ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଧାରା ୩୭୦ ହଟିବା ପରେ ଏବେ ମୋଦୀ ସରକାର ରାଜ୍ୟରେ ସ୍ଥିତି ସ୍ବାଭାବିକ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି। ଆଜି ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭଲ ଅନନ୍ତନାଗ ଏବଂ ପୁଲୱାମାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏହି ଅଂଚଳ ଆତଙ୍କବାଦୀଙ୍କ ଗଡ଼ ଭାବେ ପରିଚିତ। ଉଭୟ ଅଂଚଳରେ ଆଜି ଧାରା ୧୪୪ କୋହଳ କରାଯାଇଛି। ଗତକାଲିଠାରୁ ସ୍କୁଲ, କଲେଜ ଖୋଲିଥିବା ବେଳେ ଆଜି ବହୁ ସଂଖ୍ୟାରେ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବାରୁ ବଜାରରେ ଗହଳଚହଳ ଦେଖିବାକୁ ମିଳିଛି।

Advertisment

ପର୍ଯ୍ୟାୟକ୍ରମେ ସମସ୍ତ ଅଂଚଳରେ ଲ୍ୟାଣ୍ଡ୍‌ ଲାଇନ୍‌, ମୋବାଇଲ୍‌ ଭଏସ୍‌ କଲ୍‌ ସେବା ୨୪ ଘଣ୍ଟା ମଧ୍ୟରେ ଉପଲବ୍ଧ ହେବ ବୋଲି କୁହାଯାଇଛି। ତେବେ ଇଣ୍ଟରନେଟ୍‌ ଉପରେ କଟକଣା ଜାରି ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏନ୍‌ଏସ୍‌ଏ ଡୋଭାଲ ଆଜି ଅନନ୍ତନାଗ ଓ ପୁଲୱାମା ଅଂଚଳ ଗସ୍ତ କରି ସାଧାରଣ ଲୋକଙ୍କ ସହ ସାଂପ୍ରତିକ ସ୍ଥିତି ଏବଂ ସରକାରଙ୍କ ଆଗାମୀ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରିଛନ୍ତି। ଆତଙ୍କବାଦୀଙ୍କୁ ସ୍ଥାନୀୟ ସହଯୋଗ ନ ମିଳିଲେ ସବୁକିଛି ଖୁବ୍‌ଶୀଘ୍ର ସ୍ବାଭାବିକ ହେବ ଏବଂ ଅଂଚଳବାସୀଙ୍କ ସ୍ବପ୍ନ ସାକାର ହେବ ବୋଲି ଡୋଭଲ କହିଛନ୍ତି। ଡୋଭଲଙ୍କ ଜନ ସଂପର୍କ ପ୍ରୟାସକୁ ସ୍ଥାନୀୟ ଲୋକଙ୍କ ସମର୍ଥନ ମିଳିଛି।