ନୂଆଦିଲ୍ଲୀ: ଲାଗାତାର ତୃତୀୟ ଥର ପାଇଁ ଅବସରପ୍ରାପ୍ତ ଆଇପିଏସ୍ ଅଫିସର ଅଜିତ ଡୋଭାଲଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଭାବେ ନିଯୁକ୍ତ କରାଯାଇଛି। ଏହାସହିତ ଅନ୍ୟତମ ଅବସରପ୍ରାପ୍ତ ଆଇଏଏସ୍ ଡକ୍ଟର ପିକେ ମିଶ୍ରଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ପୁଣିନିଯୁକ୍ତି କରାଯାଇଛି। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ଆଜି ସେମାନଙ୍କ ନିଯୁକ୍ତିକୁ ଅନୁମୋଦନ ପ୍ରଦାନ କରିଛି। ଏହି ନିଯୁକ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ସହ ସମାନ ରହିବ କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଲାଗୁ ରହିବ। ସରକାର କହିଛନ୍ତି ଯେ ଡୋଭାଲଙ୍କୁ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପୂର୍ବଭଳି କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯିବ। ୨୦୨୪ ଜୁନ୍ ୧୦ତାରିଖରୁ ଏହି ନିଯୁକ୍ତି କାର୍ଯ୍ୟକାରୀ ହୋଇଛି।
ପୁନଃନିଯୁକ୍ତି ପରେ ଦୁଇ ଅବସରପ୍ରାପ୍ତ ଅଧିକାରୀ ଡୋଭାଲ ଓ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ତାଙ୍କ କାର୍ଯ୍ୟ ଜାରି ରଖିବେ। ଡୋଭାଲ ଜାତୀୟ ସୁରକ୍ଷା, ସାମରିକ ବ୍ୟାପାର ଏବଂ ଗୁଇନ୍ଦା ବିଭାଗର ଦାୟିତ୍ୱ ତୁଲାଇବେ। ସେ ରଣନୈତିକ ଏବଂ ସମ୍ବେଦନଶୀଳ ପ୍ରସଙ୍ଗଗୁଡ଼ିକର ତଦାରଖ କରିବେ ଏବଂ ସମସ୍ତ ଏଜେନ୍ସିଠାରୁ ଗୁଇନ୍ଦା ସୂଚନା ଗ୍ରହଣ କରିବେ। ତାହାର ସମୀକ୍ଷା ସହ ମାମଲାଗୁଡ଼ିକ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ସବିଶେଷ ତଥ୍ୟ ଉପସ୍ଥାପନ କରିବେ। ସେପଟେ ମିଶ୍ର ପ୍ରଶାସନିକ ମାମଲା ସହ ପିଏମ୍ଓରେ ନିଯୁକ୍ତି ଦାୟିତ୍ୱ ତୁଲାଇବେ। ୨୦୨୪ ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଗୋଟିଏ ଦିନ ପରେ ଜୁନ୍ ୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ କ୍ୟାବିନେଟ୍ ଇସ୍ତଫା ଦେବା ପରେ ଏନ୍ଏସଏ ଭାବେ ଡୋଭାଲଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ଆଜି ତାଙ୍କ ନୂତନ ନିଯୁକ୍ତି ଗତ ୧୦ ତାରିଖରୁ କାର୍ଯ୍ୟକାରୀ କରାଯାଇଛି। ଡୋଭାଲ ହେଉଛନ୍ତି ୧୯୬୮ ବ୍ୟାଚ୍ର ଆଇପିଏସ୍ ଅଫିସର ଏବଂ ସେ ପ୍ରଧାନମନ୍ତ୍ରୀଙ୍କ ପାଇଁ ରଣନୀତିକ ଚିନ୍ତାଧାରା ଏବଂ ପରିଚାଳନା ଯୋଜନାର ମୁଖ୍ୟ ସଂଚାଳକ ଅଟନ୍ତି। ଆତଙ୍କବାଦ ମୁକାବିଲା ଏବଂ ପରମାଣୁ ନୀତି ପ୍ରସଙ୍ଗରେ ତାଙ୍କୁ ବିଶେଷଜ୍ଞ ବୋଲି ମଧ୍ୟ ବିବେଚନା କରାଯାଏ। ଅନ୍ୟପକ୍ଷରେ ମିଶ୍ର ହେଉଛନ୍ତି ୧୯୭୨ ବ୍ୟାଚ୍ର ଅଧିକାରୀ। ଭାରତ ସରକାରଙ୍କ କୃଷି ସଚିବ ଭାବେ ଅବସର ନେବା ପରଠାରୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ସହଯୋଗୀ ଭାବେ ଏକ ଦଶନ୍ଧି ଧରି କାର୍ଯ୍ୟ କରୁଛନ୍ତି। ମିଶ୍ର ନିଜର ସମୃଦ୍ଧ ପ୍ରଶାସନିକ ଅଭିଜ୍ଞତାକୁ ଆଧାର କରି ପ୍ରମୁଖ ଶାସନ ସଚିବ ଭାବେ ଅତ୍ୟନ୍ତ ଦକ୍ଷତାର ସହ କର୍ତ୍ତବ୍ୟ ସଂପାଦନ କରୁଛନ୍ତି। ତାଙ୍କର ସାଂଗଠନିକ ଦକ୍ଷତା ଯୋଗୁଁ ପିଏମ୍ଓ ବିଭିନ୍ନ ପ୍ରଶାସନିକ ଆହ୍ୱାନର ସଫଳତାର ସହ ମୁକାବିଲା କରିଛି। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ ନିଷ୍ପତ୍ତି ସୁରୁଖୁରରେ କାର୍ଯ୍ୟକାରୀ କରିବାରେ ଶ୍ରୀ ମିଶ୍ର ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/djdgdgjdgjdjg.jpg)