ନୂଆଦିଲ୍ଲୀ: ପଡ଼ୋଶୀ ଶତ୍ରୁ ରାଷ୍ଟ୍ରର ଯୁଦ୍ଧ ବିମାନ, କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆଦିର ମୁକାବିଲା ପାଇଁ ଭାରତ ରୁଷ୍ ନିକଟରୁ ଉନ୍ନତ ଏସ୍-୪୦୦ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବିଧ୍ବଂସକ କିଣିବ ବୋଲି ଚୁକ୍ତି କରିଛି। ବାୟୁସେନା ପାଇଁ ଏହା ଅତ୍ୟନ୍ତ ଜରୁରୀ ଥିବାରୁ ଆମେରିକା ଧମକକୁ ନଡରି ଭାରତ ଏହି ୪୦,୦୦୦ କୋଟି ଟଙ୍କାର ପ୍ରତିରକ୍ଷା ଚୁକ୍ତି କରିଛି। ତେବେ ଏହି ଚୁକ୍ତିକୁ ରାଷ୍ଟ୍ରୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍ ଡୋଭଲ୍ ବିରୋଧ କରିଥିଲେ। ରୁଷ୍ ସହିତ ଏହି ଚୁକ୍ତି ସ୍ବାକ୍ଷର ନ କରିବାକୁ ଡୋଭଲ୍ କହିଥିଲେ ବୋଲି ଜଣାପଡ଼ିଛି। ଆମେରିକାର ସମ୍ଭାବ୍ୟ କାଟ୍ସା କଟକଣାକୁ ଏଡ଼ାଇବା ପାଇଁ ସେ ହୁଏତ ଏଭଳି କହିଥିଲେ ବୋଲି ଏକ ସୂତ୍ର ଦର୍ଶାଇଛି। ଭାରତର ଏସ୍-୪୦୦ ଚୁକ୍ତିର ଅବ୍ୟବହିତ ପୂର୍ବରୁ ଡୋଭଲ୍ ସେପ୍ଟେମ୍ବରରେ ୱାସିଂଟନ୍ ଗସ୍ତ କରି ଆମେରିକାର ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ। ଏମାନଙ୍କ ମଧ୍ୟରେ ବୈଦେଶିକ ମନ୍ତ୍ରୀ ମାଇକ୍ ପୋମ୍ପିଓ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଜେମ୍ସ ମ୍ୟାଟିସ୍ ଥିଲେ। ତେବେ ଏସ୍-୪୦୦ ଟ୍ରାୟମ୍ଫ୍ କ୍ଷେପଣାସ୍ତ୍ର ବିଧ୍ବଂସକ ଚୁକ୍ତି ବାବଦରେ ସେମାନେ ଡୋଭଲ୍ଙ୍କୁ ସତର୍କ କରାଇଥିବା ଅନୁମାନ କରାଯାଉଛି। ଆମେରିକାର କାଟ୍ସା ଆଇନରେ ଭାରତ କଟକଣାର ଶିକାର ହୋଇପାରେ ବୋଲି ସେମାନେ ଡରାଇଥିବା କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ରୁଷ୍ ସହିତ ପ୍ରତିରକ୍ଷା ଚୁୁକ୍ତି କରୁଥିବା ଦେଶଗୁଡ଼ିକୁ ଟାେର୍ଗଟ୍ କରି ଆମେରିକାର ଟ୍ରମ୍ପ୍ ପ୍ରଶାସନ କାଟ୍ସା ଆଇନ ଆଣିଛି। ଏହି ଆଇନ ଦ୍ବାରା ରୁଷ୍ କିମ୍ବା ଇରାନ୍ ସହିତ କାରବାର କରୁଥିବା ଦେଶଗୁଡ଼ିକ ଉପରେ କଟକଣା ଲଗାଯାଇ ପାରିବ। କିନ୍ତୁ ଭାରତ ଓ ଭିଏତ୍ନାମ ଭଳି ଘନିଷ୍ଠ ସହଯୋଗୀଙ୍କ କ୍ଷେତ୍ରରେ ନିୟମ କୋହଳ କରାଯିବ। ଏ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିଷ୍ପତ୍ତି ନେଇପାରିବେ ବୋଲି ସଂଶୋଧିତ ଆଇନରେ ଦର୍ଶାଯାଇଛି। କିନ୍ତୁ ଏସ୍-୪୦୦ ଚୁକ୍ତି କ୍ଷେତ୍ରରେ ରାଷ୍ଟ୍ରପତି ଟ୍ରମ୍ପ୍ ଭାରତକୁ କଟକଣାରୁ ଛାଡ଼ କରିନପାରନ୍ତି ବୋଲି ଡୋଭଲ୍ଙ୍କୁ କୁହାଯାଇଥିଲା। ଏହାପରେ ଡୋଭଲ୍ ଆମେରିକାରୁ ଫେରିବା ପରେ ମସ୍କୋର ଏକ ପ୍ରତିନିଧି ଦଳ ସହିତ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସମିଟ୍ର ଅବ୍ୟବହିତ ପୂର୍ବରୁ ଏହି ପ୍ରତିନିଧି ମଣ୍ଡଳୀ ଭାରତ ଗସ୍ତରେ ଆସିଥିଲେ। କିନ୍ତୁ ବୈଠକରେ ଡୋଭଲ୍ ଏସ୍-୪୦୦ ଚୁକ୍ତି ବାବଦରେ ନକାରାତ୍ମକ ଟିପ୍ପଣୀ ଦେଇଥିଲେ। ପୁଟିନ୍ଙ୍କ ଗସ୍ତ ବେଳେ ମଧ୍ୟ ରୁଷ୍ର ଆଉଏକ ପ୍ରତିନିଧି ମଣ୍ଡଳୀକୁ ଡୋଭଲ୍ ନକାରାତ୍ମକ କଥା କହିଥିଲେ। କିନ୍ତୁ ଗତ ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ମୋଦୀଙ୍କ ସହିତ ନୂଆଦିଲ୍ଲୀରେ ପୁଟିନ୍ ଆଲୋଚନା କରିବା ପରେ ଚୁକ୍ତି ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି େହାଇଥିଲା। ଶୁକ୍ରବାର ଭାରତ ଓ ରୁଷ୍ ମଧ୍ୟରେ ଐତିହାସିକ ଏସ୍-୪୦୦ କ୍ଷେପଣାସ୍ତ୍ର ଚୁକ୍ତି ସ୍ବାକ୍ଷର ହୋଇଥିଲା। ଆମେରିକାର କାଟ୍ସା କଟକଣାକୁ ନଜରଅନ୍ଦାଜ କରି ଭାରତ ଏଭଳି ଚୁକ୍ତି କରିଛି।