ନୂଆଦିଲ୍ଲୀ: ଗତବର୍ଷ ମଧ୍ୟଭାଗରେ ପୂର୍ବ ଲଦାଖର ସୀମାନ୍ତ ପାଙ୍ଗଙ୍ଗ ସୋ’ ହ୍ରଦର ଉଭୟ ଉପକୂଳରେ ବିସ୍ତାରବାଦୀ ଚୀନୀ ସେନାର ଅତିକ୍ରମଣ ଆଭିମୁଖ୍ୟକୁ ଭାରତୀୟ ଯବାନମାନଙ୍କ ପର୍ବତ ଶଖର ଦଖଲ ହିଁ ପଣ୍ଡ କରିଦେଇଥିଲା। ଭାରତୀୟ ସେନା ଏପରି ଅତର୍କିତ ପାଙ୍ଗଙ୍ଗ୍ ସୋ’ ହ୍ରଦର ଦକ୍ଷିଣ ଉପକୂଳରେ ଥିବା ଗୁରୁତ୍ବପୂର୍ଣ୍ଣ ପର୍ବତ ଶିଖରଗୁଡ଼ିକୁ କବ୍ଜା କରିନେବା ଚୀନ୍ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିଲା ଏବଂ ପରେ ଫିଙ୍ଗର ଇଲାକା ସମେତ ଉଭୟ ଉପକୂଳରୁ ଏବେ ପଛକୁ ଫେରିବା ପାଇଁ ବାଧ୍ୟ କରିଛି। ତେବେ ଗତ ଅଗଷ୍ଟରେ ସଂଘଟିତ ଭାରତୀୟ ସେନାର ଏହି ମୋଡ଼ ବଦଳକାରୀ ଅଭିନବ କୌଶଳ ପଛରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ପ୍ରଚ୍ଛନ୍ନ ଓ ପ୍ରମୁଖ ଭୂମିକା ଥିଲା।
ଗତବର୍ଷ ଉଭୟ ସେନା ମଧ୍ୟରେ ଘଟିଥିବା ସଂଘର୍ଷ ପରେ ପାଙ୍ଗଙ୍ଗ ସୋ’ ହ୍ରଦର ଉତ୍ତର ଉପକୂଳ ହିଁ କେବଳ ଚର୍ଚ୍ଚାରେ ରହିଥିଲା। ନିଜର ବୋଲି ଦାବି କରି ଚୀନୀ ସେନା ବିଭିନ୍ନ ଫିଙ୍ଗର ଇଲାକାକୁ ମାଡ଼ି ଆସିବା ସହ ସଂପୃକ୍ତ ଅଞ୍ଚଳରେ ଭାରତୀୟ ଯବାନଙ୍କ ପାଟ୍ରୋଲିଂକୁ ବାରଣ କରିବାରୁ ସେଭଳି ସଂଘର୍ଷ ଘଟିଥିଲା। ତେବେ ଉତ୍ତେଜନା ହ୍ରାସ ପାଇଁ ଉଭୟ ପକ୍ଷ ମଧ୍ୟରେ ଅନୁଷ୍ଠିତ ଏକାଧିକ କୂଟନୈତିକ ଓ ସାମରିକ ସ୍ତରୀୟ ଆଲୋଚନାରୁ କିଛି ନିଷ୍କର୍ଷ ମିଳିନଥିଲା। ଏହି ଅବସରରେ ଶ୍ରୀ ଡୋଭାଲଙ୍କ ସହ ଭାରତୀୟ ସାମରିକ ଅଧିକାରୀମାନଙ୍କ ସମୀକ୍ଷା ବୈଠକରେ ସେ ପର୍ଯ୍ୟନ୍ତ ଅନାଲୋଚିତ ହୋଇ ଆସିଥିବା ପାଙ୍ଗଙ୍ଗ୍ ସୋ’ ହ୍ରଦର ଦକ୍ଷିଣ ଉପକୂଳ ସ୍ଥିତ ପର୍ବତ ଶିଖରଗୁଡ଼ିକୁ ଦଖଲ ପାଇଁ ସେ ପ୍ରସ୍ତାବ ଦେଇଥିଲେ। ଭାରତୀୟ ଯବାନଙ୍କ ଏପରି ପଦକ୍ଷେପ ସମ୍ପର୍କରେ ଚୀନୀ ସେନା ସୁରାକ ନପାଇବା ସହ ପ୍ରତିରୋଧ କରିବା ପାଇଁ ମଧ୍ୟ ସାହସ ଜୁଟାଇ ପାରିନଥିଲା।
ଫଳରେ ଭାରତୀୟ ଯବାନମାନେ ରେଜାଂ ଲା, ରେଚେନ୍ ଲା, ହେଲମେଟ୍ ଟପ୍ ଓ ଆକ୍ବି ଲା ଆଦି ପର୍ବତ ଶିଖର ଉପରେ ଥାଇ ଚୀନୀ ସେନାର ଯାବତୀୟ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିପାରିଥିଲେ। ଫଳରେ ଚୀନ୍ ସେଠାରୁ ସୈନ୍ୟ ପ୍ରତ୍ୟାହାର ପାଇଁ ସହମତ ହୋଇଥିଲା। ତେବେ ଡୋଭାଲ୍ଙ୍କ ଏହି ସମୟୋଚିତ ଚାଲ୍ ଚୀନ୍ ସଂକଟ ସମାଧାନ କରିବାରେ ଆମ ପଲାକୁ ଭାରୀ କରିଦେଇଥିଲା ବୋଲି ସ୍ଥଳସେନା ମୁଖ୍ୟ ଜେନେରାଲ୍ ଏମ୍ ଏମ୍ ନରବଣେ ସ୍ବୀକାର କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Ajit-Doval-41098-1.jpg)