ମହାନଦୀକୁ ପୁନର୍ଜୀବିତ କରିବା ପାଇଁ ଡିପିଆର୍‌

ନୂଆଦିଲ୍ଲୀ : ମହାନଦୀ ସମେତ ଦେଶର ୧୩ ଟି ପ୍ରମୁଖ ନଦୀକୁ ପୁନର୍ଜୀବିତ (ରେଜୁଭନେସନ୍‌) କରାଯିବ। ଏଥି ପାଇଁ ପ୍ରସ୍ତୁତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍‌)ଆଜି ଉନ୍ମୋଚିତ ହୋଇଛି। ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ଫରେଷ୍ଟ୍ରି ରିସର୍ଚ ଆଣ୍ଡ୍ ଏଜୁକେସନ୍‌ (ଆଇସିଏଫ୍‌ଆରଇ) ଦ୍ବାରା ଏହାକୁ ପ୍ରସ୍ତୁତ କରାଯାଇଛି। ଏଥିପାଇଁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଓ ‘ନାସନାଲ୍ ଆଫ‌ରେଷ୍ଟେସନ ଆଣ୍ଡ୍‌ ଇକୋ ଡେଭଲପମେଣ୍ଟ ବୋର୍ଡ’ ପକ୍ଷରୁ ପାଣ୍ଠି ବ୍ୟବସ୍ଥା ହୋଇଥିଲା।

୧୩ଟି ନଦୀକୁ ପୁନର୍ଜୀବିତ କରିବା ପାଇଁ ୪ଟି ଭାଗରେ ଅର୍ଥ ବିନିଯୋଗ ହେବ। ମହାନଦୀ ପାଇଁ ହୋଇଥିବା ଯୋଜନା ବାବଦରେ ୪ଟି ଭାଗରେ ମୋଟ ୧୩୭୦.୨୮ କୋଟି ଟଙ୍କା ଖର୍ଚ୍ଚ ହେବ। ମହାନଦୀର ପ୍ରାକୃତିକ ଭୂମିରୂପ ପାଇଁ ୪୮୨.୪୨ କୋଟି, କୃଷି ଭୂମିରୂପ ପାଇଁ ୧୫୨.୩୩ କୋଟି ଟଙ୍କା, ସହରାଞ୍ଚଳ ଭୂମିରୂପ ପାଇଁ ୨୧୩.୮୨ କୋଟି ଟଙ୍କା, ସଂରକ୍ଷଣ ପଦକ୍ଷେପ ପାଇଁ ୨୮୨.୦୩ କୋଟି ଟଙ୍କା ଓ ସହାୟକ କାର୍ଯ୍ୟକ୍ରମ ବାବଦରେ ପାଇଁ ୨୯.୦୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମହାନଦୀ ଅବବାହିକାରେ ୩୦୧.୨୪ କିଲୋମିଟର ଜଙ୍ଗଲ ସୃଷ୍ଟି କରାଯିବ। ଏହା ଦ୍ବାରା ମହାନଦୀର ଜୈବ ପରିବେଶକୁ ସୁରକ୍ଷିତ କରାଯିବା ସହ ଅନ୍ୟାନ୍ୟ ବହୁ ସୁଫଳ ମିଳିବ। ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସଂପୃକ୍ତ ରାଜ୍ୟମାନେ ୬୧୦.୪୨ କୋଟି ଟଙ୍କାର ଖର୍ଚ୍ଚ ବହନ କରିବେ। ଏଥି ପାଇଁ ଓଡ଼ିଶା, ଛତିଶଗଡ଼ ଓ ମହାରାଷ୍ଟ୍ର ପକ୍ଷରୁ ଏକାଧିକ ପଦକ୍ଷେପ ନିଆଯିବ।

କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଓ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଆଜି ଏହାକୁ ଉନ୍ମୋଚନ କରିଥିଲେ।

ସମ୍ବନ୍ଧିତ ଖବର