ଉପନିର୍ବାଚନରେ ପରାଜୟ ପରେ ତେଲ ଦର କମାଇବାକୁ ବାଧ୍ୟ ହେଲେ କି ମୋଦୀ ସରକାର?

ଭୁବନେଶ୍ବର: ସାଧାରଣ ଲୋକଙ୍କ ପାଇଁ ମୁଣ୍ଡ ବିନ୍ଧା ପାଲଟିଥିବା ପେଟ୍ରୋଲ ଓ ଡିଜେଲ ଦରରୁ ଆଜି ଆଶ୍ୱସ୍ତି ମିଳିଛି । ପେଟ୍ରୋଲ ଲିଟର ପିଛା ପ୍ରାୟ ୬ ଟଙ୍କା ୧୫ ପଇସା ଓ ଡିଜେଲ ଲିଟର ପିଛା ୧୨ ଟଙ୍କା ୮୭ ପଇସା କମିଛି । ସେପଟେ ଓଡ଼ିଶା ସରକାର ଆଉ ୩ ଟଙ୍କା ଭାଟ୍ କମାଇବେ ବୋଲି କହିଛନ୍ତି । ଆଜି ମଧ୍ୟରାତ୍ରରୁ ପେଟ୍ରୋଲ ଓ ଡିଜେଲ ଦର ଆହୁରି କମିବ । ଦୀପାବଳିରେ ଲୋକଙ୍କୁ ପେଟ୍ରୋଲ ଓ ଡିଜେଲ ଦରରୁ ଟିକେ ଆଶ୍ୱସ୍ତି ମିଳିଛି ।

ବୁଧବାର କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲରେ ଏକ୍ସାଇଜ୍ ଡ୍ୟୁଟି କମାଇବା ପରେ ଗୁରୁବାର ତା’ର ପ୍ରଭାବ ପେଟ୍ରୋଲ ଟାଙ୍କି ଗୁଡିକରେ ଦେଖିବାକୁ ମିଳିଛି । ଭୁବନେଶ୍ୱରରୁ ସମ୍ବଲପୁର, କଟକରୁ କାଳିମେଳା ସବୁଠୁ ହ୍ରାସ ପାଇଛି ପେଟ୍ରୋଲ ଓ ଡିଜେଲ ଦର । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬ ଟଙ୍କା ୧୫ ପଇସା କମିଥିବା ବେଳେ ଡିଜେଲରେ କମିଛି ୧୨ ଟଙ୍କା ୮୭ ପଇସା । ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପ୍ରାୟ ଏହି ଅନୁପାତରେ ଦର ହ୍ରାସ ପାଇଛି ।

ଏପଟେ ରାଜ୍ୟ ସରକାର ମଧ୍ୟ ଉଭୟ ପେଟ୍ରୋଲ ଓ ଡିଜେଲରେ ୩ ଟଙ୍କା ଲେଖାଏଁ ଭାଟ କମାଇଛନ୍ତି । ରାତି ୧୨ଟା ପରେ ଏହା ଲାଗୁ ହେବ । ତେବେ ଉଭୟ ଭାଟ୍ ଓ ଏକ୍ସାଇଜ ଡ୍ୟୁଟି ବାବଦରେ ଓଡ଼ିଶାକୁ ପ୍ରାୟ ୨ ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିବ ବୋଲି କହିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ ।

ଅନ୍ୟପକ୍ଷରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କେନ୍ଦ୍ର, ଏକ୍ସାଇଜ୍ ଡ୍ୟୁଟି କମାଇବା ଏବଂ ବିଜେପି ଶାସିତ ରାଜ୍ୟ ଭାଟ କମାଇବା ଯୋଗୁଁ ବାଧ୍ୟ ହୋଇ ଓଡ଼ିଶା ଭାଟ କମାଇଛି ।

ଏପଟେ ରନ୍ଧନ ଗ୍ୟାସର ଦରକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପେଟ୍ରୋଲ, ଡିଜେଲ ଭଳି ରନ୍ଧନ ଗ୍ୟାସ ମୂଲ୍ୟ ହ୍ରାସ କରିବାକୁ ଦାବି ହୋଇଛି । ସେହିପରି ଦରବୃଦ୍ଧି ଆନ୍ଦୋଳନକୁ ୧୦ ଦିନ ସ୍ଥଗିତ ରଖିଛି ବିଜେଡି । ଏହି ୧୦ ଦିନ ମଧ୍ୟରେ ରନ୍ଧନ ଗ୍ୟାସର ଦର ନକମିଲେ ଆନ୍ଦୋଳନକୁ ଦଳ ଓହ୍ଲାଇବ ବୋଲି କହିଛନ୍ତି ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ।

ସମ୍ବନ୍ଧିତ ଖବର