ଡୋଭଲ-ପୁଟିନ କଥାବାର୍ତ୍ତା

ମସ୍କୋ: ଜାତୀୟ ସୁରକ୍ଷା ଉପଦେଷ୍ଟା (ଏନଏସଏ) ଅଜିତ ଡୋଭଲ ଗୁରୁବାର ଦିନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମସ୍କୋରେ ଭେଟିଛନ୍ତି ଏବଂ ଉଭୟ ବିଭିନ୍ନ ଦ୍ବିପାକ୍ଷିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନ‌ା କରିଛନ୍ତି। ଭାରତ- ରୁଷ୍‌ ରଣନୈତିକ ଭାଗିଦାରିତାକୁ ଅଧିକ ପ୍ରଭାବୀ କରିବା ଦିଗରେ ସେମାନେ କାମ ଜାରି ରଖିବେ ବୋଲି ରାଜି ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ରୁଷ୍‌ ୟୁକ୍ରେନ୍‌ରେ ଆକ୍ରମଣ ଜାରି ରଖିଥିବାବେଳେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଡୋଭଲ ଏବଂ ପୁଟିନ କଥାବାର୍ତ୍ତା ହୋଇଛନ୍ତି। ବୁଧବାର ଦିନ ଡୋଭଲ ଆଫଗାନିସ୍ତାନ ସ୍ଥିତି ଉପରେ ସୁରକ୍ଷା ପରିଷଦର ସଚିବ ଏବଂ ଏନଏସଏ ମାନଙ୍କର ପଞ୍ଚମ ମଲ୍ଟି‌ଲାଟେରାଲ (ବହୁପାକ୍ଷିକ) ବୈଠକରେ ଯୋଗ ଦେଇଛନ୍ତି। ଡୋଭାଲ ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କହିଥିଲେ ଯେ ଆତଙ୍କବାଦୀ ପଠାଇବାପାଇଁ କୌଣସି ରାଷ୍ଟ୍ରକୁ ବି ଆଫଗାନ ମାଟିର ବ୍ୟବହାର କରିବାକୁ ଦିଆଯିବନି। ଆଫଗାନିସ୍ତାନ ଲୋକଙ୍କୁ ସେମାନଙ୍କ ଆବଶ୍ୟକତା ସମୟରେ ଭାରତ କେବେ ବି ଅଣଦେଖା କରିବ ନାହିଁ। ବୋଲି ସେ କହ‌ିଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ରୁଷ୍‌ ଗସ୍ତ କରି ପୁଟିନଙ୍କ ସହ ଆଲୋଚନା କରିବାର ୩ ମାସ ପରେ ଡୋଭଲ ଏବେ ରୁଷ୍‌ ଗସ୍ତରେ ପୁଣିଥରେ ପୁଟିନଙ୍କ ସହ କଥା ହୋଇଛନ୍ତି।

ସମ୍ବନ୍ଧିତ ଖବର