ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀ ୨୦୧୪ ମସିହାରେ ଦେଶର ପ୍ରଧାନମନ୍ତ୍ରୀ ହେଲେ। ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ ପ୍ରମୁଖ ସଚିବ ତାଙ୍କ ନିକଟକୁ ଯେଉଁ ପ୍ରଥମ ଫାଇଲ ଆଣିଥିଲେ ତାହା ଥିଲା ଅଜିତ ଡୋଭାଲଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଭାବେ ନିଯୁକ୍ତି ଦେବା। ସେବେଠାରୁ ଡୋଭାଲ‌ ପ୍ରଧାନମନ୍ତ୍ରୀଙ୍କର ଡାହାଣ ହାତ ହୋଇ ରହିଛନ୍ତି। ତେଣୁ ଆମେରିକା ଗସ୍ତରେ ଯିବା ପୂର୍ବରୁ ଦୁଇ ଦେଶ ମ‌ଧ୍ୟରେ ଯେଉଁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଏବଂ ରାଜିନାମା ଆଦି ହେବ ତାହାକୁ ଯଦି ଡୋଭାଲ ପ୍ରସ୍ତୁତ କରନ୍ତି ତା‌’ହେଲେ ସେଥିରେ କେହି କିଛି ଆଶ୍ଚର୍ଯ୍ୟ ହେବାର ନାହିଁ।

Advertisment

ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ପ୍ରଯୁକ୍ତି, ପ୍ରତିରକ୍ଷା ଏବଂ ବାଣିଜ୍ୟ କ୍ଷେତ୍ରରେ ଅଧିକ ସହଯୋଗ ନେଇ ଘୋଷଣାମାନ ହେବ। ମୋଦୀଙ୍କ ଗସ୍ତ ସଂପର୍କିତ ପ୍ରସ୍ତୁତି ଡୋଭାଲ ବହୁ ପୂର୍ବରୁ ଆରମ୍ଭ କରିଛନ୍ତି। ମାସ ମାସ ଧରି କଥାବାର୍ତ୍ତା କରି ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ରାଜିନାମାକୁ ଆଗକୁ ବଢ଼‌ାଇଛନ୍ତି।

publive-image Zee News

ଗତବର୍ଷ ମେ ମାସରେ ଟୋକିଓଠାରେ କ୍ବାଡ ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦେଶ ମଧ୍ୟରେ ପ୍ରଯୁକ୍ତି ଏବଂ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ସହଯୋଗିତାକୁ ଆଗକୁ ବଢ଼ାଇବା ପାଇଁ ଭାରତ-ଆମେରିକା ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଏବଂ ନୂଆ ପ୍ରଯୁକ୍ତି (ଆଇସିଇଟି) ସଂପର୍କରେ ଘୋଷଣା କରିଥିଲେ।

ଏହାପରେ ଆମେରିକାର ବିଭିନ୍ନ ଅଂଶୀଦାରଙ୍କ ସହିତ ଆଲୋଚନା କରି ଉକ୍ତ ସହଯୋଗିତାକୁ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ଡୋଭାଲଙ୍କୁ ବାଛିଥିଲେ। ଡୋଭାଲ ଏବଂ ତାଙ୍କ ଆମେରିକୀୟ ପ୍ରତିପକ୍ଷ ଜେକ୍ ସୁଲିଭାନ ଚଳିତବର୍ଷ ଜାନୁଆରିରେ ଆଇସିଇଟି ଉପରେ କାର୍ଯ୍ୟ ଆରମ୍ଭ କରିଥିଲେ। ଭାରତ-ଆମେରିକା ଆଣବିକ ରାଜିନାମା ପରେ ଏହି କଥାବାର୍ତ୍ତା ଦୁଇ ଦେଶ ମଧ୍ୟରେ ଅନ୍ୟତମ ବୃହତ୍ ମାଇଲଖୁଣ୍ଟ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ପ୍ରଯୁକ୍ତି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଯେଉଁ ସହଯୋଗିତା ସ୍ଥାପନ ହେବ ତାହାଦ୍ବାରା ଭାରତ ଏବଂ ଆମେରିକା ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା, ପ୍ରତିରକ୍ଷା ଉତ୍ପାଦନ, କ୍ବାଣ୍ଟମ କମ୍ପ୍ୟୁଟିଂ, ସେମି କଣ୍ଡକ୍ଟର, ଯୋଗାଯୋଗ ଭିତ୍ତିଭୂମି ଏବଂ ମହାକାଶ ପ୍ରକଳ୍ପ ଆଦି କ୍ଷେତ୍ରରେ ସହଯୋଗିତା ବଢ଼ାଇବ।

