ନୂଆଦିଲ୍ଲୀ: ଗୁଜରାଟ ଜିଲ୍ଲା ଜଜ୍‌ଙ୍କ ପଦୋନ୍ନତି ଓ ନିଯୁକ୍ତିକୁ ନେଇ ଶୁଣାଣି ସମୟରେ ଜଷ୍ଟିସ୍ ଏମ୍‌ଆର୍‌ ଶାହ ଓ ବରିଷ୍ଠ ଓକିଲ ଦୁଷ୍ୟନ୍ତ ଡାଭେଙ୍କ ମଧ୍ୟରେ ସୋମବାର ସୁପ୍ରିମ୍‌କୋର୍ଟର କୋର୍ଟରୁମ୍-୪ରେ ଉଚ୍ଚବାଚ ହେବା ଦେଖାଯାଇଥିଲା। ଜଷ୍ଟିସ୍ ଶାହ ଓ ସିଟି ରବିକୁମାରଙ୍କ ବେଞ୍ଚକୁ ଡାଭେ ପ୍ରଶ୍ନ କରିଥିଲେ, ଯେତେବେଳେ ଅନ୍ୟ ଏକ ବେଞ୍ଚରେ (ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ) ଏଭଳି ପଦୋନ୍ନତି, ଚାକିରି ସର୍ତ୍ତାବଳି ଓ ନିଯୁକ୍ତି ନେଇ ଅଲ୍ ଇଣ୍ଡିଆ ଜଜେସ୍ ଆସୋସିଏସନର ଏକ ମାମଲା ଉପରେ ଶୁଣାଣି ଚାଲିଛି, ସେତେବେଳେ ଆପଣ ମାମଲାର ଫଇସଲା କରିଦେବା ପାଇଁ ଏତେ ବ୍ୟଗ୍ର କାହିଁକି?

Advertisment

ଜଷ୍ଟିସ୍ ଶାହ କହିଥିଲେ, ମୋ କ୍ୟାରିୟରର ଶେଷ ପର୍ଯ୍ୟାୟରେ ମୋତେ ଆପଣଙ୍କ ବିଷୟରେ କିଛି କହିବାକୁ ବାଧ୍ୟ କରନ୍ତୁନାହିଁ। ମେରିଟ୍ ଅନୁଯାୟୀ ଯୁକ୍ତି କରନ୍ତୁ। ଡାଭେ ଉତ୍ତର ଦେଇଥିଲେ, ମୋତେ ଧମକାଅନ୍ତୁନି, ମୁଁ ମୋର ଯୁକ୍ତି ହିଁ ଉପସ୍ଥାପନ କରୁଛି। ଏକ ଘରୋଇ ପକ୍ଷ ପକ୍ଷରୁ ଡାଭେ ତାଙ୍କର ଯୁକ୍ତି ବାଢ଼ୁଥିଲେ। ବରିଷ୍ଠତା ଓ ମେରିଟ୍ ଭିତ୍ତିରେ ନିଯୁକ୍ତି ଦେବା ନେଇ ଗୁଜରାଟ ସରକାର ଓ ଗୁଜରାଟ ହାଇକୋର୍ଟଙ୍କ ପଦକ୍ଷେପକୁ ଚ୍ୟାଲେଞ୍ଜ କରି ଜିଲ୍ଲା ଜଜ୍ ପଦବି ପାଇଁ କେତେକ ଆଶୟୀ ଦାଖଲ କରିଥିବା ପିଟିସନ ଉପରେ ଶୁଣାଣି ଚାଲିଥିଲା।

ଦାବି ଅନୁଯାୟୀ ‌ବରିଷ୍ଠତା ଓ ମେରିଟ୍ ନୀତି ସମସ୍ତଙ୍କ କ୍ଷେତ୍ରରେ ଲାଗୁ ହେବା ଉଚିତ। ପିଟିସନରଙ୍କଠାରୁ କମ୍ ମାର୍କ ରଖିଥିବା ‌ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ଏହାକୁ ଚ୍ୟାଲେଞ୍ଜ କରାଯାଇଥିଲା। ଏପ୍ରିଲ ୧୩ ତାରିଖରେ ହାଇକୋର୍ଟ ଓ ରାଜ୍ୟ ସରକାରଙ୍କଠାରୁ ବେଞ୍ଚ ଜବାବ ମାଗିଥିଲେ। କିନ୍ତୁ ଚାରିଦିନ ପରେ ସରକାର ପଦୋନ୍ନତି ତାଲିକା ପ୍ରକାଶ କରିଥିଲେ। ଏହି ତାଲିକାରେ ପଦୋନ୍ନତି ପାଇଥିବା ଜଣେ ବିଚାରପତି ଅଛନ୍ତି, ଯିଏ ରାହୁଲ ଗାନ୍ଧିଙ୍କୁ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ।

କୋର୍ଟ କହିଥିଲେ, ରାଜ୍ୟ ସରକାର ଯେପରି ତରବରିଆ ଭାବେ ଏପ୍ରିଲ ୧୮ରେ ପଦୋନ୍ନତି ତାଲିକା ପ୍ରକାଶ କରିଛନ୍ତି ତାହା ପ୍ରଶଂସାଯୋଗ୍ୟ ନୁହେଁ। ୨୦୨୨ ପାଇଁ ତାଲିକା ପ୍ରକାଶ ପାଇଥିବାରୁ ଏଥିରେ ଏତେ ତରବର ହେବାର ଆବଶ୍ୟକତା ନ ଥିଲା। କେ‌ଉଁ ନୀତି ଅନୁଯାୟୀ ଏଭଳି ପଦୋନ୍ନତି ଦିଆଯାଇଛି, ତାହା ଉପରେ ସ୍ପଷ୍ଟୀକରଣ ଦେବା ପାଇଁ କୋର୍ଟ ସମ୍ପୃକ୍ତ ଶାସନ ସଚିବ ଏବଂ ହାଇକୋର୍ଟଙ୍କୁ ଜବାବ ରଖିବାକୁ କହିଥିଲେ। ମେ ପହିଲାରେ ରାଜ୍ୟ ସରକାର ଉତ୍ତର ଦେଇଥିଲେ ଯେ, ତାଲିକା ପ୍ରସ୍ତୁତ କରିବାରେ କୌଣସି ନିୟମର ଉଲ୍ଲଂଘନ କରାଯାଇ ନାହିଁ ଏବଂ କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶାବଳି ଅନୁଯାୟୀ ଏହା କରାଯାଇଛି। କୋର୍ଟ ଆଜି ଏହି ମାମଲାର ଶୁଣାଣି କରିବା ପରେ ଅନ୍ତରୀଣ ଆଦେଶକୁ ସଂରକ୍ଷିତ ରଖିଛନ୍ତି। ଆସନ୍ତା ମେ ୧୫ ତାରିଖ ହେଉଛି ଜଷ୍ଟିସ ଶାହଙ୍କ ଶେଷ କାର୍ଯ୍ୟ ଦିବସ।