ବିଶିଷ୍ଟ ଅଙ୍କତତ୍ତ୍ୱବିତ୍‌ଙ୍କ ଭବିଷ୍ୟବାଣୀ: ସପ୍ତାହକ ପରେ ପ୍ରଳୟ!

୭ ବର୍ଷ ଧରି ଚାଲିବ ସଂହାର ଲୀଳା

ନୂଆଦିଲ୍ଲୀ : ଆସୁଛି ପ୍ରଳୟ! ଆଉ ମାତ୍ର ସପ୍ତାହକ ପରେ ଆରମ୍ଭ ହୋଇଯିବ ପୃଥିବୀରେ ଧ୍ୱଂସଲୀଳା। ଅନ୍ତରୀକ୍ଷରେ ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ରହସ୍ୟମୟ ଅଜଣା ଗ୍ରହ ‘ଏକ୍ସ’ ବା ନିବୁରୁ ପ୍ରଭାବରେ ଦୀର୍ଘ ୭ ବର୍ଷ ଧରି ବାତ୍ୟା, ଝଡ଼, ଭୂମିକମ୍ପ, ସୁନାମି, ଆଗ୍ନେୟ ଉଦ୍‌ଗୀରଣ ଭଳି ପ୍ରାକୃତିକ ଦୁର୍ବିପାକ ଲାଗି ରହିବ। ପରିଣତି ସ୍ୱରୂପ ପୃଥିବୀରୁ ଜୀବଜଗତ ଲୋପ ପାଇଯିବ। ଶେଷରେ ନିବୁରୁ ଧକ୍କାରେ ସାରା ପୃଥିବୀ ନିଶ୍ଚିହ୍ନ ହୋଇଯିବ। ବିଶିଷ୍ଟ ଅଙ୍କ ତତ୍ତ୍ୱବିତ୍‌ ଡେଭ୍‌ ମିୟଡ୍‌ ଦାବି କରିଥିବା ଏପରି ଭବିଷ୍ୟବାଣୀରେ ସାରା ବିଶ୍ୱ ଏବେ ଆତଙ୍କିତ।

ଏପରି ସଂଖ୍ୟା ବିଶେଷଜ୍ଞଙ୍କ ସତର୍କବାଣୀରେ ପୃଥିବୀବାସୀ କେତେ କ୍ଷୟକ୍ଷତିର ସାମନା କରିଛନ୍ତି, ତାହା ପଛକଥା; ମାତ୍ର ଏଭଳି ଭବିଷ୍ୟବାଣୀ ଯେ ବାସ୍ତବ ରୂପ ନନେବ ତାହା ମଧ୍ୟ କେହି ନିଶ୍ଚିତ କରିପାରୁନାହାନ୍ତି। ଫଳରେ ଅନିଶ୍ଚିତ ଦୁର୍ବିପାକ ସମୂହର ଆଶୁ ଆବିର୍ଭାବ ଆଶଙ୍କାରେ ଆମକୁ ସାମୟିକ ଭାବେ ତ୍ରସ୍ତ ହେବାକୁ ପଡୁଛି। ମିୟଡ୍‌ଙ୍କର ଏଭଳି ଭବିଷ୍ୟବାଣୀ ଗତ ମାସ ୨୩ ତାରିଖରେ ସଂଘଟିତ ହେବ ବୋଲି ପୂର୍ବରୁ ଛାଇଯାଇଥିବା ଏକ ଗୁଜବ ବିଶ୍ୱ ସମୁଦାୟକୁ ଆତଙ୍କିତ କରିଦେଇଥିଲା। ତାହା ପୂର୍ବରୁ ଗତବର୍ଷ ଡିସେମ୍ବର ମାସରେ ମଧ୍ୟ ଏଭଳି ଧ୍ୱଂସଲୀଳା ଆରମ୍ଭ ହୋଇଯିବ ବୋଲି କେତେକ ଗଣନାକାରୀ ଅନୁମାନ ଲଗାଇଥିଲେ। ତେବେ କୌଣସି ଥର ବି ସେମିତି କିଛି ପ୍ରଭାବ ଜଣାପଡ଼ିନାହିଁ। ତେବେ ସମ୍ପ୍ରତି କିଛି ସୁପ୍ତ ଆଗ୍ନୟଗିରି କ୍ରିୟାଶୀଳ ହେବା ସାଙ୍ଗକୁ ମହାକାଶରେ ଏକ ନୂତନ ଗ୍ରହ ଠାବ ହେବା ଏବଂ ପୃଥିବୀର ବିଭିନ୍ନ କୋଣରେ ଲଗାତର ଭୂମିକମ୍ପ ହେବା ପରି ଘଟଣା ଏପରି ଅନୁମାନକୁ କିଛି ମାତ୍ରାରେ ଗ୍ରହଣ କରିବାକୁ ଖୋରାକ ଯୋଗାଇଛି।

