ନୂଆଦିଲ୍ଲୀ: ଭୟଙ୍କର ହେଉଛି କରୋନାର ଦ୍ବିତୀୟ ତରଙ୍ଗ । ପ୍ରଥମ ଅପେକ୍ଷା ଦ୍ବିତୀୟ ଲହର ବହୁ ଅଧିକ ସଂକ୍ରମଣଶୀଳ। ସ୍ଥିତି ଏମିତି ହୋଇଛି ଯେ ଦେଶରେ ଦିନକୁ ୨ଲକ୍ଷ ୭୦ ହଜାରରୁ ଅଧିକ ସଂକ୍ରମଣ ଦେଖାଦେଇଛି । ସଂକ୍ରମଣ ସବୁଠି ଆଣିଛି ସଙ୍କଟଜନକ ସ୍ଥିତି । ଆକ୍ରାନ୍ତ ବଢୁଛନ୍ତି, ମୃତକ ବି ବଢୁଛନ୍ତି । ସବୁଦିନ ଶହ ଶହ ଶବ ମଣାଣିରେ ପୋଡାହେଉଛି । ଜଣାପଡୁ ନ ଥିଲେ ବି ଭିତରେ ଭିତରେ ମୃତ୍ୟୁର ତାଣ୍ଡବ ଖେଳାଉଛି କରୋନାର ଦ୍ବିତୀୟ ତରଙ୍ଗ।
Sambad is now on WhatsApp
Join and get latest news updates delivered to you via WhatsApp
ଆଉ ଏତିକି ବେଳେ କରୋନାର ୨ୟ ଲହରକୁ ରୋକିବାରେ ସହାୟକ ହେବ ଡବଲ ମାସ୍କ । ଦୁଇଟି ମାସ୍କ ହିଁ କରୋନା ରୋକିବାରେ ବ୍ରହ୍ମାସ୍ତ୍ର ସାଜିବ ବୋଲି କହିଛନ୍ତି ବିଶେଷଜ୍ଞ । ଭୂତାଣୁର ଭୟଙ୍କର ଆକ୍ରମଣରୁ ରକ୍ଷା ପାଇବାକୁ ହେଲେ ଆମକୁ ଦୁଇ ଦୁଇଟା ମାସ୍କ ପିନ୍ଧିବାକୁ ପଡିବ ବୋଲି କହିଛନ୍ତି ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର।
ତେବେ ଡାକ୍ତରଙ୍କ କହିବା ଅନୁସାରେ କରୋନାର ଏହି ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିପାରିବ ଦୁଇଟି ମାସ୍କ । ଦ୍ୱିତୀୟ ଲହରର ଷ୍ଟ୍ରେନ୍ ଅଧିକ କ୍ଷତିକାରକ, ଏହି ଭାଇରସ ଏବେ ପବନରେ ବ୍ୟାପୁଥିବା ମେଡିକାଲ ଜର୍ଣ୍ଣାଲ ଲାନସେଟ କହୁଛି । ତେଣୁ ଏହି ଭୟଙ୍କର ବିପଦରୁ ବର୍ତ୍ତିବାକୁ ହେଲେ ଆମକୁ କପଡା ମାସ୍କ ଛାଡିବାକୁ ପଡିବ । ଏୟାରବର୍ଣ୍ଣ ପାଥୋଜେନରୁ ବର୍ତ୍ତିବାକୁ ହେଲେ ଆମକୁ ଏନ୍-୯୫ କିମ୍ୱା କେଏନ-୯୫ ମାସ୍କ ପିନ୍ଧିବାକୁ ପଡିବ । ନଚେତ ତିନୋଟି ସ୍ତର ଥିବା ସର୍ଜିକାଲ ମାସ୍କ ପିନ୍ଧିବାକୁ ପଡିବ । ସେଥିପାଇଁ ଲୋକମାନେ କପଡା ମାସ୍କ ବଦଳରେ ତିନିଲେୟାର ସର୍ଜିକାଲ ମାସ୍କରୁ ଦୁଇଟି ବ୍ୟବହାର କରି ପିନ୍ଧନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଡାକ୍ତର ନିରୋଜ ମିଶ୍ର ।
ଦ୍ୱିତୀୟ ଦଫାରେ ବୃଦ୍ଧବୃଦ୍ଧାଙ୍କ ସହ କୁନି କୁନି ପିଲା ଅଧିକ ଆକ୍ରାନ୍ତ ହେଉଥିବା ବେଳେ ୩୦ ବର୍ଷରୁ କମ ଯୁବକଯୁବତୀ ମଧ୍ୟ ୨ୟ ଲେଉଟାଣିରେ ଅଧିକ ପ୍ରଭାବିତ ହେଉଥିବା ରିପୋର୍ଟ ଆସୁଛି । ତେବେ ମହାମାରୀ ମୁକାବିଲା ପାଇଁ ଦୁଇଟି ମାସ୍କ ଜରୁରୀ ବୋଲି ସମାନ କଥାକୁ ଦୋହରାଇଛନ୍ତି ଡାକ୍ତର ସତୀଶ ପ୍ରସାଦ ରଥ ।
ତେବେ ଏପ୍ରିଲ ମାସରେ କରୋନା ସ୍ଥିତି ଭୟଙ୍କର ହେଲାଣି, ଆଗକୁ ସ୍ଥିତି ଅସମ୍ଭାଳ ହେବ ବୋଲି ବିଶେଷଜ୍ଞମାନେ ମତ ରଖୁଛନ୍ତି । ଆଉ ଏହାରି ଭିତରେ ମାସ୍କ ବ୍ୟବହାର ଉପରେ ରାଜ୍ୟ ସରକାର କଡା କଟକଣା ଲଗାଇଛନ୍ତି । ମାସ୍କ ନ ପିନ୍ଧିଲେ ୨୦୦୦ ଟଙ୍କା ଫାଇନ୍ କରିଥିବା ବେଳେ ମାସ୍କ ହିଁ ମହାମାରୀ ମୁକାବିଲାର ମହାସ୍ତ୍ର ବୋଲି ସରକାର ସଚେତନ କରୁଛନ୍ତି।
ହେଲେ ଅନେକ ଅମାନିଆ ଏବେ ବି ମାସ୍କ ନ ପିନ୍ଧି ଏଣେତେଣେ ବୁଲୁଛନ୍ତି । ବିନା ମାସ୍କରେ ବଜାର ଆସୁଛନ୍ତି । ମାସ୍କକୁ ମୁହଁରେ ନ ପିନ୍ଧି ବେକରେ ପିନ୍ଧୁଛନ୍ତି । କଥା କହିବା ବେଳେ ମାସ୍କ ଖୋଲିଦେଇ କଥା ହେଉଛନ୍ତି । ଯେଉଁଠି କରୋନା ରୋକିବାକୁ ଦୁଇ ଦୁଇଟି ମାସ୍କ କଥା କୁହାଯାଉଛି ସେଠି ଲୋକେ ତ ଗୋଟିଏ ମାସ୍କ ବି ପିନ୍ଧୁ ନାହାନ୍ତି । ଯେଉଁଥିପାଇଁ ସ୍ଥିତି ବିଗୁଡୁଛି । ଆସନ୍ତୁ ମାସ୍କ ପିନ୍ଧିବା, ନିଜ ପାଇଁ, ଅନ୍ୟ ମାନଙ୍କ ଜୀବନ ପାଇଁ ।