡ଼ ଭାଙ୍ଗିଦେବାକୁ ମଧ୍ୟ ସୁରଜ ଧମକ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର କ୍ଷମତା ପ୍ରୟୋଗ କରି ଏହି ଚଳଚ୍ଚିତ୍ରକୁ ନିଷିଦ୍ଧ କରିବାକୁ ସୁରଜ ଦାବି କରିଛନ୍ତି। ଦୀପିକା ଏବଂ ବଂଶାଲିଙ୍କୁ ଲଗାତାର ଆକ୍ରମଣ ଧମକ ମିଳୁଥିବାରୁ ଉଭୟଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ଅନ୍ୟପକ୍ଷରେ ଦୀପିକା ଗତକାଲି ପଦ୍ମାବତୀ ଫିଲ୍ମକୁ ନେଇ ଦେଖାଦେଇଥିବା ବିରୋଧ ଦେଖି ତାଙ୍କୁ ହସ ମାଡ଼ୁଛି ବୋଲି ବୟାନ ଦେଇଥିବାରୁ ଏହାକୁ ରାଜପୁତ କରଣୀ ସେନା କଡ଼ା ସମାଲୋଚନା କରିଛି।

ଉତ୍ତରପ୍ରଦେଶରେ ମଧ୍ୟ ବିରୋଧ ଜୋରଦାର ହୋଇଥିବାରୁ ଆଜି ଏ ବାବଦରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ। ଯଦି ଚଳଚ୍ଚିତ୍ରରୁ ଆପତ୍ତିଜନକ ଦୃଶ୍ୟ ବାଦ ନଦେଇ ଏହାକୁ ରିଲିଜ୍‌ କରାଯାଏ ତା’ହେଲେ ଉତ୍ତରପ୍ରଦେଶରେ ଏହାର ପ୍ରଦର୍ଶନ ହେବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ସେଭଳି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ କହିଛନ୍ତି ଯେ ଚଳଚ୍ଚିତ୍ରରୁ ସମସ୍ତ ବିବାଦୀୟ ଦୃଶ୍ୟକୁ ବାଦଦେବା ପରେ ହିଁ ଏହା ରିଲିଜ୍‌ କରିବା ଆବଶ୍ୟକ। ସେନ୍‌୍‌ସର ବୋର୍ଡ ଅଧ୍ୟକ୍ଷ ପ୍ରସୁନ ଯୋଶୀ ମଧ୍ୟ ନିର୍ମାତା ବଂଶାଲିଙ୍କ ଆଭିମୁଖ୍ୟକୁ ଖୋଲାଖୋଲି ବିରୋଧ କରିଛନ୍ତି। ଜାଣିଶୁଣି ଚଳଚ୍ଚିତ୍ର ନିର୍ମାଣ ନେଇ ରହିଥିବା କେତେକ ଆଇନଗତ ଦିଗକୁ ଅଣଦେଖା କରାଯାଇଥିବାରୁ ଏହି ଫିଲ୍ମ୍‌କୁ ଫେରାଇବାକୁ ପଡ଼ିଲା ବୋଲି ପ୍ରସୁନ କହିଛନ୍ତି। ଫିଲ୍ମକୁ ନେଇ ବିଭିନ୍ନ ରାଜ୍ୟରେ ବିବାଦ ଉଗ୍ରରୂପ ନେଇଥିବା ବେଳେ ସେନ୍‌ସର ବୋର୍ଡ ଫିଲ୍ମରେ ବୈଷୟିକ ତ୍ରୁଟି ଥିବା ଦର୍ଶାଇ ଫିଲ୍ମଟିକୁ ନିର୍ମାତାଙ୍କୁ ଫେରାଇ ଦେଇଥିଲେ। ତେବେ ସେନ୍‌୍‌ସର ବୋର୍ଡ ଫିଲ୍ମକୁ ସାର୍ଟିଫିକେଟ ନ ଦେଉଣୁ ଏହାକୁ ବଂଶାଲି ଗଣମାଧ୍ୟମ ଏବଂ କିଛି ନିର୍ଦ୍ଦିଷ୍ଟ ସଦସ୍ୟଙ୍କୁ ଫିଲ୍ମଟିକୁ ଘରୋଇ ଭାବେ ପରିବେଷଣ କରିବା ପରେ ଏହାକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି । ସେନ୍‌ସର ବୋର୍ଡର ବିଚାର ପ୍ରକ୍ରିୟାରେ ହସ୍ତକ୍ଷେପ ହୋଇଛି ବୋଲି ଏହାର ଅଧ୍ୟକ୍ଷ ସ୍ପଷ୍ଟ କରିଥିବାରୁ ବଂଶାଲିଙ୍କ ଅଡ଼ୁଆ ବଢ଼ିଛି।

ସମ୍ବନ୍ଧିତ ଖବର