ଶାହଙ୍କ ସହ ଆଲୋଚନା କଲେ ଡୋଭାଲ, ଆଇବି ମୁଖ୍ୟ

ସିଂଘୁ ସୀମାରେ ଆର୍‌ଏଏଫ୍‌-ସିଆର୍‌ପିଏଫ୍‌ ମୁତୟନ ଜାରି ରହିବ

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ନେଇ ସରଗରମ ରାଜନୀତି ଭିତରେ ଆଜି ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭଲ, ଆଇବି ମୁଖ୍ୟ ଏବଂ ଦିଲ୍ଲୀ ପୁଲିସ କମିସନର ଏସ୍‌ଏନ୍‌ ଶ୍ରୀବାସ୍ତବ। ଚାଷୀ ଆନ୍ଦୋଳନକୁ ନେଇ କେତେକ ବିଦେଶୀ ସେଲିବ୍ରିଟିଙ୍କ ଅନର୍ଥକାରୀ ବୟାନ ପରେ ଗତକାଲି ଶାହ ଟ୍ବିଟ୍‌ କରି କହିଥିଲେ ଯେ କୌଣସି ଅପ୍ରପ୍ରଚାର ଭାରତକୁ ବିକାଶର ରାସ୍ତାରୁ ଅଲଗା କରିପାରିବ ନାହିଁ। ଗତ ସାଧାରଣତନ୍ତ୍ର ଦିବସରେ ଲାଲକିଲ୍ଲାରେ ଆନ୍ଦୋଳନକାରୀମାନେ ଘଟାଇଥିବା ହିଂସା ଓ ଉପ୍ରଦବ ବିଶ୍ବ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିଲା। ଆଗକୁ ମଧ୍ୟ ଚାଷୀ ଆନ୍ଦୋଳନକୁ ନେଇ ବଡ଼ ଧରଣର ହିଂସା ଆଶଙ୍କା କରାଯାଉଛି ।

ଏଭଳି ସ୍ଥିତିରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଡୋଭାଲ୍‌, ଆଇବି ମୁଖ୍ୟ ଏବଂ ଦିଲ୍ଲୀ ପୁଲିସ କମିସନରଙ୍କ ଆଲୋଚନା ବେଶ୍‌ ଗୁରୁତ୍ବ ବହନ କରୁଛି। ସିଂଘୁ, ଟିକିରି ଏବଂ ଗାଜିପୁର ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନସ୍ଥଳରେ ଅନେକ ନେତା ଉତ୍ତେଜକ ଭାଷଣ ଦେଉଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି। ସମସ୍ତ ଆନ୍ଦୋଳନସ୍ଥଳରେ ଆର୍‌ଏଏଫ୍‌ ଏବଂ ସିଆର୍‌ପିଏଫ୍‌ ମୁତୟନ ଜାରି ରହିବ ବୋଲି ଗୃହ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର