ନୂଆଦିଲ୍ଲୀ: ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମେଜର ବିଭୂତି ଶଙ୍କର ଧୌଣ୍ଡିୟାଲ, ନାଏବ ସୁବେଦାର ସୋମବୀର (ଉଭୟଙ୍କୁ ମରେଣୋତ୍ତର ଭାବେ) ଏବଂ ମେଜର ମହେଶ କୁମାର ଭୁରେଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ମେଜର ଧୌଣ୍ଡିଆଲ ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିଲେ। ତାଙ୍କ ପତ୍ନୀ ଲେଫ୍ଟନାଣ୍ଟ ନୀତିକା କୌଲ ଏବଂ ମାଆ ସରୋଜ ଧୌଣ୍ଡିଆଲ ପୁରସ୍କାର ଗ୍ରହଣ କରିଥିଲେ। ଧୌଣ୍ଡିଆଲ ୫ ଜଣ ଆତଙ୍କବାଦୀଙ୍କୁ ମାରିବା ସହ ୨୦୦ କିଗ୍ରା ବିସ୍ଫୋରକ ଜବତ କରିଥିବାରୁ ତାଙ୍କୁ ଏହି ପୁରସ୍କାର ଦିଆଯାଇଥିଲା। ଜମ୍ମୁ-କଶ୍ମୀରର ପୁଲୱାମାଠାରେ ୨୦୧୯ ଫେବ୍ରୁଆରିରେ ଜୈଶ୍ ଆତଙ୍କବାଦୀଙ୍କ ସହ ଲଢ଼େଇରେ ତାଙ୍କର ମୃତ୍ୟୁ ହୋଇଥିଲା।

Advertisment

ମେଜର ମୁକେଶ କୁମାର ଭୁରେ ୨୦୧୮ ନଭେମ୍ବର ୨୫ରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ସହ ଲଢ଼େଇର ନେତୃତ୍ବ ନେଇଥିଲେ। ଏହି ଲଢ଼େଇରେ ସେ ଅସୀମ ସାହସ ଦେଖାଇ ୬ ଜଣ ଆତଙ୍କୀ କମାଣ୍ଡରଙ୍କୁ ନିପାତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ମହାରାଷ୍ଟ୍ରର ଓସ୍‌ମାନାବାଦ ଜିଲ୍ଲାରେ ଜନ୍ମିତ ଭୁରେ ପୁଣେ ବିଶ୍ବବିଦ୍ୟାଳୟରୁ ଇଲେକ୍ଟ୍ରିକାଲ ଇଂଜିନିୟରିଂରେ ସ୍ନାତକ ପାସ୍ କରିଥିଲେ। ନାଏବ ସୁବେଦାର ସୋମବୀର ୨୦୧୯ ଫେବ୍ରୁଆରିରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ସହ ଲଢ଼େଇ କରି ଶହୀଦ ହୋଇଥିଲେ। ମୃତ୍ୟୁ ପୂର୍ବରୁ ସେ ତିନିଜଣ ହାର୍ଡକୋର୍ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ସୂଚନାଯୋଗ୍ୟ ଯେ, ସେନା କର୍ମଚାରୀଙ୍କୁ ଅସାଧାରଣ ସାହସିକତା ପାଇଁ ଶୌର୍ଯ୍ୟଚକ୍ର ପ୍ରଦାନ କରାଯାଇଥାଏ।