ନୂଆଦିଲ୍ଲୀ: ଜୁନ୍ ମାସରେ ଅହମଦାବାଦରେ ଏୟାର୍ ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମ୍ଲାଇନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ୨୬୦ ଜଣଙ୍କ ଜୀବନ ଯାଇଥିଲା। ବିମାନର ପାଇଲଟ୍-ଇନ୍-କମାଣ୍ଡ ସ୍ୱର୍ଗତ କ୍ୟାପଟେନ୍ ସୁମିତ ସଭରୱାଲଙ୍କ ପିତାଙ୍କୁ ଶୁକ୍ରବାର ସୁପ୍ରିମ୍କୋର୍ଟ ଆଶ୍ବସ୍ତି ପ୍ରଦାନ କରି କହିଛନ୍ତି ଯେ, ଏଥିରେ ତାଙ୍କ ପୁଅର ଦୋଷ ଅଛି ବୋଲି ଦେଶର କୌଣସି ଲୋକ ବିଶ୍ବାସ କରୁ ନାହାନ୍ତି। ତେଣୁ ତାଙ୍କର ଚିନ୍ତା କରିବାର କୌଣସି କାରଣ ନାହିଁ।
ସୁପ୍ରିମ୍କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତଦାରଖରେ ଏହି ଦୁର୍ଘଟଣାର ନିରପେକ୍ଷ ଓ ବୈଷୟିକ ତଦନ୍ତ ଦାବି କରିଥିବା ୯୧ ବର୍ଷୀୟ ପୁଷ୍କର ସଭରୱାଲଙ୍କ ଆବେଦନର ଶୁଣାଣି ବେଳେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମନ୍ତବ୍ୟ ଦେଇଛନ୍ତି। ସମବେଦନା ଜଣାଇ ଖଣ୍ଡପୀଠ ଆବେଦନକାରୀଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଏହି ଦୁଃଖଦ ଘଟଣା ପାଇଁ ତାଙ୍କ ପୁଅକୁ ଦାୟୀ କରାଯାଉ ନାହିଁ। ଜଷ୍ଟିସ୍ ବାଗଚୀ ଆହୁରି କହିଛନ୍ତି ଯେ ପାଇଲଟଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ନାହିଁ। ଅନୁସନ୍ଧାନ ରିପୋର୍ଟରେ କେବଳ ଦୁଇ ପାଇଲଟଙ୍କ ମଧ୍ୟରେ କଥାବାର୍ତ୍ତା ରେକର୍ଡ କରାଯାଇଛି, ଏହା କାହାକୁ ଦୋଷ ଦେଇନାହିଁ।
ବରିଷ୍ଠ ଓକିଲ ଗୋପାଳ ଶଙ୍କରନାରାୟଣଙ୍କ ମାଧ୍ୟମରେ ଆବେଦନକାରୀ ଯୁକ୍ତି ଦର୍ଶାଇଥିଲେ ଯେ, କେବଳ ପ୍ରାଥମିକ ତଦନ୍ତ କରାଯାଇଥିଲା, ଯେତେବେଳେ ଏକ ପୂର୍ଣ୍ଣ ଓ ନିରପେକ୍ଷ ତଦନ୍ତ ଆବଶ୍ୟକ। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି, ଯାହା ପାଇଲଟ୍ ତ୍ରୁଟି ବିଷୟରେ ସୂଚନା ଦେବା ପାଇଁ ଅଜ୍ଞାତ ଭାରତୀୟ ସୂତ୍ର ଉପରେ ନିର୍ଭର କରିଛି। ଜଷ୍ଟିସ୍ ବାଗଚୀ ଏହାର ଜବାବରେ କହିଛନ୍ତି, ତେବେ ଆପଣଙ୍କ ମକଦ୍ଦମା ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ବିରୋଧରେ ହେବା ଉଚିତ। ଏହି ଆବେଦନ ଉପରେ ଜବାବ ମାଗି ସୁପ୍ରିମ୍କୋର୍ଟ କେନ୍ଦ୍ର, ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏବଂ ଅନ୍ୟ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଆବେଦନକାରୀଙ୍କୁ କହିଛନ୍ତି ଯେ ଦୁଃଖଦ ଘଟଣାର କାରଣ ଯାହା ହେଉନା କାହିଁକି, ପାଇଲଟ୍ ଏହାର କାରଣ ନୁହନ୍ତି। ନଭେମ୍ବର ୧୦ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/08/untitled-10-2025-11-08-07-14-54.jpg)