ଦେଖିକି ଫୁଟାନ୍ତୁ ବାଣ, ଦେଖିକି ଚଳାନ୍ତୁ ଜେନେରେଟର, ନଚେତ ଦେବେ ୧ ଲକ୍ଷ ଟଙ୍କା ଯାଏଁ ଜରିମାନା

ନୂଆଦିଲ୍ଲୀ: ଶବ୍ଦ ପ୍ରଦୂଷଣ ମାମଲାକୁ ନେଇ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ଜରିମାନା ପରିମାଣରେ ସଂଶୋଧନ ଘୋଷଣା କରିଛି। ନୂତନ ସଂଶୋଧନ ଅନୁଯାୟୀ, ଶବ୍ଦ ପ୍ରଦୂଷଣ କରୁଥିବା ଯେକୌଣସି ମାଧ୍ୟମ ଉପରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ନିଆଯାଇପାରିବ | ଏହି ସଂଶୋଧନ ପରେ ଜେନେରେଟର ସେଟ୍ ର ଶବ୍ଦ ପ୍ରଦୂଷଣକୁ ନେଇ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟିର ସଂଶୋଧନ ପରେ ଲାଉଡ ସ୍ପିକର ବଜାଇ ଶବ୍ଦ ପ୍ରଦୂଷଣ ଉପରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ। ଏଥି ସହିତ, ୧୦୦୦ କେଭିଏର(କିଲୋ ଭୋଲ୍ଟ ଆମପିୟର) ଡିଜେଲ ଜେନେରେଟର ସେଟରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ କନଷ୍ଟ୍ରକସନ ଉପକରଣର ଶବ୍ଦ ପ୍ରଦୂଷଣ ଉପରେ ୫୦୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ନିଆଯିବ । ଏହା ସହିତ ଉପକରଣକୁ ମଧ୍ୟ ଜବତ କରାଯିବ।

ନଜର ପକାନ୍ତୁ, କେଉଁ ଶବ୍ଦ ପ୍ରଦୂଷଣ ପାଇଁ କେତେ ଜରିମାନା ଦେବେ
ସର୍ବସାଧାରଣ ସ୍ଥାନରେ ଲାଉଡସ୍ପିକର ବ୍ୟବହାର କଲେ ଉପକରଣକୁ ସିଲ୍ କରିବା ସହିତ ୧୦,୦୦୦ ଟଙ୍କା ଜରିମାନା ନିଆଯିବ | ୧୦୦୦ କେଭିଏର ଜେନେରେଟର ସେଟ ଶବ୍ଦ ପ୍ରଦୂଷଣ କରୁଥିଲେ ୧ ଲକ୍ଷ ଟଙ୍କା ଜରିମାନା ସହ ଜେନେରେଟରକୁ ସିଲ୍ କରାଯିବ | ଆବାସିକ କିମ୍ବା ବାଣିଜ୍ୟିକ ସ୍ଥାନରେ ବାଣ ଫୁଟାଇଲେ ଏକ ହଜାର ଟଙ୍କାର ଜରିମାନା ଦେବେ | ସାଇଲେଣ୍ଟ ଜୋନରେ ବାଣ ଫୁଟାଇଲେ ତିନି ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ଜନସମାବେଶ, ଶୋଭାଯାତ୍ରା, ବିବାହ ସମାରୋହ, ଧାର୍ମିକ ସମାରୋହରେ ଶବ୍ଦ ପ୍ରଦୂଷଣ କଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ | ସାଇଲେଣ୍ଟ ଜୋନରେ ଜନ ସମାବେଶ, ଶୋଭାଯାତ୍ରା, ବିବାହ ସମାରୋହ, ଧାର୍ମିକ ସମାରୋହରେ ଶବ୍ଦ ପ୍ରଦୂଷଣ କଲେ ୨୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ।

ସମ୍ବନ୍ଧିତ ଖବର