ବ୍ରିଟେନ୍‌ ସଂସଦରେ ଭାଷଣ ଦେଲେ ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ

ଲଣ୍ଡନ : ପ୍ରଥମ ଓଡ଼ିଆ ଭାବେ ବ୍ରିଟେନ୍‌ ସଂସଦରେ ଅଭିଭାଷଣ ପ୍ରଦାନ କରିଛନ୍ତି ଶିରିଡ଼ି ସାଇ ଗ୍ଲୋବାଲ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ। ହାଉସ୍‌ ଅଫ୍‌ କମନ୍ସରେ ସେ ‘ଭାରତୀୟ ଆଧ୍ୟାତ୍ମିକତା ଓ ସଂସ୍କୃତି ଏବଂ ସମସାମୟିକ ବିଶ୍ୱରେ ଏହାର ପ୍ରାସଙ୍ଗିକତା’ ବିଷୟରେ ଭାଷଣ ଦେଇଛନ୍ତି। ଏହି ଅବସରରେ ତାଙ୍କୁ ମର୍ଯ୍ୟାଦାଜନକ ‘ଗ୍ଲୋବାଲ ହ୍ୟୁମାନିଟାରିଆନ’ ପୁରସ୍କାର ପ୍ରଦାନ କରାଯାଇଛି।

ବ୍ରିଟିଶ ସଂସଦର ନିମ୍ନ ସଦନ(ହାଉସ୍‌ ଅଫ କମନ୍‌ସ)ରେ ଏଥିଲାଗି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସାଂସଦମାନଙ୍କ ସହ ବିଦେଶରେ ରହୁଥିବା ଭାରତୀୟ ମୂଳର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ବି ନିମନ୍ତ୍ରଣ କରାଯାଇଥିଲା। ଡ. ଶତପଥୀ ତାଙ୍କର ଅଭିଭାଷଣରେ କହିଥିଲେ ଯେ ବିଦେଶରେ ବସବାସ କରୁଥିବା ଭାରତୀୟମାନେ ସେମାନଙ୍କର ନିଜ ସଂସ୍କୃତି ରକ୍ଷା କରିବାରେ ଉଦ୍ୟମ କରିବା ଉଚିତ। ଆମର ମହନୀୟ ଆଧ୍ୟାତ୍ମିକ ସମ୍ପଦ ବେଦ, ଯୋଗ, ପ୍ରାଣାୟମ ଏବଂ ଧ୍ୟାନ ଆଦିର ପ୍ରଚାର ପ୍ରସାର କରିବାକୁ ସେ ନିବେଦନ କରିଥିଲେ। ଆଗାମୀ ଦିନରେ ଉଜ୍ଜ୍ୱଳ ବିଶ୍ୱ ନିମନ୍ତେ ସଦ୍‌ଗୁରୁ ଶିରିଡ଼ି ସାଇବାବାଙ୍କର କାଳୋପଯୋଗୀ ଶିକ୍ଷାକୁ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଡ. ଶତପଥୀ ବ୍ରିଟିଶ ପାର୍ଲାମେଣ୍ଟକୁ ଇଂରାଜୀ ଭାଷାରେ ଅନୁଦିତ ପବିତ୍ର ଗ୍ରନ୍ଥ ‘ଶ୍ରୀଗୁରୁ ଭାଗବତ’ର ପାଞ୍ଚଟିଯାକ ଖଣ୍ଡ ପ୍ରଦାନ କରିଥିଲେ। ବ୍ରିଟେନ୍‌ର ସାଂସଦ ବୀରେନ୍ଦ୍ର ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧିତ ଖବର