ଡ. ଫୌସିଙ୍କ ଚେତାବନୀ: ଆଗକୁ ସଂକ୍ରମଣ ଓ କଷ୍ଟ ବଢ଼ିବ

ୱାଶିଂଟନ୍: ଆମେରିକାର କୋଭିଡ୍‌ ଉପଦେଷ୍ଟା ଡ. ଆଣ୍ଟୋନି ଫାଉସି ରବିବାର କହିଛନ୍ତି ଯେ, କୋଭିଡ୍‌ ମାମଲା ବଢ଼ିବାରେ ଲାଗିଛି ଏବଂ ଆଗକୁ ଅଧିକ କଷ୍ଟ ଓ ଯନ୍ତ୍ରଣା ଅଛି। ଯେଉଁ ଆମେରିକୀୟମାନେ ଟିକା ନେଇ ନାହାନ୍ତି ସରକାର ସେମାନଙ୍କୁ ତୁରନ୍ତ ଟିକା ଦେବାର ବ୍ୟବସ୍ଥା କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।
ଆମେରିକାର ସର୍ବୋଚ୍ଚ ସଂକ୍ରାମକ ରୋଗ ବିଶେଷଜ୍ଞ ଫାଉସି କହିଛନ୍ତି ଯେ, ସଂକ୍ରମଣ ବଢ଼ିଲେ ବି ଆମେରିକାରେ ଆଉ ଅଧିକ ଲକ୍‌ଡାଉନ୍‌ର ଆବଶ୍ୟକତା ପଡ଼ିବ ବୋଲି ସେ ଭାବୁନାହାନ୍ତି, କାରଣ ବହୁ ଲୋକ ଟିକା ନେଇସାରିଲେଣି। କିନ୍ତୁ ସେତିକି ଲୋକ ଟିକା ନେଇନାହାନ୍ତି, ଯେତିକି ନେଇଥିଲେ ଏ ସଂକ୍ରମଣ ଆଉ ବଢ଼ିବାର ସୁଯୋଗ ପାଇ ନ ଥାନ୍ତା। ନୂଆ ସଂକ୍ରମଣ ଅଧିକାଂଶ ଟିକା ନେଇ ନ ଥିବା ଲୋକଙ୍କୁ ହେଉଛି। ଡେଲ୍‌ଟା ଭାରିଆଣ୍ଟ ଦ୍ବାରା ତଥାକଥିତ ବ୍ରେକ୍‌ଥ୍ରୁ ସଂକ୍ରମଣ ଟିକା ନେଇଥିବା ଲୋକଙ୍କୁ ହୋଇପାରେ। ସେମାନେ ଲକ୍ଷଣହୀନ ବା ସାମାନ୍ୟ ଲକ୍ଷଣଯୁକ୍ତ ହୋଇପାରନ୍ତି ଏବଂ ତା’ ସହ ସଂକ୍ରମଣର ବାହକ ବି ହୋଇପାରନ୍ତି। ସେମାନଙ୍କ ସଂସ୍ପର୍ଶରେ ଅସୁଥିବା ଟିକା ନେଇ ନ ଥିବା ବ୍ୟକ୍ତିମାନେ ସଂକ୍ରମିତ ହେବାର ଭୟ ଅଧିକ ରହିଥାଏ।

ଜନ୍ସ ହପ୍‌କିନ୍ସ ବିଶ୍ବିଦ୍ୟାଳୟ ସୂତ୍ରରୁ ଜୁଲାଇ ୩୦ରେ ପ୍ରାପ୍ତ ତଥ୍ୟ ଅନୁସାରେ ଆମେରିକାରେ ଜୁଲାଇ ୧୬ରେ ୩୦,୮୮୭ ନୂଆ ସଂକ୍ରମଣ ହୋଇଥିବା ବେଳେ ଜୁଲାଇ ୩୦ରେ ତାହା ବୃଦ୍ଧି ପାଇ ୭୭,୮୨୭ରେ ପହଞ୍ଚିଛି, ଯାହା ସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ସାତିଦିନିଆ ଦୈନିକ ମୃତ୍ୟୁହାର ମଧ୍ୟ ଉକ୍ତ ଦୁଇ ସପ୍ତାହ ମଧ୍ୟରୁ ପ୍ରଥମ ସପ୍ତାହରେ ୨୫୩ ଥିବାବେଳେ ଦ୍ବିତୀୟ ସପ୍ତାହରେ ୩୫୮କୁ ବୃଦ୍ଧି ପାଇଛି। ଅବଶ୍ୟ କେତେ ସପ୍ତାହ ଡାକ୍ତରଖାନାରେ ପଡ଼ିଲା ପରେ ଏହି ମୃତ୍ୟୁ ହୋଇଛି। ସିଡିସିର ଡାଟା ଟ୍ରାକର ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଆମେରିକାରେ ୧୨ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ୫୮ ପ୍ରତିଶତ ଲୋକ ଟିକା ନେଇଛନ୍ତି। ଏହି ଟିକା କାର୍ଯ୍ୟକ୍ରମକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ଡ. ଫାଉସି ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର