ନୂଆଦିଲ୍ଲୀ: ଆନ୍ଦୋଳନରତ ଚାଷୀମାନଙ୍କ ଦାବି ନେଇ ସରକାର ଦେଇଥିବା ପ୍ରସ୍ତାବ ଏବେ ବି ବଳବତ୍ତର ରହିଛି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ତେବେ ସେହି ସବୁ ପ୍ରସ୍ତାବ ସମ୍ପର୍କରେ ବିଭିନ୍ନ ଦଳର ରାଜନେତାମାନେ ସମସ୍ତଙ୍କୁ ଅବଗତ କରାଇବା ଜରୁରୀ ବୋଲି ସେ ଆଶା ପୋଷଣ କରିଛନ୍ତି। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଦେଇଥିବା ପ୍ରସ୍ତାବ ବିଷୟରେ ଉଲ୍ଲେଖ କରି ଆଜି ପ୍ରଧାନମନ୍ତ୍ରୀ ଏକ ସର୍ବଦଳୀୟ ବୈଠକରେ କହିଥିଲେ ଯେ ଆମେ କୌଣସି ସହମତିରେ ପହଞ୍ଚି ପାରିନଥିଲେ ହେଁ ଚାଷୀମାନଙ୍କୁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଦିଆଯାଇଛି। କୃଷିମନ୍ତ୍ରୀ ତୋମରଙ୍କ ସହ ଚାଷୀନେତାଙ୍କ ଆଲୋଚନା କେବଳ ଗୋଟିଏ ଫୋନ୍‌ କଲ ଦୂରତାରେ ଅଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Advertisment

ଆପଣମାନେ ଏ ବିଷୟରେ ନିଜ ଅନୁଗାମୀମାନଙ୍କ ସହ ବିଚାରବିମର୍ଶ କରି କହନ୍ତୁ ଏବଂ ଏ ଦିଗରେ ତତ୍କାଳ ପଦକ୍ଷେପ ଆରମ୍ଭ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। କଥାବାର୍ତ୍ତା ମାଧ୍ୟମରେ ହିଁ ସମସ୍ୟାର ସମାଧାନ ବାହାରି ପାରିବ। ସର୍ବୋପରି ଆମ ସମସ୍ତଙ୍କୁ ଦେଶର କଥା ଚିନ୍ତା କରିବାକୁ ହେବ ବୋଲି ମୋଦୀ ସର୍ବଦଳୀୟ ବୈଠକରେ ଆହ୍ବାନ କରିଥିଲେ। ସାଧାରଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରୢାଲିରେ ହୋଇଥିବା ବ୍ୟାପକ ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ମାମଲାରେ ଆଇନ ତା’ ରାସ୍ତାରେ ଯିବ।
ସୂଚନାଯୋଗ୍ୟ, ଗତ ୨୨ ତାରିଖରେ ଆନ୍ଦୋଳନରତ ଚାଷୀମାନଙ୍କ ସହ ସରକାରଙ୍କର ଦଶମ ଥର ଆଲୋଚନା ବେଳେ ନୂତନ କୃଷି ଆଇନତ୍ରୟକୁ ଦେଢ଼ ବର୍ଷ ପାଇଁ ସ୍ଥଗିତ ରଖିବାକୁ କୃଷିମନ୍ତ୍ରୀ ତୋମର ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ମିଳିତ କମିଟି ଗଠନ ନିମନ୍ତେ ମଧ୍ୟ କୁହାଯାଇଥିଲା।