କଶ୍ମୀର : ଧାରା ୩୭୦ ଉଠାଇବା ନିଷ୍ପତ୍ତିର ଅନେକ ସକାରାତ୍ମକ ଦିଗ ରହିଛି ବୋଲି କହିଲେ କଶ୍ମୀର ମହାରାଜାଙ୍କ ପୁତ୍ର ଡଃ କରନ ସିଂ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଦ୍ୱାରା ଜାମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠାଇବା ପ୍ରସଙ୍ଗରେ କଂଗ୍ରେସରେ ମତଭେଦ ବଢିବାରେ ଲାଗିଛି । ଆଜି ସରକାରଙ୍କ ଏକ ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି କଂଗ୍ରେସ ନେତା ତଥା କଶ୍ମୀରର ପୂର୍ବତନ ଯୁବରାଜ ଡଃ କରନ ସିଂ । ଆଜି ଏକ ବକ୍ତବ୍ୟ ଜାରି କରି ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଆଖି ମୁଜି ବିରୋଧ କରାଯିବା ଉଚିତ ନୁହେଁ । କାରଣ ଏଥିରେ ଅନେକ ସକାରାତ୍ମକ ନିଷ୍ପତ୍ତି ମଧ୍ୟ ରହିଛି ।

Inkhabar

ସେ ଲଦାଖକୁ କେନ୍ଦ୍ର ଶାସିତ ଅଂଚଳ ମାନ୍ୟତା ଦେବାକୁ ସମର୍ଥନ କରିଛନ୍ତି । ଏହା ସହିତ ଧାରା ୩୫-କ ଅନୁସାରେ ମହିଳାମାନଙ୍କ ପ୍ରତି ଅବିଚାର କରାଯାଉଥିଲା । ଏଣୁ ଏହାର ବିଲୋପ ଏକ ସକାରାତ୍ମକ ପଦକ୍ଷେପ । ସେହିପରି ଜାମ୍ମୁ ଓ କଶ୍ମୀରରେ ଏବେ ପୁଣି ଥରେ ସୀମା ନିର୍ଦ୍ଧାରଣ ହେବ, ଏହା ଦ୍ୱାରା ଗଣତାନ୍ତ୍ରିତ କ୍ଷମତାର ସଠିକ ଆବଣ୍ଟନ ହୋଇପାରିବ । କିନ୍ତୁ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ (ପିଡିପି ଓ ନ୍ୟାସନାଲ କନଫରେନ୍ସ)ର ନେତାମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ସେ ଦାବି କରିଛନ୍ତି । ସେମାନଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ କରିବାକୁ ସେ ଦାବି କରିଛନ୍ତି ।

ଏ ପ୍ରସଙ୍ଗରେ ତାଙ୍କର ସମର୍ଥନ ବେଶ ଗୁରୁତ୍ୱ ବହନ କରୁଛି କାରଣ ସେ ହେଉଛନ୍ତି ପୂର୍ବତନ ଜାମ୍ମୁ ଓ କଶ୍ମୀର ରାଜ୍ୟର ଶେଷ ଶାସକ ମହାରାଜା ହରି ସିଂଙ୍କ ପୁତ୍ର ଓ ଡୋଗ୍ରା ରାଜବଂଶର ଶେଷ ଯୁବରାଜ । ମହାରାଜା ହରି ସିଂ ହିଁ ଭାରତ ସହିତ ମିଶ୍ରଣ ଚୁକ୍ତିରେ ସ୍ୱାକ୍ଷର କରିଥିଲେ ।

ସମ୍ବନ୍ଧିତ ଖବର