ନୂଆଦିଲ୍ଲୀ :  ଖଲିସ୍ତାନୀ ଆତଙ୍କବାଦୀ ଇନ୍ଦ୍ରଜିତ ସିଂହ ଗୋସଲ୍‌ କାନାଡ଼ାରେ ଗିରଫ ହେବାର ସପ୍ତାହକ ମଧ୍ୟରେ ଜାମିନରେ ମୁକୁଳିଛି।  ତେବେ ଜେଲ୍‌ରୁ ମୁକୁଳିବା ମାତ୍ରେ  ଇନ୍ଦ୍ରଜିତ ଏବଂ ତା’ର ଘନିଷ୍ଠ ସହଯୋଗୀ ତଥା ଆତଙ୍କବାଦୀ ଗୁରୁପତୱନ୍ତ ସିଂହ ପନ୍ନୁ ଭାରତର ଏନ୍‌ଏସ୍‌ଏ (ଜାତୀୟ ସୁରକ୍ଷା ଉପଦେଷ୍ଟା) ଅଜିତ ଡୋଭାଲଙ୍କୁ  ଧମକ ଦେଇଛନ୍ତି। ଏକ ଭିଡିଓ ଜାରି ହୋଇଛି ‌ଯେଉଁଥିରେ ଗୋସଲ ଓଣ୍ଟାରିଓ ସେଣ୍ଟ୍ରାଲ ଇଷ୍ଟ କରେକ୍ସନାଲ୍‌ ସେଣ୍ଟରରୁ ବାହାରୁଥିବା ଦେଖିବାକୁ ମିଳିଛି। ଜେଲ୍‌ ବାହାରେ ସେ ନିଜକୁ ମୁକ୍ତ ଘୋଷଣା କରିଛି ଏବଂ ଖଲିସ୍ତାନ ପାଇଁ ପନ୍ନୁର ଅଭିଯାନକୁ ସମର୍ଥନ କରିବ ବୋଲି କହିଛି।  

Advertisment

ଭିଡିଓରେ ଭାରତ ଉଦ୍ଦେଶ୍ୟରେ ଗୋସଲ କହୁଛି, ‘ଇଣ୍ଡିଆ, ଆଇ ଆମ୍‌ ଆଉଟ୍‌, ୨୦୨୫ ନଭେମ୍ବର ୨୩ରେ ଆମେ ଖଲିସ୍ତାନ ଗଣଭୋଟ ପରିଚାଳନା କରିବୁ।’  ଗୁରୁପତୱନ୍ତ ସିଂହ ପନ୍ନୁକୁ ସହଯୋଗ କରିବାପାଇଁ ମୁଁ ବାହାରକୁ ଆସିଛି ବୋଲି ଗୋସଲ୍‌ ଭିଡିଓ‌ରେ କହୁଛି। ଅନ୍ୟପକ୍ଷେ ପନ୍ନୁ ଭାରତର ଏନ୍‌ଏସ୍‌ଏଙ୍କୁ ଧମକ ଦେଇ କହିଛି, ‘ଅଜିତ ଡୋଭାଲ, ଆପଣ କାନାଡ଼ା, ଆମେରିକା ଏବଂ ଅନ୍ୟ ୟୁରୋପୀୟ ରାଷ୍ଟ୍ର ଆସୁନାହାନ୍ତି କାହିଁକି ଏବଂ କୌଣସି ଗିରଫ ଓ ପ୍ରତ୍ୟର୍ପଣ କାହିଁକି କରୁନାହାନ୍ତି।  ଡୋଭାଲ,  ମୁଁ ଆପଣଙ୍କୁ ଅପେକ୍ଷା କରିଛି।’  ସୂଚନାଯୋଗ୍ୟ, ପନ୍ନୁ ହେଉଛି ନିଷିଦ୍ଧ ଏସ୍‌ଏଫ୍‌ଜେ (ଶିଖ୍‌ସ ଫର ଜଷ୍ଟିସ)ର ମୁଖ୍ୟ ଏବଂ  ଗୋସଲ୍‌  ହେଉଛି ପନ୍ନୁର ଡାହାଣ ହାତ। ୨୦୨୩ରେ ହରଦୀପ ସିଂହ ନି‌ଜାର ହତ୍ୟା ପରେ ସେ ଏସ୍‌ଏଫ୍‌ଜେର କାନାଡ଼ା ପରିଚାଳକ ପାଲଟିଛି।   ଭାରତ ବିରୋଧରେ ଲଗାତାର ବିଷୋଦ୍‌ଗାର  କରୁଥିବା ଗୋସଲ୍‌କୁ  ସ୍ଥାନୀୟ ପ୍ରଶାସନ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି।