ୱାସିଂଟନ୍: ଯୁକ୍ତରାଷ୍ଟ୍ର ଆମେରିକା ସେନା ତାଲିବାନ୍ର କରୁଣା ଉପରେ ଭରସା କରି କାବୁଲ୍ ବିମାନ ବନ୍ଦରରେ ଛଡ଼ା ଯାଇଥିବା ବହୁସଂଖ୍ୟକ କୁକୁର ଆମେରିକାର ବୋଲି ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ଅସତ୍ୟ ବୋଲି ପେଣ୍ଟାଗନ୍ କହିଛି। ଏବେ ସେ କୁକୁରଗୁଡ଼ିକୁ ବଧ କରାଯାଇ ପାରେ।
ଗଣମାଧ୍ୟମରେ ପ୍ରକାଶିତ ଉକ୍ତ ରିପୋର୍ଟ ସବୁ ତ୍ରୁଟିପୂର୍ଣ୍ଣ। ଯୁକ୍ତରାଷ୍ଟ୍ର ଆମେରିକା ସେନା ବିମାନ ବନ୍ଦରରେ କୌଣସି କୁକୁର ଛାଡ଼ି ଆସିନାହିଁ। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଫଟୋ ଓ ଭିଡିଓରେ ଦିଶୁଥିବା କୁକୁରଗୁଡ଼ିକ ଆମେରିକୀୟ ସେନାର ନୁହେଁ ବୋଲି ଟୁଇଟ୍ କରି ପେଣ୍ଟାଗନ୍ ପ୍ରେସ୍ ସଚିବ ଜନ୍ କିର୍ବି କହିଛନ୍ତି।
ଯୁଦ୍ଧ-ଅକ୍ଷମ କରାଯାଇଥିବା ଗୋଟାଏ ହେଲିକପ୍ଟର୍ ସମ୍ମୁଖରେ ପିଞ୍ଜରାବଦ୍ଧ ହୋଇଥିବା କୁକୁରଗୁଡ଼ିକର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ବିଭିନ୍ନ ଗଣମାଧ୍ୟମ ସେ ସଂକ୍ରାନ୍ତରେ ରିପୋର୍ଟ ପ୍ରକାଶ କରିଥିଲେ। କିର୍ବି କହିଛନ୍ତି, ସେ କୁକୁର ସବୁ ଆମେରିକୀୟ ସେନାର ନୁହେଁ। ସେମାନେ ‘କାବୁଲ୍ ସ୍ମଲ୍ ଆନିମଲ୍ ରେସ୍କ୍ୟୁ’ ହେପାଜତରେ ଥିଲେ।
ଉକ୍ତ ପ୍ରାଣୀ ଅଧିକାର ସଂସ୍ଥାନ ବର୍ଷେ ହେବ ଆଫଗାନିସ୍ତାନରେ କାର୍ଯ୍ୟ କରୁଛି। କିଛି ଜୀବଜନ୍ତୁଙ୍କୁ ସ୍ଥାନାନ୍ତରଣ କରିବ ବୋଲି ସେ ସଂସ୍ଥାନ ପ୍ରଥମେ ଯୋଜନା କରିଥିଲା। କିନ୍ତୁ ସାମରିକ ବିମାନରେ କୁକୁରଙ୍କୁ ନେବା ପାଇଁ ଅନୁମତି ନ ମିଳିବା ଏବଂ କାବୁଲକୁ ଘରୋଇ ଚାର୍ଟର୍ ବିମାନ ପ୍ରବେଶ ନିଷଧ କରାଯିବାରୁ ସେମାନେ ପିଞ୍ଜରାବଦ୍ଧ କୁକୁରଗୁଡ଼ିକୁ ସେଠାରେ ଛାଡ଼ି ଆସିବାକୁ ବାଧ୍ୟ ହୋଇଥିଲେ।
ଏ ପ୍ରସଙ୍ଗରେ ‘ଏସ୍ପିସିଏ ଇଣ୍ଟର୍ନ୍ୟାସ୍ନାଲ୍’ର କାର୍ଯ୍ୟକ୍ରମ ନିର୍ଦେଶକ ଲରି କାଲେଫ୍ କହନ୍ତି, ‘କାବୁଲ୍ ସ୍ମଲ୍ ଆନିମଲ୍ ରେସ୍କ୍ୟୁ’ର କୁକୁରଗୁଡ଼ିକୁ ଆଫଗାନିସ୍ତାନରୁ ବାହାରକୁ ନେବା ପାଇଁ ବ୍ୟବସ୍ଥା କରାଯାଇଥିବା ବିମାନଟିରେ ସେମାନଙ୍କୁ ଯିବା ପାଇଁ ଅନୁମତି ନ ମିଳିବା ବେଳେ ସେମାନଙ୍କ ତତ୍ତ୍ବାବଧାରକମାନଙ୍କୁ ନିରାପଦରେ ଆଫଗାନିସ୍ତାନ ବାହାରକୁ ସ୍ଥାନାନ୍ତର କରାଯାଇଥିବାରୁ ଆମେ ଦୁଃଖିତ।
ଅଗତ୍ୟା ସେ କୁକୁରଗୁଡ଼ିକୁ ବିମାନ ବନ୍ଦରରେ ପିଞ୍ଜରାମୁକ୍ତ କରାଗଲେ ସେମାନେ ବୁଲା କୁକୁର ପାଲଟି ଯିବେ ବୋଲି ‘କାବୁଲ୍ ସ୍ମଲ୍ ଆନିମଲ୍ ରେସ୍କ୍ୟୁ’ କହିଛି। ପରିସ୍ଥିତି ନିରାପଦ ମନେହେଲେ ‘କାବୁଲ୍ ସ୍ମଲ୍ ଆନିମଲ୍ ରେସ୍କ୍ୟୁ’ ବିମାନ ବନ୍ଦରକୁ ଲେଉଟିଯାଇ ପୁଣି ସେ କୁକୁରଗୁଡ଼ିକୁ ଉଦ୍ଧାର କରିବ ବୋଲି କର୍ମକର୍ତ୍ତାମାନେ କହିଛନ୍ତି।