ଥମୁନି ରାଫେଲ୍‌ ଝଡ଼

ରିଲାଏନ୍ସକୁ ବାଛିବାରେ ହାତ ନାହିଁ: କେନ୍ଦ୍ର

ନୂଆଦିଲ୍ଲୀ: ରାଫେଲ୍‌ ଯୁଦ୍ଧ ବିମାନ ଚୁକ୍ତିକୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ। ଦିନକୁ ଦିନ ଏହା ଉଗ୍ର ରୂପ ନେବାରେ ଲାଗିଛି। ଚୁକ୍ତି ବାବଦରେ ଗତକାଲି ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍‌ସୁଆ ଓଲାନ୍ଦ ଦେଇଥିବା ବିବୃତିକୁ ନେଇ ଭାରତରେ ରାଫେଲ୍‌ ତାତି ପୁଣି ତେଜିଛି। ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଆଜି ଏ ନେଇ ଏକ ସ୍ପଷ୍ଟୀକରଣ ରଖାଯାଇଛି। ଚୁକ୍ତି ପାଇଁ ଅନୀଲ ଅମ୍ବାନିଙ୍କ ରିଲାଏନ୍ସ ଡିଫେନ୍ସକୁ ଚୟନ କରାଯିବାରେ ଏହାର କୌଣସି ଭୂମିକା ନାହିଁ ବୋଲି ଏହା ଦର୍ଶାଇଛି ମନ୍ତ୍ରାଳୟ ଦର୍ଶାଇଛି ଯେ ଏକ ବାଣିଜ୍ୟିକ ବୁଝାମଣା ସ୍ୱରୂପ ରିଲାଏନ୍ସ ଡିଫେନ୍ସ ଏବଂ ଫ୍ରାନ୍ସର ଡାସଲ୍ଟ ଏଭିଏସନ୍‌ ମଧ୍ୟରେ ଚୁକ୍ତି ହୋଇଥିଲା। ଏଥିପାଇଁ ସରକାରଙ୍କ ପକ୍ଷରୁ ରିଲାଏନ୍ସ ନିମନ୍ତେ କୌଣସି ସୁପାରିସ କରାଯାଇ ନାହିଁ। କିନ୍ତୁ ଫ୍ରାନ୍‌ସୁଆଙ୍କ ବୟାନ ପରେ ଦେଶରେ ଅଯଥା ବିବାଦ ସୃଷ୍ଟି କରାଯାଉଛି। ରାଫେଲ୍‌ ଯୁଦ୍ଧ ବିମାନ ଚୁକ୍ତି ପାଇଁ ଭାରତୀୟ ଅଫ୍‌ସେଟ୍‌ ସହଯୋଗୀ ଚୟନ କରିବାରେ ସରକାରଙ୍କର କୌଣସି ହାତ ନାହିଁ। ଭାରତର ଅଫ୍‌ସେଟ୍‌ ନୀତି ଅନୁସାରେ, ବିଦେଶୀ କମ୍ପାନିମାନେ ନିଜ ଇଚ୍ଛା ମୁତାବକ ସେମାନଙ୍କ ଅଫ୍‌ସେଟ୍‌ ସହଯୋଗୀ ଚୟନ କରିପାରିବେ। ଏଥିରେ ଭାରତ ସରକାର କୌଣସି ପ୍ରକାର ହସ୍ତକ୍ଷେପ କରିନାହାନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ବିବୃତିରେ ଦର୍ଶାଯାଇଛି। ସେହିଭଳି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ୟୁପିଏ ଶାସନ ଅମଳରେ ୨୦୧୨ରେ ରିଲାଏନ୍ସ ଓ ଡାସଲ୍ଟ ମଧ୍ୟରେ ଚୁକ୍ତି ସମ୍ପନ୍ନ ହୋଇଥିଲା।

ବାଣିଜ୍ୟ ସହଯୋଗୀ ଚୟନରେ ଭୂମିକା ନାହିଁ: ଫ୍ରାନ୍ସ
ୟୁପିଏ ବେଳେ ରିଲାଏନ୍ସ-ଡାସଲ୍ଟ ଚୁକ୍ତି ହୋଇଛି: ରବିଶଙ୍କର

ଓଲାନ୍ଦ କହିଥିଲେ, ରାଫେଲ ଚୁକ୍ତି ପାଇଁ ଭାରତ ସରକାର ଅନୀଲ ଅମ୍ବାନିଙ୍କ ରିଲାଏନ୍ସର ନାମ ପ୍ରସ୍ତାବ ଦେଇଥିଲେ ଏବଂ ନିର୍ମାଣକାରୀ ସଂସ୍ଥା ଡାସଲ୍ଟ ଏଭିଏସନ୍‌ କମ୍ପାନି ପାଖରେ ରିଲାଏନ୍ସ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା। ଏକ ସାକ୍ଷାତକାର ଦେଇ ଓଲାନ୍ଦ କହିଥିଲେ ଯେ ଭାରତ ସରକାରଙ୍କ ପକ୍ଷରୁ ରିଲାଏନ୍ସର ନାମ ଆସିଥିଲା। ତେଣୁ ଫ୍ରାନ୍‌୍‌ସର ନିର୍ମାଣକାରୀ ସଂସ୍ଥା ଏହି ପ୍ରସ୍ତାବକୁ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲା। ଆଜି ଫ୍ରାନ୍ସ ସରକାରଙ୍କ ପକ୍ଷରୁ ମଧ୍ୟ ଏକ ବିବୃତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଭାରତୀୟ ବାଣିଜ୍ୟ ସହଯୋଗୀ ଚୟନ କରିବାରେ ଫ୍ରାନ୍ସ ସରକାରଙ୍କର କୌଣସି ହାତ ନାହିଁ। ସରକାର କେବଳ ବିମାନର ଯୋଗାଣ ଓ ଗୁଣବତ୍ତା ବାବଦରେ ମୁଣ୍ଡ ଖେଳାଇ ପାରିବେ। ଏ କ୍ଷେତ୍ରରେ ଫ୍ରାନ୍ସର କମ୍ପାନିଗୁଡ଼ିକର ପୂର୍ଣ୍ଣ ସ୍ୱାଧୀନତା ଅଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଚୁକ୍ତି ବାବଦରେ ରିଲାଏନ୍ସ ଓ ଡାସଲ୍ଟ ଏଭିଏସନ୍‌ ଉପରେ ଭାରତ ଚାପ ପକାଇଥିବା ନେଇ ସେ ଆଦୌ ଜାଣନ୍ତି ନାହିଁ ବୋଲି ଆଜି ଫ୍ରାନ୍‌ସୁଆ କହିଛନ୍ତି।

ସମ୍ବନ୍ଧିତ ଖବର