ଧୋଇଯିବ ବଜେଟ୍‌ ଅଧିବେଶନ

ନୂଆଦିଲ୍ଲୀ: ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ଦିନଠାରୁ ସଂସଦର ଉଭୟ ଗୃହରେ ଅଚଳାବସ୍ଥା ଲାଗି ରହିଛି। ଆଜି ପର୍ଯ୍ୟନ୍ତ ଲଗାତାର ୧୭ଟି କାର୍ଯ୍ୟଦିବସ ବରବାଦ ହେବା ପରେ ଅଧିବେଶନର ଏହି ପର୍ଯ୍ୟାୟରେ ଆଉ ମାତ୍ର ୫ଟି କାର୍ଯ୍ୟଦିବସ ବାକି ରହିଛି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସୋମବାର ଯାଏଁ ଉଭୟ ଗୃହକୁ ମୁଲତବୀ ଘୋଷଣା କରାଯାଇଛି। ସେପଟେ ବିରୋଧୀ ଦଳ କେନ୍ଦ୍ରର ଏନ୍‌ଡିଏ ସରକାରଙ୍କ ବିରୋଧରେ ଆଣିଥିବା ଅନାସ୍ଥା ପ୍ରସ୍ତାବ ନୋଟିସ୍‌କୁ ନେଇ ଏଯାଏଁ ଆଲୋଚନା ହୋଇପାରି ନାହିଁ। ଫଳରେ ଅନାସ୍ଥା ପ୍ରସ୍ତାବର ଭବିଷ୍ୟତ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଆଜି ଲୋକସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବାକ୍ଷଣି ବିରୋଧୀ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବ ନୋଟିସ୍‌ ଉପରେ ଆଲୋଚନା ପାଇଁ ଦାବି ହୋଇଥିଲା। ମାତ୍ର ଏଆଇଏଡିଏମ୍‌କେ ଓ ଟିଆର୍‌ଏସ୍‌ ସାଂସଦ ଚିରାଚରିତ ଢଙ୍ଗରେ ଗୃହର ମଧ୍ୟଭାଗକୁ ଆସି ସ୍ଳୋଗାନ୍‌ ଦେବା ପରେ ବାଚସ୍ପତି ସୁମିତ୍ରା ମହାଜନ ମଧ୍ୟାହ୍ନ ୧୨ଟାଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ୧୨ଟାରେ ବାଚସ୍ପତି ଗୃହକୁ ଆସିବା ମାତ୍ରେ ବିରୋଧୀ ଦଳଗୁଡ଼ିକ ହଟ୍ଟଗୋଳ ଆରମ୍ଭ କରିଦେବାରୁ ଆସନ୍ତା ସୋମବାର ଯାଏଁ ଲୋକସଭାକୁ ମୁଲତବୀ ଘୋଷଣା କରିଦିଆଯାଇଥିଲା। ଅପରପକ୍ଷେ ରାଜ୍ୟସଭାରେ ଆଜି ଭିନ୍ନ ପରିସ୍ଥିତି ଦେଖିବାକୁ ମିଳିଥିଲା। ୪୦ ଜଣ ସାଂସଦ ଅବସର ନେଇଥିବାରୁ ସେମାନଙ୍କ ବିଦାୟକାଳୀନ ଭାଷଣ ଯୋଗୁଁ ଆଜି ରାଜ୍ୟସଭା ଶାନ୍ତ ରହିଥିଲା। ଉପସଭାପତି ପିଜେ କୁରିୟନ୍‌ ତାଙ୍କ ଭାଷଣ ଦେବା ସହ ଗୃହରେ ଶାନ୍ତି ସ୍ଥାପନ କରିବାକୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଉଦ୍‌୍‌ବୋଧନ ଦେଇଥିଲେ।

ରାଜ୍ୟସଭାରେ ବିଦାୟୀ ସାଂସଦଙ୍କୁ ସମ୍ବର୍ଦ୍ଧନା
ଦିଲ୍ଲୀପଙ୍କ ଅନୁପସ୍ଥିତି ଅନୁଭୂତ ହେବ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଆଜି ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଅବସର ନେଉଥିବା ୪୦ଜଣ ରାଜ୍ୟସଭା ସାଂସଦଙ୍କ ପାଇଁ ବିଦାୟୀ ସଭାର ଆୟୋଜନ କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏପ୍ରିଲ ୩ ତାରିଖରେ ଅବସର ନେବାକୁ ଥିବା ବିଜେଡି ସାଂସଦ ଦିଲ୍ଲୀପ ତିର୍କୀଙ୍କ ସମ୍ପର୍କରେ ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ଦେଶର ଦୁଇ ମହାନ୍‌ ଖେଳାଳୀ ଦିଲ୍ଲୀପ ତିର୍କୀ ଓ ସଚ୍ଚିନ୍‌ ତେନ୍ଦୁଲକରଙ୍କ ପାଇଁ ଦେଶ ଗର୍ବ ଅନୁଭବ କରୁଥିବା ବେଳେ ସେମାନଙ୍କୁ ଆଉ ସଂସଦରେ ଦେଖିବାକୁ ମିଳିବ ନାହିଁ। ସେମାନଙ୍କ ଅନୁପସ୍ଥିତି ସଂସଦରେ ଅନୁଭୂତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଅନ୍ତର୍ଜାତୀୟ ସଂସଦୀୟ ସଂଘ ସମ୍ମିଳନୀରେ ଭାରତୀୟ ପ୍ରତିନିଧିଭାବେ ଯୋଗ ଦେବାକୁ ସୁଇଜରଲ୍ୟାଣ୍ଡର ଜେନିଭା ଯାଇଥିବାରୁ ସାଂସଦ ତିର୍କୀ ଆଜି ରାଜ୍ୟସଭାରେ ଉପସ୍ଥିତ ରହିପାରିନଥିଲେ। ଅନ୍ୟ ଦୁଇ ଜଣ ଅବସର ନେଉଥିବା ସାଂସଦ ଅନଙ୍ଗ ଉଦୟ ସିଂ ଦେଓ ଏବଂ ଏ.ଭି.ସ୍ୱାମୀ ବିଦାୟକାଳୀନ ଭାଷଣ ଦେଇଥିଲେ। ରାଜ୍ୟସଭା ସାଂସଦ ଭାବେ ସଂସଦରେ ପହଞ୍ଚିପାରିଥିବାରୁ ସେ ଖୁବ୍‌ ଆନନ୍ଦିତ ବୋଲି ସିଂ ଦେଓ କହିଥିଲେ। ସ୍ୱର୍ଗତ ବିଜୁ ପଟ୍ଟନାୟକ ଭାରତ ରତ୍ନ ପାଇବାର ହକ୍‌ଦାର ବୋଲି ସେ କହିଥିଲେ। ସେହିଭଳି ଅନ୍ୟତମ ସାଂସଦ ଏ.ଭି.ସ୍ୱାମୀ କହିଥିଲେ ଯେ, କୌଣସି ଦଳକୁ ପ୍ରତିନିଧିତ୍ୱ ନକରି ମଧ୍ୟ ରାଜ୍ୟସଭାକୁ ଆସିଥିବାରୁ ସେ ଗର୍ବିତ।

ସମ୍ବନ୍ଧିତ ଖବର