ଆଇସିଇଟି ସଂପର୍କରେ‌ ଜାନୁଆରିରେ ଡୋଭାଲ ଏବଂ ସୁଲିଭାନଙ୍କ ମଧ୍ୟରେ ପ୍ରଥମ ବୈଠକ ହେବା ପରେ ଉକ୍ତ ରାଜିନାମାର ବିଭିନ୍ନ ଦିଗ ଉପରେ ବିଚାରବିମର୍ଶ ହୋଇଥିଲା। ଭାରତ ପକ୍ଷରୁ ଏକ ବଡ଼ ପ୍ରତିନିଧି ମଣ୍ଡଳୀ ଏହି ବୈଠକରେ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ଆମେରିକାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ, ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ଉପଦେଷ୍ଟା, ଇସ୍ରୋର ଅଧ୍ୟକ୍ଷ, ଦୂରସଂଚାର ବିଭାଗ ସଚିବ, ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପଦେଷ୍ଟା, ଡିଆରଡିଓର ମହାନିର୍ଦ୍ଦେଶକ, ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ସହିତ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟର ବରିଷ୍ଠ ଅଧିକାରୀମାନେ ଥିଲେ।

publive-image ThePrint

ଏହା ପରେ ଦୁଇ ଦେଶର ଅଂଶୀଦାର ଯଥା ସରକାରୀ ବିଭାଗ, ଶିଳ୍ପ ସଂଘ, ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ଏବଂ ସାମରିକ ପ୍ରତିଷ୍ଠାନ ମଧ୍ୟରେ ଏକାଧିକ ବୈଠକ ହୋଇଛି। ଆଇସିଇଟିକୁ ରୂପ ଦେବାପାଇଁ ଭାରତ-ଆମେରିକା ଆଲୋଚନା ଅପ୍ରତ୍ୟାଶିତ ଭାବେ ଆଗକୁ ବଢ଼ିଛି। ଡୋଭାଲ-ସୁନିଭାନଙ୍କ ମଧ୍ୟରେ ଆଲୋଚନାର ପ୍ରମୁଖ ଫଳ ଗୁଡ଼ିକ ମଧ୍ୟରେ ରହିଛି ଭାରତରେ ଜେଟ୍ ଇଞ୍ଜିନ ନିର୍ମାଣ ପାଇଁ ଜିଇ ଏଭିଏସନ ପକ୍ଷରୁ ପ୍ରଯୁକ୍ତି ଯୋଗାଇ ଦିଆଯିବ। ଭାରତରେ ତେଜସ୍‌-ଏମ୍‌କେ୨ ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ ନିର୍ମାଣ ପାଇଁ ଜିଇ ଏଭିଏସନ ପ୍ରଯୁକ୍ତି ଯୋଗାଇ ଦେବାକୁ ଦ୍ବାରା ଖୋଲା ରଖିଛି। ବାଇଡେନ ପ୍ରଶାସନ ପକ୍ଷରୁ ଜିଇର ଯେଉଁ ପ୍ରସ୍ତାବକୁ ମଞ୍ଜୁର ଦିଆଯାଇଛି ତାହା କାର୍ଯ୍ୟକାରୀ ହେଲେ ବିଶ୍ବରେ ଜେଟ୍‌ ଇଞ୍ଜିନ ନିର୍ମାଣ କରୁଥିବା ୪ଟି ଦେଶ ବିଶିଷ୍ଟ କ୍ଲବରେ ସାମିଲ ହେବ। ଚୀନ ଉକ୍ତ କ୍ଲବରେ ଏପର୍ଯ୍ୟନ୍ତ ସାମିଲ ହୋଇନାହିଁ। ଆଇସିଇଟିର ଅନ୍ୟ ଏକ ପ୍ରମୁଖ ରାଜିନାମା ଫଳରେ ଆମେରିକାର ମାଇକ୍ରନ ଟେକ୍ନୋଲୋଜି ଦ୍ବାରା ଭାରତରେ ଚିପ୍‌ ନିର୍ମାଣ କାରଖାନା ସ୍ଥାପନ‌ ହେବ।

୧୯୬୮ ବ୍ୟାଚ ଆଇପିଏସ ଅଫିସର ଡୋଭାଲ ତାଙ୍କ ଚାକିରି ଜୀବନର ଅଧିକାଂଶ ସମୟ ଗୁଇନ୍ଦା ବ୍ୟୁରୋରେ କଟାଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟର ଏନଏସଏ ବ୍ରଜେଶ ମିଶ୍ରା କିମ୍ବା ମନମୋହନ ସିଂହଙ୍କ ସମୟର ଏନଏସଏ ଜେଏନ ଦୀକ୍ଷିତ, ଶ୍ୟାମ ସରଣ, ଏସଏସ ମେନନଙ୍କର ବିଦେଶ ସେବା ପୃଷ୍ଠଭୂମି ରହିଥିଲା। କିନ୍ତୁ ଏମ କେ ନାରାୟଣନଙ୍କ ପରେ ଡୋଭାଲ ହେଉଛନ୍ତି ଦ୍ବିତୀୟ ଏନଏସଏ ଯାହାଙ୍କର ଗୁଇନ୍ଦା କ୍ଷେତ୍ରରେ ଅଭିଜ୍ଞତା ରହିଛି। ଡୋଭାଲଙ୍କ ଭଳି ନାରାୟଣନ ଆଇବି ମୁଖ୍ୟ ରହିଥିଲେ।