‘ଆମକୁ ହେୟଜ୍ଞାନ କରନି’ ତାଇଓ୍ବାନ ପ୍ରସଙ୍ଗରେ ଆମେରିକାକୁ ଚୀନର ଚେତାବନୀ

ବେଜିଂ : ତାଇଓ୍ବାନ ପ୍ରସଙ୍ଗରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଆମେରିକା ଓ ଚୀନ । ତାଇଓ୍ବାନକୁ ଅଧିକାର କରିବାକୁ ଚୀନ ଉଦ୍ୟମ କଲେ ଆମେରିକା ତାହାର ପ୍ରତିରୋଧ କରିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଇଥିବା ବୟାନର ତୀବ୍ର ବିରୋଧ କରିଛି ଚୀନ । ଚୀନକୁ ହେୟଜ୍ଞାନ କରିବାର ଭୁଲ  କରାଯିବା ଉଚିତ ନୁହେଁ ବୋଲି ଚୀନ କହିଛି ।

ବାଇଡେନର ବୟାନର ଜବାବ ଦେଇ ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ ୟାଙ୍ଗ ଇ କହିଛନ୍ତି ଯେ, ଚୀନ ନିଜର ସାର୍ବଭୌମତ୍ବ ଓ ଅଖଣ୍ଡତାକୁ ନେଇ କୌଣସି ସାଲିସ କରିବ ନାହିଁ । ଚୀନ ଲୋକଙ୍କ ପ୍ରତିବଦ୍ଧତାକୁ ନେଇ କୌଣସି ଦେଶ ହେୟଜ୍ଞାନ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

ଏହା ପୂର୍ବରୁ ବାଇଡେନ କହିଥିଲେ ଯେ ଚୀନ ଯଦି ତାଇଓ୍ବାନକୁ ଅଧିକାର କରିବାକୁ ଉଦ୍ୟମ କରେ ତେବେ ଆମେରିକାର ସେନା ତାଇଓ୍ବାନ ସେନାକୁ ସହାୟତା କରିବ ।

ସୂଚନାଯୋଗ୍ୟ ଯେ, ୟୁକ୍ରେନ ଉପରେ ରୁଷର ଆକ୍ରମଣରେ ଅନୁପ୍ରାଣିତ ହୋଇ ଚୀନ ମଧ୍ୟ ତାଇଓ୍ବାନ ଉପରେ ଆକ୍ରମଣ କରିପାରେ ବୋଲି କେତେକ ବିଶେଷଜ୍ଞ ମନେ କରୁଛନ୍ତି । ସାମ୍ରାଜ୍ୟବାଦୀ ଚୀନ କ୍ଷୁଦ୍ର ଦ୍ୱୀପ ଦେଶ ତାଇଓ୍ଵାନକୁ ନିଜର ଅଂଶ ବୋଲି ଦାବି କରୁଛି ଓ ଦିନେ ନା ଦିନେ ଏହାକୁ ଅଧିକାର କରିବାକୁ ସ୍ୱପ୍ନ ଦେଖୁଛି । ନିକଟରେ ଚୀନର ଯୁଦ୍ଧ ବିମାନ ତାଇଓ୍ବାନ ବାୟୁସୀମା ଅତିକ୍ରମ କରିବା ପରେ ଏହି ଆଶଙ୍କା ବଢିଯାଇଛି ।

 

 

ସମ୍ବନ୍ଧିତ ଖବର