ଗୋଟିଏ ଦିନରେ ଡବଲ୍‌ ରିହାତି : କଂପାନି ଟିକସ ୨୨%କୁ ହ୍ରାସ

ନୂଆଦିଲ୍ଲୀ : ମାନ୍ଦାବସ୍ଥାର ମୁକାବିଲା ଲାଗି କେନ୍ଦ୍ର ସରକାର ଆଜି ଆଉ ଏକ ବଡ଼ ଧରଣର ପଦକ୍ଷେପ ଘୋଷଣା କରିଛନ୍ତି। କଂପାନି ଟିକସକୁ ୩୦%ରୁ ୨୨%କୁ ହ୍ରାସ କରିଛନ୍ତି। ୨୦୧୯ ଅକ୍ଟୋବର ୧ରୁ ସ୍ଥାପନ ହେବାକୁ ଥିବା ନୂଆ ସାମଗ୍ରୀ ଉତ୍ପାଦନକାରୀ ବା ମାନୁଫାକ୍‌ଚରିଂ କଂପାନି ପାଇଁ ଟିକସ ହାର୧୫%କୁ ଧାର୍ଯ୍ୟ କରାଯାଇଛି। ମାନ୍ଦାବସ୍ଥା ପ୍ରଭାବରେ ଦୁର୍ବଳ ହୋଇପଡ଼ିଥିବା କ୍ଷେତ୍ର ବିଶେଷ କରି ଉତ୍ପାଦନକାରୀ କଂପାନୀଗୁଡ଼ିକୁ ଏହା ଦ୍ବାରା ଶକ୍ତି ମିଳିବ। ଅର୍ଥନୀତି ପ୍ରତି ଅଧିକ ଅବଦାନ ରହିଥିବା ଏହି ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ପୁଞ୍ଜିନିବେଶ ପରିମାଣ ବଢ଼ିବ। ୫% ଭଳି ନିମ୍ନ ସ୍ତରକୁ ଖସିଯାଇଥିବା ଅର୍ଥନୈତିକ ଅଭିବୃଦ୍ଧି ତ୍ବରାନ୍ବିତ ହେବ ବୋଲି ଅର୍ଥନୀତି ବି‌ଶେଷଜ୍ଞମାନେ ଆଶା ପ୍ରକାଶ କରିଛନ୍ତି।

କଂପାନି ଟିକସ ହ୍ରାସ ବିଷୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଗୋଆରେ ଏକ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଷ୍ଟକ ବଜାର ନିବେଶକଙ୍କ ଉତ୍ସାହ ବଢ଼ିଯାଇଥିଲା ଏବଂ ବମ୍ବେ ଷ୍ଟକ ବଜାର ସେନ୍‌ସେକ୍ସରେ ୨୧୦୦ ପଏଣ୍ଟ୍‌ ବୃଦ୍ଧି ଘଟିଥିଲା। ଆଜି ଷ୍ଟକ ବଜାରରେ ଜବରଦସ୍ତ କାରବାର ହେବାରୁ ନିବେଶକମାନେ ୭ ଲକ୍ଷ ‌କୋଟି ଟଙ୍କାର ଲାଭ ପାଇଛନ୍ତି। ଗତ ୧୦ ବର୍ଷରେ ପ୍ରଥମ ଥର ଲାଗି ଗୋଟିଏ ଦିନରେ ଏତେ କାରବାର ହୋଇଥିବା କୁହାଯାଉଛି।

ଟିକସ ହ୍ରାସ ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ସମଗ୍ର ଶିଳ୍ପ ଜଗତ ସ୍ବାଗତ କରିଛନ୍ତି।

ସୂଚନାଯୋଗ୍ୟ ଯେ ମାନ୍ଦାବସ୍ଥାର ପ୍ରଭାବ ହଟାଇବା ଲାଗି ଅର୍ଥମନ୍ତ୍ରୀ ସୀତାରମଣଙ୍କ ଏହା ହେଉଛି ପଞ୍ଚମ ବଡ଼ ପଦକ୍ଷେପ। ଏହା ପୂର୍ବରୁ ସେ ଚାରି ଥର ବିଭିନ୍ନ ପ୍ୟାକେଜ୍ ଘୋଷଣା କରିସାରିଛନ୍ତି। ପ୍ରଥମ ପ୍ୟାକେଜ୍ ଭାବେ ବଜେଟ୍‌ରେ ବିଦେଶୀ ନିବେଶକଙ୍କ ଉପରେ ଲଗାଯାଇଥିବା ସର୍‌ଚାର୍ଜକୁ ସେ ପ୍ରତ୍ୟାହାର କରିଥିଲେ। ଏଥି ସହିତ ଗାଡ଼ି ବଜାର ଲାଗି ବିଭିନ୍ନ ପଦକ୍ଷେପ ଘୋଷଣା କରିଥିଲେ। ଦ୍ବିତୀୟ ପଦକ୍ଷେପ ସ୍ବରୂପ ସେ ଦେଶର ୧୦ଟି ସରକାରୀ ବ୍ୟାଙ୍କ ମଧ୍ୟରେ ମିଶ୍ରଣ କରି ୪ଟି ବଡ଼ ବ୍ୟାଙ୍କ ସୃଷ୍ଟି କରାଯିବ ବୋଲି ଘୋଷଣା କରିଥିଲେ। ଏହି ପଦକ୍ଷେପ ପଛର ମୂଳ ଉଦ୍ଦେଶ୍ୟ ଥିଲା ସରକାରୀ ବ୍ୟାଙ୍କଗୁଡ଼ିକର ଦୁର୍ବଳ ସ୍ଥିତିକୁ ସୁଧାରିବା ଏବଂ ଲୋକମାନଙ୍କ ପାଖରେ ଋଣ ଅର୍ଥ ଅଧିକ ମାତ୍ରାରେ ପହଞ୍ଚାଇବା। ଏହାର କିଛି ଦିନ ପରେ ଗୃହ ନିର୍ମାଣ ଓ ରପ୍ତାନି କ୍ଷେତ୍ର ପାଇଁ ୭୦ ହଜାର କୋଟିରୁ ଅଧିକ ଟଙ୍କାର ପ୍ୟାକେଜ୍ ଘୋଷଣା କରାଯାଇଥିଲା। ଚତୁର୍ଥ ପ୍ୟାକେଜ୍ ସ୍ବରୂପ ଋଣ ଆବଣ୍ଟନରେ ଉନ୍ନତି ଆଣିବା ଲାଗି ଦେଶର ୪୦୦ଟି ଜିଲ୍ଲାରେ ଋଣ ମେଳା ଆୟୋଜନ କରାଯିବ ବୋଲି ସେ ଘୋଷଣା କରିଥିଲେ।

ସରକାରଙ୍କ ଆଜିର ଘୋଷଣା ଯୋଗୁ ୧ ଲକ୍ଷ ୪୫ ହଜାର ‌କୋଟି ଟଙ୍କାର ରାଜସ୍ବ ହାନି ଘଟିବ। ଚଳିତ ଆର୍ଥିକ ବର୍ଷ ୧୬ ଲକ୍ଷ ୫୦ ହଜାର କୋଟି ଟଙ୍କାର ଟିକସ ରାଜସ୍ବ ମିଳିବ ବୋଲି ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର