କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନଙ୍କ ଉପସ୍ଥିତିରେ ‘ଏମ୍ସ୍’- ଦିଲ୍ଲୀରେ ଦିଆଗଲା ପ୍ରଥମ କୋଭିଡ୍-୧୯ ଟିକା
ନୂଆଦିଲ୍ଲୀ: ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ‘କୋଭିଡ୍-୧୯ ଟିକାକରଣ’ ଅଭିଯାନର ଶୁଭାରମ୍ଭ କରିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନଙ୍କ ଉପସ୍ଥିତିରେ ‘ଏମ୍ସ୍’- ଦିଲ୍ଲୀରେ ପ୍ରଥମ କୋଭିଡ୍-୧୯ ଟିକା ଦିଆଯାଇଛି।
ଏହି ଟିକା ନେବାରେ ଦେଶର ସର୍ବ ପ୍ରଥମ ବ୍ୟକ୍ତି ହେଉଛନ୍ତି ନୂଆଦିଲ୍ଲୀସ୍ଥିତ ‘ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍’ର (ଏମ୍ସ୍) ପରିମଳ କର୍ମଚାରୀ ମନୀଷ କୁମାର।
ମନୀଷଙ୍କୁ ଟିକା ଦିଆଯିବା ପରେ ସେଠାରେ ଉପସ୍ଥିତ ଡାକ୍ତର, କାର୍ଯ୍ୟାଳୟ ଅଧିକାରୀ ଏବଂ ସ୍ୱାସ୍ଥ୍ୟସେବା କର୍ମୀମାନେ ତାଳି ମାରି ଏହି ଅଭିଯାନକୁ ସ୍ୱାଗତ କରିଥିଲେ।
ଟିକା ନେବା ସମୟର ଅନୁଭୂତି ବଖାଣି ମନୀଷ କୁମାର କହିଛନ୍ତି, ଟିକା ନେବାଦ୍ୱାରା ମୋର କୌଣସି ସମସ୍ୟା ହୋଇନାହିଁ। ଦେଶ ପାଇଁ ଆହୁରି ସେବା କରିବି। ଲୋକେ ଆତଙ୍କିତ ହେବାର କୌଣସି କାରଣ ନାହିଁ। ମୋ ମନରେ ଥିବା ଭୟ ଦୂରେଇ ଯାଇଛି। ସମସ୍ତେ ଟିକା ନେବା ଆବଶ୍ୟକ।

ଏହାପରେ ଦିଲ୍ଲୀ-ଏମ୍ସ୍ର ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ ସମେତ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟସେବା କର୍ମୀମାନେ ଟିକା ନେଇଥିଲେ।
ସେହିଭଳି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍ଙ୍କ ଉପସ୍ଥିତିରେ ‘ଏଲ୍ଏନ୍ଜେପି ହସ୍ପିଟାଲ୍’ର ଜଣେ ଡାକ୍ତର, ଜଣେ ନର୍ସ ଏବଂ ଜଣେ ପରିମଳ କର୍ମଚାରୀ କୋଭିଡ୍-୧୯ ଟିକା ନେବେ।
ଜାତୀୟ ରାଜଧାନୀ ଟିକାକରଣ ଅଭିଯାନରେ ସମସ୍ତ ୧୧ଟି ଜିଲ୍ଲାର ୮୧ଟି ସ୍ଥାନରେ ଟିକାଦାନ କେନ୍ଦ୍ର କାର୍ଯ୍ୟ କରିବ। ଛଅଟି କେନ୍ଦ୍ର ସରକାରୀ ଡାକ୍ତରଖାନା- ‘ଏମ୍ସ୍’, ସଫଦରଗଞ୍ଜ ହସ୍ପିଟାଲ୍, ଆର୍ଏମ୍ଏଲ୍ ହସ୍ପିଟାଲ, କଳାବତୀ ସରଣ ଚିଲ୍ଡ୍ରେନ୍ ହସ୍ପିଟାଲ ଏବଂ ଦୁଇଟି ଇଏସ୍ଆଇ ହସ୍ପିଟାଲ୍ରେ ମଧ୍ୟ ଟିକା ଦିଆଯିବ।