ୱାସିଂଟନ୍/ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ତଥା ‘ଶିଖ୍ସ ଫର ଜଷ୍ଟିସ୍’ର ନେତା ଗୁରୁପତୱନ୍ତ ସିଂହ ପନ୍ନୁକୁ ହତ୍ୟା ଉଦ୍ୟମ ମାମଲାରେ ଆଜି ଆମେରିକାର ନ୍ୟୁୟର୍କ ଦକ୍ଷିଣ ଜିଲ୍ଲା କୋର୍ଟ ଭାରତ ସରକାର, ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଓ ପୂର୍ବତନ ‘ର’ ମୁଖ୍ୟ ସାମନ୍ତ ଗୋୟଲଙ୍କୁ ସମନ ଜାରି କରିଛି। ଏହାକୁ ନେଇ ପୁଣିଥରେ ଭାରତ ଓ ଆମେରିକା ମଧ୍ୟରେ କୂଟନୈତିକ ବିବାଦ ଆରମ୍ଭ ହୋଇଯାଇଛି। ସମନ ବିରୋଧରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ତୀବ୍ର ପ୍ରତିବାଦ କରିଛି।
ବୈଦେଶିକ ସଚିବ ବିକ୍ରମ ମିସ୍ରି ଏକ ବିବୃତିରେ କହିଛନ୍ତି, ଆମେ ପୁଣିଥରେ କହୁଛୁ ଯେ ପନ୍ନୁକୁ ଆକ୍ରମଣ ମାମଲାରେ ସମ୍ପୂର୍ଣ୍ଣ ଭାବେ ଅଗ୍ରହଣୀୟ ଓ ମିଥ୍ୟା ଅଭିଯୋଗ ଅଣାଯାଉଛି। ଏହି ପ୍ରସଙ୍ଗରେ ଆମର (ଭାରତ ସରକାରଙ୍କ) ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଘଟିବ ନାହିଁ। ଏହି ମାମଲାରେ ଜଡ଼ିତ ବ୍ୟକ୍ତିବିଶେଷ (ପନ୍ନୁ)ର ଅତୀତ ସମ୍ପର୍କରେ ଆପଣମାନେ ଭଲଭାବେ ଅବଗତ ଅଛନ୍ତି। ଏହି ବ୍ୟକ୍ତିଜଣକ ଯେଉଁ ସଂଗଠନର ପ୍ରତିନିଧିତ୍ବ କରୁଛି, ତାହା ଏକ ବେଆଇନ ସଂସ୍ଥା। ଭାରତର ସାର୍ବଭୌମତ୍ବ, ଏକତା ଓ ଭୌଗୋଳିକ ସଂହତିକୁ ବ୍ୟାଘାତ କରିବା କାର୍ଯ୍ୟକଳାପ ନିମନ୍ତେ ୟୁଏପିଏ ଧାରା ଅନୁସାରେ ଏହି ସଂଗଠନକୁ ବେଆଇନ ଘୋଷଣା କରାଯାଇଛି।
ସୂଚନାନୁସାରେ, ଆମେରିକାର ଜିଲ୍ଲା କୋର୍ଟ ଜାରି କରିଥିବା ସମନରେ ଭାରତ ସରକାର, ଏନ୍ଏସ୍ଏ ମୁଖ୍ୟ, ପୂର୍ବତନ ‘ର’ ମୁଖ୍ୟଙ୍କ ସମେତ ଦୁଇ ଅଭିଯୁକ୍ତ ନିଖିଳ ଗୁପ୍ତା ଓ ବିକ୍ରମ ଯାଦବଙ୍କୁ ପକ୍ଷଭୁକ୍ତ କରାଯାଇଛି। ୨୦୨୩ରେ ନିଖିଲ ଗୁପ୍ତା
ଚେକ୍ ରିପବ୍ଲିକ୍ରୁ ଗିରଫ ହୋଇ ଆମେରିକା ପ୍ରତ୍ୟର୍ପଣ ହୋଇଥିଲେ। ଏପ୍ରିଲ୍ ୨୦୨୪ରେ ୱାସିଂଟନ୍ ପୋଷ୍ଟରେ ପ୍ରକାଶିତ ରିପୋର୍ଟରେ କୁହାଯାଇଥିଳା ଯେ ତତ୍କାଳୀନ ‘ର’ ମୁଖ୍ୟ ସାମନ୍ତ ଗୋୟଲ ହତ୍ୟା ଯୋଜନାକୁ ଅନୁମୋଦନ କରିଥିଲେ। ‘ର’ ଅଧିକାରୀ ବିକ୍ରମ ଯାଦବଙ୍କୁ ଏହା କାର୍ଯ୍ୟକାରୀ କରିବାକୁ ସେ ଦାୟିତ୍ବ ଦେଇଥିଲେ। ଏହି ଖବରକୁ ସେହି ସମୟରେ ଭାରତ ସରକାରଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ସୂଚନାଯୋଗ୍ୟ, ଆତଙ୍କବାଦୀ ପନ୍ନୁ ଆମେରିକା ଓ କାନାଡ଼ାର ଦ୍ବୈତ ନାଗରିକତା ଗ୍ରହଣ କରିଛି ଏବଂ ଭାରତ ବିରୋଧୀ କାର୍ଯ୍ୟକଳାପ ଜାରି ରଖିଛି। ୟୁଏପିଏ ଆଇନରେ ତାକୁ ଆତଙ୍କବାଦୀ ଓ ପଳାତକ ଘୋଷିତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2pMA1uhMGM8AZdkdLojQ.jpg)