ତେବେ ଏଥର ଆସନ୍ତା ୧୫ ତାରିଖରୁ ଏହି ଧ୍ୱଂସ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମିୟଡ୍‌ ଜୋର୍‌ କରି କହିଛନ୍ତି। ଆନ୍ତର୍ଜାତିକ ଲୋକପ୍ରିୟ ପତ୍ରିକା ‘ମିରର୍‌’ରେ ପ୍ରକାଶିତ ଏକ ଆଲେଖ୍ୟ ଅନୁଯାୟୀ, ରହସ୍ୟମୟ ନିବୁରୁ ଗ୍ରହ ପୃଥିବୀ ଅତିକ୍ରମ କରିବା ଥୟ ବୋଲି ମିୟଡ୍‌ କହିଛନ୍ତି। ଏହାର ପ୍ରଭାବରେ ଆଗ୍ନେୟ ଉଦ୍‌ଗୀରଣ ସମେତ ବିଭିନ୍ନ ପ୍ରକୃତିକ ଦୁର୍ବିପାକ ହେବାଟା ମଧ୍ୟ ଅବଶ୍ୟମ୍ଭାବୀ। ସମ୍ପ୍ରତି ମେକ୍ସିକୋରେ ଦେଖାଦେଇଥିବା ଭୂମିକମ୍ପ, ଟେକ୍ସାସରେ ବନ୍ୟା ଏବଂ ଫ୍ଲୋରିଡ଼ା ଓ କିରିବିଅନ୍‌ରେ ଝଡ଼ ଆଦି ନିବୁରୁର ପ୍ରଭାବ ବୋଲି ମିୟଡ୍‌ ଦାବି କରିଛନ୍ତି। ଗତ ଅଗଷ୍ଟ ୨୧ରେ ଆମେରିକାରେ ସଂଘଟିତ ବୃହତ୍‌ ସୂର୍ଯ୍ୟପରାଗ ହିଁ ଏହି ପ୍ରକ୍ରିୟାର ସୂଚନା ଆଣିଛି। ଏପରିକି ଆମେରିକା, ବ୍ରିଟେନ୍‌, ଋଷିଆ, ଚୀନ୍‌ , ଇରାନ ଓ ଉତ୍ତର କୋରିଆ ମଧ୍ୟରେ ପରମାଣୁ ଅସ୍ତ୍ର ପ୍ରୟୋଗ ମଧ୍ୟ ଏହାର ଅଂଶବିଶେଷ ବୋଲି ମିୟଡ୍‌ କହିଛନ୍ତି। ଏଭଳି ସଂହାର ଲୀଳା ଜାରି ରହିବା ଅବସରରେ ‘ଏକ୍ସ’ ଗ୍ରହ ସହ ସଂଶ୍ଲିଷ୍ଟ ୩ କିମି. ବ୍ୟାସ ବିଶିଷ୍ଟ ‘ଓ୍ଵାର୍ମଉଡ୍‌’ ନାମକ କ୍ଷୁଦ୍ର ଗ୍ରହ ଖୁବ୍‌ ଜୋର୍‌ରେ ଆସି ପୃଥିବୀ ସହ ପିଟି ହେବ ଏବଂ ପରିଣତି ଅକଳ୍ପନୀୟ ରହିବ। ତେବେ ମିୟଡ୍‌ଙ୍କର ଏଭଳି ଦାବି ଏବଂ ଭବିଷ୍ୟବାଣୀକୁ ଗଣମାଧ୍ୟମ ଗୁଜବ ବୋଲି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା କହିଛି।

ସମ୍ବନ୍ଧିତ ଖବର