ଏନଏସଏ ସମ୍ମିଳନୀରେ ପାକିସ୍ତାନକୁ ଟାର୍ଗେଟ୍ : ଆଫଗାନିସ୍ତାନରେ ବିଦେଶୀ ରାଷ୍ଟ୍ରର ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ

ନୂଆଦିଲ୍ଲୀ : ଆଫଗାନିସ୍ତାନ ପ୍ରସଙ୍ଗରେ ଭାରତ ପକ୍ଷରୁ ଆୟୋଜିତ ଏନଏସଏ ସ୍ତରୀୟ ବୈଠକରେ ନାଁ ନ ନେଇ  ପାକିସ୍ତାନକୁ ଟାର୍ଗେଟ୍ କରାଯାଇଛି । ଆଫଗାନିସ୍ତାନରେ ପାକିସ୍ତାନର ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ ବୋଲି ପରୋକ୍ଷରେ ସୂଚାଇ ଦିଆଯାଇଛି ।

ଆଫଗାନିସ୍ତାନର ସାର୍ବଭୌମତ୍ବ, ସ୍ଥିରତା, ସୁରକ୍ଷା ଉପରେ ବୈଠକରେ ଯୋଗ ଦେଇଥିବା ଦେଶମାନେ ଗୁରୁତ୍ବ ଦେଇଥିଲେ । ଏହା ସହିତ ଆଫଗାନିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାରରେ କୌଣସି ବିଦେଶୀ ରାଷ୍ଟ୍ରର ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ । ସମ୍ମିଳନୀ ଘୋଷଣାପତ୍ରରେ କୁହାଯାଇଛି ଯେ ଆଫଗାନିସ୍ତାନ ମାଟିକୁ କୌଣସି ପ୍ରକାରର ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର ହେବାକୁ ଦିଆଯିବ ନାହିଁ । ଆଫଗାନିସ୍ତାନକୁ ଆତଙ୍କବାଦର ଏକ ଭୂସ୍ବର୍ଗ ହେବାକୁ ଦିଆଯିବ ନାହିଁ । ଅନ୍ୟପକ୍ଷରେ ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନର ଲୋକମାନଙ୍କ ଦୁରାବସ୍ଥାକୁ ନେଇ ଏହି ଦେଶମାନେ ଦୁଃଖ ପ୍ରକଟ କରିଛନ୍ତି ।

ଭାରତ ପକ୍ଷରୁ ଆୟୋଜିତ ଏହି ଆଞ୍ଚଳିକ ସୁରକ୍ଷା ସମ୍ମିଳନୀରେ ଇରାନ, କାଜାଖସ୍ତାନ, ତୁର୍କମେନିସ୍ତାନ, କିରଗିଜସ୍ତାନ, ଋଷିଆ, ଉଜବେକିସ୍ତାନ ପ୍ରଭୃତି ୭ଟି ଦେଶର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ )ମାନେ ଯୋଗ ଦେଇଛନ୍ତି । ଆଫଗାନିସ୍ତାନରେ ତାଲିବାନର ଶାସନ ଆସିବା ପରେ ଆଞ୍ଚଳିକ ସୁରକ୍ଷା ସ୍ଥିତି ଓ ମାନବୀୟ ସ୍ଥିତି ଉପରେ ଆଲୋଚନା କରିବାକୁ ଏହି ସମ୍ମିଳନୀର ଆୟୋଜନ କରାଯାଇଛି । କିନ୍ତୁ ଭାରତ ଆମନ୍ତ୍ରଣ କରିଥିଲେ ମଧ୍ୟ ପାକିସ୍ତାନ ଓ ଚୀନ ଏହି ବୈଠକକୁ ବର୍ଜନ କରିଛନ୍ତି । ଭାରତ ପକ୍ଷରୁ ଏହି ବୈଠକରେ ଏନଏସଏ ଅଜିତ ଡୋଭାଲ ଯୋଗ ଦେଇଛନ୍ତି ।

 

ସମ୍ବନ୍ଧିତ ଖବର