ନୂଆଦିଲ୍ଲୀ: ଭାରତରେ ହିନ୍ଦୁମାନଙ୍କ ଭିତରେ ପ୍ରଚଳିତ ଯୌତୁକ ପ୍ରଥା ସର୍ବଜନବିଦିତ। ତାହା ଆଇନ ଅନୁଯାୟୀ ନିଷିଦ୍ଧ ହେଲେ ବି ଲୁଚାଛପାରେ ଚାଲିଛି। କିନ୍ତୁ ଭାରତରେ ବିଶେଷତଃ ଗ୍ରାମାଞ୍ଚଳରେ ଖ୍ରୀଷ୍ଟିଆନ ଓ ଶିଖ୍‌ମାନଙ୍କ ଭିତରେ ବି ଯୌତୁକ ଦିଆନିଆ ବଢ଼ୁଥିବା ବିଶ୍ବବ୍ୟାଙ୍କର ଏକ ସାଇଟ୍‌ର ବ୍ଲଗ୍‌ରୁ ଜଣାପଡ଼ିଛି। ଖ୍ରୀଷ୍ଟିଆନ ଓ ଶିଖ୍‌ମାନଙ୍କ ହାରାହାରି ଯୌତୁକ ଦିଆନିଆର ପରିମାଣ ହିନ୍ଦୁମାନଙ୍କ ହାରାହାରିଠାରୁ କିଛି ଅଧିକ ଥିବା ବେଳେ ମୁସଲମାନଙ୍କ ହାରାହାରି ହିନ୍ଦୁମାନଙ୍କଠାରୁ କିଛିଟା କମ୍ ଓ ସ୍ଥିର ରହିଛି ବୋଲି ୧୯୬୦ରୁ ୨୦୦୮ ମଧ୍ୟରେ ଭାରତରେ ହୋଇଥିବା ୪୦,୦୦୦ ବିବାହ ଉପରେ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି ବୋଲି ଏହି ବ୍ଲଗ୍‌ରେ କୁହାଯାଇଛି।

Advertisment

ଏହି ବ୍ଲଗ୍‌ ଅନୁସାରେ, ଭାରତରେ ଯୌତୁକ ପ୍ରଥା ଅତି ବ୍ୟାପକ ଥିଲେ ବି ୧୯୬୧ରୁ ଏହା ଆଇନ ଅନୁଯାୟୀ ନିଷିଦ୍ଧ। ୨୦୦୬ ଗ୍ରାମୀଣ ଅର୍ଥନୀତି ଓ ଜନସାଂଖ୍ୟିକ ସର୍ବେକ୍ଷଣ (ଆର୍‌ଇଡିଏସ୍) ଅନୁଯାୟୀ ୧୯୬୦ରୁ ୨୦୦୮ ଭିତରେ ୯୫ ପ୍ରତିଶତ ବିବାହରେ ଯୌତୁକ ଦିଆଯାଇଛି। ବ୍ଲଗ୍ ଲେଖିଥିବା ଏସ୍. ଅନୁକୃତି, ନିଶୀଥ ପ୍ରକାଶ ଓ ସୁନଗୋହ କ୍ବନଙ୍କ ମତରେ ଭାରତରେ ଯୌତୁକ ଉଚ୍ଚଜାତି, ଆଭିଜାତ୍ୟ ଓ ସମ୍ଭ୍ରାନ୍ତପଣର ପ୍ରତୀକ। ତେଣୁ ଅନ୍ୟାନ୍ୟ ପଛୁଆ ବର୍ଗ, ଅନୁସୂଚିତ ଜାତି ଓ ଉପଜାତି ଅପେକ୍ଷା ଉଚ୍ଚଜାତିର ବିବାହରେ ସବୁଠାରୁ ଅଧିକ ଯୌତୁକ ଦିଆଯାଏ। ୧୯୭୦ରୁ ଏପର୍ଯ୍ୟନ୍ତ କେରଳରେ ସବୁଠାରୁ ଅଧିକ ଯୌତୁକ ଦିଆଯାଉଥିବା ବେଳେ ତା’ ପଛକୁ ରହିଛି ହରିୟାଣା, ପଞ୍ଜାବ ଓ ଗୁଜରାଟ। ଧାର୍ମିକ ପରିସଂଖ୍ୟାନକୁ ଦେଖିଲେ କେରଳରେ ୨୬% ମୁସଲମାନ, ୧୮% ଖ୍ରୀଷ୍ଟିଆନ ଓ ୫୫% ହିନ୍ଦୁ। ସେହିପରି ପଞ୍ଜାବରେ ସଂଖ୍ୟାଗରିଷ୍ଠ ହେଉଛନ୍ତି ଶିଖ୍। ତଥାପି ଏହି ଦୁଇ ରାଜ୍ୟରେ ଯୌତୁକ ଦିଆନିଆ ବଢ଼ୁଥିବା ଦେଖାଯାଉଛି। ଅନ୍ୟପକ୍ଷରେ ଓଡ଼ିଶା, ପଶ୍ଚିମବଙ୍ଗ, ତାମିଲନାଡ଼ୁ ଓ ମହାରାଷ୍ଟ୍ରରେ ଯୌତୁକ-ପ୍ରବଣତା ଦେଶର ହାରାହାରିଠାରୁ କମ୍ ରହିଛି।