ମୁମ୍ବାଇ:ମରାଠୀ ଟେଲି ସିରିଏଲ୍‌ ଓ ନାଟକ ମାନଙ୍କରେ ଛତ୍ରପତି ଶିବାଜୀ ଭୂମିକାରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିବା ପ୍ରଖ୍ୟାତ ଅଭିନେତା ଡକ୍ଟର ଅମୋଲ୍‌ କୋଲହେ ଶିବସେନା ଛାଡ଼ି ଏବେ ଏନସିପିରେ ଯୋଗ ଦେଇଛନ୍ତି। ସେ ଶିବସେନାକୁ ‘ଜୟ ମହାରାଷ୍ଟ୍ର’ ବୋଲି କହି ଶରଦ ପାଓ୍ଵାରଙ୍କ ଏନ୍‌ସିପିରେ ସାମିଲ ହୋଇଛନ୍ତି। ଏନସିପି ଡକ୍ଟର ଅମୋଲ କୋଲହେଙ୍କୁ ଶିବସେନା ସାଂସଦ ଶିବାଜୀ ରାଓଙ୍କ ବିରୁଦ୍ଧରେ ଶିରୁର୍‌ ଲୋକସଭା ଆସନରୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି। ଡକ୍ଟର କୋଲହେ ୨୦୧୪ରେ ଶିବସେନାରେ ଯୋଗ ଦେଇଥିଲେ। ଶିବସେନା ତାଙ୍କୁ ଉପନେତା ଓ ପୁନେ ଜିଲ୍ଲାର ସଂପର୍କ ପ୍ରମୁଖର ଦାୟିତ୍ୱ ଦେଇଥିଲା। ତେବେ ସେଏନ୍‌ସିପିରେ ସାମିଲ ହେବା ଅବସରରେ ଶିବସେନା ବିରୁଦ୍ଧରେ କୌଣସି ଟିପ୍ପଣୀ ଦେଇ ନାହାନ୍ତି।

Advertisment

publive-image

ଏଣେ ଔରଙ୍ଗାବାଦ୍‌ର ବଦନାପୁରର ଭାଜପା ବିଧାୟକ ଅରବିନ୍ଦ ଚୌହ୍ଵାନ ମଧ୍ୟ ‘ଜୟ ଶ୍ରୀରାମ’ କହି ଭାରତୀୟ ଜନତା ପାର୍ଟି ଛାଡ଼ି ଏନସିପି ରେ ଯୋଗ ଦେଇଥିବା ଜଣାଯାଇଛି। ସେ ବିଧାନ ପରିଷଦର ବିରୋଧୀ ଦଳ ନେତା ଧନଂଜୟ ମୁଣ୍ଡେଙ୍କ ସରକାରୀ ବାସଭବନରେ ଏନସିପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିବା ଜଣାଯାଇଛି।