ୱାସିଂଟନ: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ବିସ୍ମୟ ସୃଷ୍ଟିକାରୀ ବୟାନ ଦେଇଛନ୍ତି । ଗୁରୁବାର କତରରେ ଆମେରିକୀୟ ସୈନ୍ୟମାନଙ୍କୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି, ‘ମୁଁ ଏହା କହିବାକୁ ଚାହୁନାହିଁ ଯେ ମୁଁ ଭାରତ-ପାକ୍ ଅସ୍ତ୍ରବିରତି କରାଇଥିଲି, କିନ୍ତୁ ଭାରତ-ପାକିସ୍ତାନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ ମୁଁ ସାହାଯ୍ୟ କରିଥିଲି। ପରିସ୍ଥିତି ଖରାପ ହେଉଥିଲା ଏବଂ ଉଭୟ ପକ୍ଷରୁ ଯେ କୌଣସି ସମୟରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥାନ୍ତା। ଆମେ ଏହାକୁ ଶାନ୍ତ କରିଥିଲୁ। ଭାରତର ଆପତ୍ତି ପରେ ଟ୍ରମ୍ପ ମଧ୍ୟସ୍ଥତା ଦାବି ନେଇ ପୂର୍ବରୁ ଦେଇଥିବା ବୟାନରୁ ଏବେ ଓହରିଛନ୍ତି।
ଟ୍ରମ୍ପ ଦାବି କରିଛନ୍ତି ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଯେତେବେଳେ ଭାରତ ‘ଅପରେସନ ସିନ୍ଦୂର’ ଆରମ୍ଭ କରିଥିଲା, ସେତେବେଳେ ମାମଲା ଯୁଦ୍ଧ ଆଡ଼କୁ ଗତି କରୁଥିଲା। କିନ୍ତୁ ଆମେରିକାର ପ୍ରୟାସ ଯୋଗୁଁ ମେ ୧୦ ତାରିଖରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା। ଅନ୍ୟପକ୍ଷରେ ଭାରତ ଟ୍ରମ୍ପଙ୍କ ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପାକିସ୍ତାନର ଡିଜିଏମ୍ଓଙ୍କ ଅନୁରୋଧରେ ଅସ୍ତ୍ରବିରତି ଆଲୋଚନା ହୋଇଥିଲା ଏବଂ ଏଥିପାଇଁ ସହମତି ପ୍ରକାଶ ପାଇଥିଲା। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ କହିଛନ୍ତି, ‘ଭାରତ-ପାକିସ୍ତାନ ସମ୍ପର୍କ ସମ୍ପୂର୍ଣ୍ଣ ଦ୍ୱିପାକ୍ଷିକ ଏବଂ ଏଥିରେ ତୃତୀୟ ପକ୍ଷର କୌଣସି ଭୂମିକା ନାହିଁ। ଭାରତର ଏହି ଆଭିମୁଖ୍ୟ ବର୍ଷ ବର୍ଷ ଧରି ସ୍ପଷ୍ଟ ରହିଛି।’