ଚୀନ ଖାଲି ଡରଉଛି, କିଛି କରିବନି : ବାଇଡେନ

ଓ୍ବାସିଂଟନ : ଆମେରିକା ନିମ୍ନ ସଦନର ସଭାପତି ମାନସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ପରେ ଚୀନ ରକ୍ତମୁଖା ହୋଇ ତାଇଓ୍ବାନ ଚାରିପଟେ ଭୟଙ୍କର ଯୁଦ୍ଧାଭ୍ୟାସ ଚଳାଇଛି । ଏପରି ଲାଗୁଛି ଯେକୌଣସି ସମୟରେ ତାଇଓ୍ବାନ ଉପରେ ଆକ୍ରମଣ କରିପାରେ । ଏହାକୁ ନେଇ ତାଇଓ୍ବାନ ମଧ୍ୟ ନିଜ ସେନାକୁ ପ୍ରସ୍ତୁତ ରଖିଛି ।

ଏହି ସମୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକ ବଡ଼ ବୟାନ ଦେଇଛନ୍ତି । ସେ ଏପରି ଏକ ବୟାନ ଦେଇଛନ୍ତି ଯାହାକୁ ଶୁଣିବା ପରେ ଚୀନ ଆହୁରି ବିରକ୍ତ ହେବାର ଆଶଙ୍କା ରହିଛି । ସେ କହିଛନ୍ତି,ଚୀନ ଖାଲି ଅଭ୍ୟାସ କରିବା ଛଡ଼ା ଆଉ କିଛି କରିବନି ।

ଓ୍ବାସିଂଟନର ଡୋଭର ଏୟାରଫୋର୍ସ ବେସଠାରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି ଯେ ଚୀନର ସମରାଭ୍ୟାସକୁ ନେଇ ସେ ଚିନ୍ତିତ ନୁହନ୍ତି । ଏହାଠାରୁ ଅଧିକ ଆଉକିଛି ଚୀନ କରିବ ନାହିଁ ।

ଅଗଷ୍ଟ ୨ରେ ହୋଇଥିବା ପେଲୋସିଙ୍କ ତାଇଓ୍ବାନ ଗସ୍ତର ଦୁଇଦିନ ପରେ ଚୀନ ତାଇଓ୍ବାନକୁ ଘେରି ସମୁଦ୍ରରେ ଏକ ବୃହତ ସମରାଭ୍ୟାସ କରିଥିଲା । ଏହି ସମରାଭ୍ୟାସ ବେଳେ ଚୀନର ୬୮ଟି ଚୀନ ଯୁଦ୍ଧବିମାନ ଓ ୧୩ଟି ଯୁଦ୍ଧ ଜାହାଜ ତାଇଓ୍ବାନ ପ୍ରଣାଳୀ ( ଚୀନ ଓ ତାଇଓ୍ବାନ ମଧ୍ୟରେ ଥିବା ସାମୁଦ୍ରିକ ଅଂଚଳ)ର ମଧ୍ୟରେଖା ଅତିକ୍ରମ କରିଥିଲେ । ଏପରିକି ଚୀନ ବିମାନଗୁଡ଼ିକ ତାଇଓ୍ବାନ ଉପକୂଳଠାରୁ ୨୦ ମାଇଲ ଦୂର ପର୍ଯ୍ୟନ୍ତ ପଳାଇଆସିଥିଲେ । ଗତ ରବିବାର ଦିନ ଚୀନ ନିଜର ସମରାଭ୍ୟାସ ଶେଷ କରିଥିଲା ।

 

ସମ୍ବନ୍ଧିତ ଖବର