‘ଉମିଦ’ ଯୋଜନାର ଶୁଭାରମ୍ଭ : ପ୍ରଥମ ପର୍ଯ୍ୟାୟରେ ୭ ଆକାଂକ୍ଷୀ ଜିଲ୍ଲାରେ ୧୦ହଜାର ଗର୍ଭବତୀ ଓ ୫ ହଜାର ନବଜାତକଙ୍କ ପରୀକ୍ଷା କରାଯିବ

ଆନୁବଂଶିକ ରୋଗର ଚିକିତ୍ସା ଖର୍ଚ୍ଚ ବହନ କରିପାରୁ ନଥିବା ଲୋକମାନେ ଲାଭାନ୍ୱିତ ହେବେ : ଡ. ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ : କେନ୍ଦ୍ରବିଜ୍ଞାନ ଓ ପ୍ରଯୁକ୍ତି, ଭୂ-ବିଜ୍ଞାନ ଏବଂ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଆଜି ‘ଉମିଦ’ (ଆନୁବଂଶିକ ରୋଗର ଚିକିତ୍ସା ଓ ଅଭିନବ ପରିଚାଳନା ପଦ୍ଧତି) ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିସହିତ ଦେଶର ବିଭିନ୍ନ ସ୍ଥାନରେ ନିଦାନ (ଜାତୀୟ ଆନୁବଂଶିକ ରୋଗ ପରିଚାଳନା) କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି। ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରାଳୟ ଅଧୀନ ଜୈବ ପ୍ରଯୁକ୍ତି ବିଭାଗ ସହାୟତାରେ ଏହି ଦୁଇଟି ଯୋଜନା ଆରମ୍ଭ କରାଯାଇଛି।

ଏହି ଅବସରରେ ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ଏହି ଯୋଜନା ସରକାରୀ ଡାକ୍ତରଖାନାଗୁଡ଼ିକରେ ଆରମ୍ଭ ହେଉଥିବାରୁ ଆନୁବଂଶିକ ରୋଗର ବ୍ୟୟ ବହୁଳ ଚିକିତ୍ସା ଖର୍ଚ୍ଚବହନ କରିପାରୁ ନଥିବା ଲୋକମାନେ ଏହାଦ୍ୱାରା ଲାଭବାନ ହୋଇପାରିବେ। ଜୈବ ପ୍ରଯୁକ୍ତି ବିଭାଗ ସଚିବ ଡ. ରେଣୁସ୍ୱରୂପ ‘ଉମିଦ’ଯୋଜନାକୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବେ ବର୍ଣ୍ଣନା କରିଥିଲେ।

ଏହିଯୋଜନା ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟରେ ୫ଟି ନିଦାନ କେନ୍ଦ୍ର ଖୋଲାଯାଇ ବିସ୍ତୃତ ନିଦାନ ଚିକିତ୍ସା ଯୋଗାଇ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ୭ଟି ଆକାଂକ୍ଷୀ ଜିଲ୍ଲାରେ ଆନୁବଂଶିକରୋଗ ପାଇଁ ୧୦ ହଜାର ଗର୍ଭବତୀ ଏବଂ ୫ ହଜାର ନବଜାତ ଶିଶୁଙ୍କର ପରୀକ୍ଷା କରାଯିବ। ପରବର୍ତୀ ପର୍ଯ୍ୟାୟରେ ଦେଶର ଅନ୍ୟ ପ୍ରାନ୍ତରେଏହି ଯୋଜନାକୁ ପ୍ରସାରିତ କରିବା ଏବଂ ଅଧିକ ନିଦାନ କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ବିଭାଗ ପକ୍ଷରୁ ଯୋଜନା କରାଯାଉଛି। ଏଥିପାଇଁ ଅଧିକ ସଂଖ୍ୟକ ଚିକିତ୍ସକଙ୍କୁ ମଧ୍ୟ ତାଲିମ ଦିଆଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର