ଭାରତ ଓ ଆମେରିକାର ମିଳିତ ଆହ୍ୱାନ: ଆଫଗାନ ମାଟିକୁ ତାଲିବାନ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର ନ କରୁ

ୱାସିଂଟନ୍ : ଆଫଗାନିସ୍ତାନକୁ ଆତଙ୍କବାଦୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ଭାବରେ ବ୍ୟବହାର ନକରିବାକୁ ତାଲିବାନକୁ ଭାରତ ଏବଂ ଆମେରିକା ମିଳିତ ଆହ୍ୱାନ ଦେଇଛନ୍ତି। ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ଅଲ୍-କାଏଦା, ଆଇଏସଆଇଏସ, ଲସ୍କର୍-ଏ-ତୋଏବା ଏବଂ ଜୈସ-ଏ-ମହମ୍ମଦ୍ ଭଳି ସମସ୍ତ ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ ମିଳିତ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି। ଆମେରିକା-ଭାରତ ବିସ୍ତୃତ ଗ୍ଲୋବାଲ୍ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଅଧୀନରେ ଆତଙ୍କବାଦ ବିରୋଧୀ ସହଯୋଗକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ସୂଚାଇ ଉଭୟ ପକ୍ଷ ଆଇନ ଶୃଙ୍ଖଳା, ସୂଚନା ବାଣ୍ଟିବା ଏବଂ ଆତଙ୍କବାଦ ବିରୋଧୀ ରଣନୀତି ଉପରେ ସହଯୋଗକୁ ଆହୁରି ବିସ୍ତାର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଅକ୍ଟୋବର ୨୬ ଏବଂ ୨୭ରେ ହୋଇଥିବା ଦୁଇ ଦିନିଆ ବୈଠକ ବେଳେ ଆମେରିକା ଆତଙ୍କବାଦ ବିରୋଧରେ ତଥା ଭାରତ ସରକାରଙ୍କ ସହ ମିଶି ରହିବାକୁ ପ୍ରତିଶ୍ରୁତି ଦେଇଛି। ଆଫଗାନିସ୍ତାନକୁ ବିନାଶର ପଥରେ ଯିବାକୁ ରୋକିବାକୁ ପଡ଼ିବ ଏବଂ ସେଠାରୁ ଆସୁଥିବା ଆତଙ୍କବାଦୀ ଆକ୍ରମଣ ଧମକ ଉପରେ ଉଭୟ ପକ୍ଷ ପରାମର୍ଶ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଆତଙ୍କବାଦୀ ନେଟୱର୍କ ଏବଂ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ନେଟୱର୍କ ଉପରେ ମଧ୍ୟ ଭାରତ-ଆମେରିକାର ସତର୍କ ନଜର ରହିଛି। ଏବେ ତାଲିବାନ ନେତାମାନେ ଆଫଗାନ୍‌ ମାଟିକୁ ଆତଙ୍କବାଦୀ କାର୍ଯ୍ୟକଳାପର ମୁଖ୍ୟ କେନ୍ଦ୍ର ଭାବେ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ ଏବଂ ସମସ୍ତଙ୍କର ଆସ୍ଥାଭାଜନ ହେବାଭଳି ସରକାର ଗଠନ ପାଇଁ ପ୍ରୟାସ କରନ୍ତୁ ବୋଲି ଭାରତ ଓ ଆମେରିକା ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର